ରାୟଗଡ଼ା,୨୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତ ଅନ୍ତର୍ଗତ ବାରିଝୋଲା ଗ୍ରାମସ୍ଥିତ ପଦ୍ମାବତୀ ହରିକୁପା ପାହାଡ଼ରୁ ଚାଲିଛି ମୋରମ ଖନନ। ତେବେ ମୋରମ ଖନନ ଯୋଗୁ ପାହାଡ଼ରେ ଥିବା ବୃକ୍ଷଲତା ନଷ୍ଟହେବା ଆଶଙ୍କା ଦେଖାଦେଇଛି । ଏଥିସହ ଉକ୍ତ ପାହାଡ଼ରେ ଅଞ୍ଚଳର ବାରିଝୋଲା, ଆମ୍ବଗୁଡ଼ା, ଶିରିଗୁଡ଼ାର ଆଦିବାସୀମାନେ ପୂର୍ବ ପୁରୁଷରୁ ପୂଜା କରିଆସୁଛନ୍ତି। ସେମାନଙ୍କର ସ୍ମୃତି ସହିତ ବିିଭିନ୍ନ କିମ୍ବଦନ୍ତୀ ରହିଥିବା ଅଞ୍ଚଳବାସୀ କହିଛନ୍ତି। ଏଥିସହ ଉକ୍ତ ପାହାଡ଼ରେ ଏବେ ଏକ ହନୁମାନ ମନ୍ଦିର ମଧ୍ୟ ପ୍ରତିଷ୍ଠା କରାଯାଇଛି। ଗୁରୁବାର ଉକ୍ତ ପାହାଡର ତଳ ଭାଗରୁ ଜେସିବି ମେଶିନ ସାହାଯ୍ୟରେ ମୋରମ ମାଟି ଖୋଳାଯାଉଥିବାବେଳେ ବାରିଝୋଲା ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ତେବେ ମୋରମ ଖୋଳୁଥିବା ଜେସିବି ମେଶିନ ଚାଳକଙ୍କୁ ଗ୍ରାମବାସୀ ପଚାରିବାରୁ ତହସିଲଦାରଙ୍କ ନିର୍ଦ୍ଦେଶରେ ଏହା ଖୋଳାଯାଉଥିବା କହିଥିଲେ। ଏ ନେଇ ରାୟଗଡ଼ା ତହସିଲଦାର ପ୍ରିୟଦର୍ଶିନୀ ସ୍ବାଇଁଙ୍କୁ ପଚାରିବାରୁ ମୁଖ୍ୟମନ୍ତ୍ରୀଙ୍କ ରାୟଗଡା ଗସ୍ତ ସମୟରେ ବ୍ୟବହାର ହେଉଥିବା ଏକ ରାସ୍ତାରେ ଖାଲଖମା ରହିଛି। ସେଠାରେ ମୋରମ ପକାଇ ରାସ୍ତା ସମତଳ କରିବାକୁ ପୂର୍ତ୍ତ ବିଭାଗ କହିବାରୁ ଅନୁମତି ଦିଆଯାଇଛି ବୋଲି ସେ କହିଛନ୍ତି।
ଏଭଳିକି ଉକ୍ତ ପାହାଡ଼ରେ ୨୦୨୫ ଜୁଲାଇରେ ରାୟଗଡ଼ା ବନାଞ୍ଚଳ ପକ୍ଷରୁ ମା’ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ତତ୍କାଳୀନ ଜିଲାପାଳ, ଏସ୍ପି ସ୍ବାଥି ଏସ୍.କୁମାର, ଡିଏଫ୍ଓ ସଚିନ ଆନ୍ନାସାହେବ ଓହୋଲେ ଓ ଅନ୍ୟ ଅଧିକାରୀଙ୍କ ସମେତ ନିର୍ବାଚିତ ଜନ ପ୍ରତିନିଧି, ଗ୍ରାମବାସୀଙ୍କ ଉପସ୍ଥିତିରେ ସେଠାରେ ୫ ହଜାର ଚାରା ରୋପଣ କରାଯାଇଥିଲା। ପାହାଡ଼ରୁ ଏବେ ମୋରମ ଖନନ ଯୋଗୁ ପାହାଡ ତଳଭାଗ ଦୁର୍ବଳ ହେଲେ ଆଗାମୀ ଦିନରେ ମାଟି ଅତଡା ଖସିବା ବହୁ ସମ୍ଭାବନା ରହିଥିବା ବେଳେ ଲଗାଯାଇଥିବା ଚାରାଗୁଡିକ ତଳକୁ ଗଳି ପଡିବା ଆଶଙ୍କା କରାଯାଇଛି। ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ୫ହଜାର ଚାରାରୋପଣ ହୋଇଥିବା ପାହାଡକୁ ଖୋଳି ପ୍ରଶାସନ ମୋରମ ମାଟି ନେଉଥିବା ଜାଣିବା ପରେ ସ୍ଥାନୀୟ ବାସିନ୍ଦା ମଧୁ କାଡ୍ରାକା, ନାଗେଶରାଓ ବିଡିକା, ସାଲୁ ବିଡିକା, ସନ୍ତୋଷ କୁମାର ପଣ୍ଡା, ନାଏବ ସରପଞ୍ଚ ଫୁଲ ବିଡିକା, ଦାମ ମହାନନ୍ଦିଆ ଓ ଅନ୍ୟମାନେ ବିରୋଧ କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ। ବନ ବିଭାଗ ପକ୍ଷରୁ ଚାରା ରୋପଣ ହୋଇଥିବାବେଳେ ପାହାଡ଼ରୁ ମୋରମ ଖନନ ପାଇଁ ବନ ବିଭାଗଠାରୁ କୌଣସି ଅନୁମତି ନିଆ ଯାଇ ନ ଥିବା ରାୟଗଡ଼ା ରେଞ୍ଜର କାମେଶ୍ୱର ଆଚାରୀ କହିଛନ୍ତି ।
Dharitri – Odisha’s No.1 Odia Daily

