ମରାମତି ଅଭାବରୁ ରାସ୍ତା ଶୋଚନୀୟ

ନାଉଗାଁ,୧୦।୧୧(ସ୍ବ.ପ୍ର.): ନାଉଗାଁ  ବ୍ଲକ ଛକରୁ ତିହୁଡାକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇ ପଡିଛି। ବିଭିନ୍ନ ସଙ୍ଗଠନ, ବୁଦ୍ଧିଜୀବୀଙ୍କ ପକ୍ଷରୁ ବାରମ୍ବାର ଦାବି ସତ୍ତ୍ୱେ ରାସ୍ତାର ତିହୁଡାଠାରୁ ଅଧା କିମି ପର୍ଯ୍ୟନ୍ତ ମରାମତି କରାଯାଇଛି। ମାତ୍ର ବାକି ରାସ୍ତା ଏବେବି ଖରାପ ରହିଛି।
୨ କିଲୋମିଟର ଲମ୍ବ ଏହି ରାସ୍ତା ପଞ୍ଚାୟତ ଅଧୀନରେ ରହିଛି। ରାସ୍ତା ପାର୍ଶ୍ୱରେ ଗ୍ରାମ୍ୟ ପରିମଳ ଓ ପାନୀୟ ଜଳ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଓ ଜ୍ୟୋତି ମହାସଂଘ କାର୍ଯ୍ୟାଳୟ ଓ ସରସ୍ବତୀ ଶିଶୁ ମନ୍ଦିର ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ସ୍ଥାନୀୟ ଲୋକଙ୍କ ବାସଗୃହ ଓ ଚାଷ ଜମି ମଧ୍ୟ ରହିଛି। ବିଗତ ଦିନରେ ଲଗାଣ ବର୍ଷାରେ ଏହି ଜମିରୁ ପାଣି ନିଷ୍କାସନ ପାଇଁ ରାସ୍ତାର ବିଭିନ୍ନ ସ୍ଥାନ ଖୋଳି ଦିଆଯାଇଛି। ମାତ୍ର ପାଣି ନିଷ୍କାସନ ପରେ ଏହାକୁ ମରାମତି କରାଯାଇନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତା ଉପରକୁ ଗୋଡି ଉଠି ଆସିଛି। ଫଳରେ ଖାଲି ପାଦରେ ଏହି ବାଟଦେଇ ଯିବା କଷ୍ଟକର ହୋଇଯାଉଛି। ରାସ୍ତା ପାର୍ଶ୍ୱରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଥିବାରୁ ପଞ୍ଚାୟତ ଲୋକେ ବିଭନ୍ନ କାର୍ଯ୍ୟରେ ଏହି ବାଟ ଦେଇ ଯାତାୟାତ କରିଥାନ୍ତି। ମାତ୍ର ରାସ୍ତା ଅବସ୍ଥା ଖରାପ ଥିବାରୁ ଅନେକ ସମୟରେ ସେମାନେ ଦୁର୍ଘଟଣାର ଶିକାର ହୋଇଥାନ୍ତି। ପିଲାମାନେ ବିଦ୍ୟାଳୟକୁ ଆସୁଥିବା ବେଳେ ବାରମ୍ବାର ସାଇକେଲ୍‌ରୁ ପଡ଼ି ଖଣ୍ଡିଆଖାବରା ହୁଅନ୍ତି। ଫଳରେ ଏହି ବାଟଦେଇ ଯାତୟାତ କରିବାକୁ ସେମାନେ ଭୟ କରିଥାନ୍ତି। ରାସ୍ତା କାର୍ଯ୍ୟ ପାଇଁ ବିଧାୟକ ଉନ୍ନୟନ ପାଣ୍ଠି, ରାଜ୍ୟ ସଭା ସାଂସଦ ପାଣ୍ଠି ଓ ଅମ୍ଫନ ବାତ୍ୟା ସମୟରେ କ୍ଷୟକ୍ଷତି ନିମନ୍ତେ ଅନୁଦାନ ମିଳିଛି। ମାତ୍ର ଏପର୍ଯ୍ୟନ୍ତ ରାସ୍ତା ମରାମତି ହେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ବିଡିଓ ରଶ୍ମିରେଖା ମଲିକ କୁହନ୍ତି, ପର୍ଯ୍ୟାୟକ୍ରମେ ଅନୁଦାନ ପ୍ରଦାନ ଦିଆଯାଇ ରାସ୍ତା ମରାମତି କରାଯାଉଛି। ଆଉ ଅଳ୍ପ କିଛି ବାକି ରହିଛି ସେ କାର୍ଯ୍ୟ ଯଥାଶୀଘ୍ର କରାଯିବ।