ବୋଳଙ୍ଗ-ପାଉଁଶିଆ ରାସ୍ତା ବାହ୍ୟଜଗତରୁ ବିଚ୍ଛିନ୍ନ

ବାଲେଶ୍ୱର ଅଫିସ,୧୨ା୮: ଲଘୁଚାପ ଜନିତ ଲଗାଣ ବର୍ଷା ୭ ଦିନ ଧରି ହେବା ଫଳରେ ବାଲେଶ୍ୱର ଜିଲାର ବାଲିଆପାଳ ବ୍ଲକ ଅନ୍ତର୍ଗତ ବୋଳଙ୍ଗ ପଞ୍ଚାୟତରୁ ପାଉଁଶିଆ ରାସ୍ତାକୁ ସଂଯୋଗ କରୁଥିବା ଆର୍‌ଡି ରାସ୍ତା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଫଳରେ ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ କରୁଥିବା ବେଳେ ଦୁଇଚକିଆ ଚାରିଚକିଆ ଯାନ ସମେତ ଦମକଳ ଆମ୍ବୁଲାନ୍ସ ଗାଡି ହସ୍ପିଟାଲକୁ ଯାତାୟାତ ଠପ୍‌ ହୋଇଯାଇଛି। ଏହି ଗୋଟିଏ ରାସ୍ତା ଉପରେ ଅଞ୍ଚଳବାସୀ ନିର୍ଭର କରିଆସୁଥିବା ବେଳେ ସ୍ଥାନୀୟ ନେତାଙ୍କ ଅପରିଣାମଦର୍ଶିତା ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ପାଇଁ ରାସ୍ତାର ଦୁରାବସ୍ଥା ହୋଇଥିବାବେଳେ ଏବେ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଯାହା ଫଳରେ ଜନ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଖବର ପାଇ ବାଲିଆପାଳ ବିଡିଓ ଦୀପକ କୁମାର ଦାସ ଘଟଣାସ୍ଥଳରେ ପହଞ୍ଚି ଏହାର ଅନୁଧ୍ୟାନ କରିବା ସହିତ ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ତଦାରଖ କରିଛନ୍ତି। ପଥର ପ୍ୟାଚିଂ ସହ ନୂତନ ରାସ୍ତା ଯଥାଶୀଘ୍ର ନିର୍ମାଣ ପାଇଁ ପଞ୍ଚାୟତ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ମଲ୍ଲିକ, ସରପଞ୍ଚ ପ୍ରତିନିଧି କାର୍ତ୍ତିକ ମଲ୍ଲିକ, ବିଜୁଜନତା ଦଳର ପଞ୍ଚାୟତ ସଭାପତି ଯୋଗେନ୍ଦ୍ର ମହାପାତ୍ର, ସମିତି ସଭ୍ୟ ତପନ ରାଉତ, ଗୌତମ ପାତ୍ର , ବାବୁଧର ସାହୁ,ବାଦଲ ବେହେରା ଭାସ୍କର ବେହେରାଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି।