ଗଞ୍ଜାମ,୩ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ନିକଟରେ ଐତିହାସିକ ପୋତାଗଡ଼ ଅବସ୍ଥିତ। ଦୀର୍ଘଦିନ ଧରି ବନ୍ଦ ହୋଇଥିବା ଐତିହାସିକ ପୋତାଗଡ଼ ମହୋତ୍ସବ ଅନୁଷ୍ଠିତ ହେବା ପାଇଁ ବାଟ ଖୋଲିଲା। ବ୍ରହ୍ମପୁର ଗଞ୍ଜାମ ସହର ସିଟି ବସ୍ସେବା ପୁନର୍ବାର ପ୍ରଚଳନ ଓ ଋଷିକୂଲ୍ୟା ନଦୀକୁ ଯିବା ପାଇଁ ସୁରକ୍ଷିତ ପାହାଚ ନିର୍ମାଣ ସମ୍ପର୍କରେ ଆଜି ଗଞ୍ଜାମ ଜିଲାପାଳଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି।
ଗଞ୍ଜାମ ଭରସା ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦୁର୍ଗା ମାଧବ ପାଣିଗ୍ରାହୀ ଅଞ୍ଚଳବାସୀ ଓ ଗଞ୍ଜାମ ଏନ୍ଏସିର ଜନପ୍ରତିନିଧିମାନଙ୍କ ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରି ଏହି ସମସ୍ତ ଦାବି ସମ୍ପର୍କରେ ଧ୍ୟାନ ଆକର୍ଷଣ କରିଥିଲେ।
ଉଲ୍ଲେଖନୀୟ ଯେ, ୨୦୧୯ରେ ଦୁଇଦିନିଆ ଐତିହାସିକ ପୋତାଗଡ଼ ମହୋତ୍ସବ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ବନ୍ଦ ହୋଇଯାଇଥିଲା। ଏହି ସମ୍ପର୍କରେ ଜିଲାପାଳ କହିଥିଲେ ଯେ, ଏନ୍ଏସି, ବ୍ଲକ ପ୍ରଶାସନ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ପଦକ୍ଷେପ ନିଆଗଲେ, ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଦିଆଯିବ।
ସେହିପରି ୨୦୨୩ ମସିହା ମେ’ ୩୦ରେ ଆରମ୍ଭ ହୋଇଥିବା ଗଞ୍ଜାମ ବ୍ରହ୍ମପୁର ସରକାରୀ ସିଟି ବସ୍ସେବା ପରବର୍ତ୍ତୀ ସମୟରେ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ଆମ ବସ୍ ସେବା ନୂତନ ଭାବେ ଜିଲାକୁ ଆସୁଥିବା ପରିପ୍ରେକ୍ଷୀରେ, ଏହି ରୁଟ୍ରେ ପୁନର୍ବାର ବସ୍ସେବା ପ୍ରଚଳନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲପାଳ ସୂଚନା ଦେଇଛନ୍ତି।
ସେହିପରି ଗଞ୍ଜାମ ସହର ଦାମୋଦରପୁର ଅଞ୍ଚଳ ଦେଇ ପ୍ରବାହିତ ଋଷିକୂଲ୍ୟା ନଦୀ ଉପରେ ଥିବା ଦୁଇଟି ରେଳ ବ୍ରିଜର ତଳଭାଗରେ ନଦୀକୁ ଯିବା ପାଇଁ ପାହାଚ ନିର୍ମାଣ ଦାବି ଉଠାଯାଇଥିଲା। ପାହାଚ ନ ଥିବାରୁ କାର୍ତ୍ତିକ ମାସ ପାହାନ୍ତିଆ ସ୍ନାନ, ଶ୍ରାବଣ ମାସର ବୋଲବୋମ ଯାତ୍ରା ଓ ବୋଇତ ବନ୍ଦାଣ ଉତ୍ସବ ସମୟରେ ମହିଳା, ବୃଦ୍ଧ, ଭକ୍ତ ଓ ପର୍ଯ୍ୟଟକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା କଥା ଜଣାଯାଇଥିଲା।
ଉଲ୍ଲେଖନୀୟ ଯେ, ଏହି ବିଷୟ ସମ୍ପର୍କରେ ଗଞ୍ଜାମ ଜିଲାପାଳଙ୍କ ସହ ଆଲୋଚନା କରାଯାଇଥିଲା। ଏଥିରେ ଜିଲାପାଳ ତତ୍କାଳ ସମ୍ପୃକ୍ତ ଜଳସେଚନ ବିଭାଗର ଅଧିକାରୀମାନଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।


