୩ ଜିଲା ପରିଷଦ ପଦ ପାଇଁ ସଂରକ୍ଷଣ ତାଲିକା ବଦଳିଲା

ଡେରାବିଶ,୧୧ା୧(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଡେରାବିଶ ବ୍ଲକ ଅଧୀନରେ ଥିବା ୧୨ ନଂ., ୧୩ ନଂ. ଓ ୧୪ ନଂ. ଜୋନ୍‌ରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଛନକା ପଶିଛି। ପୂର୍ବରୁ ଏ ନେଇ ସରକାରୀ ବିଜ୍ଞପ୍ତିରେ ୩ ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୧୨ ନଂ. ଓ ୧୪ ନଂ. ଜୋନ୍‌ ପାଇଁ ଅସଂରକ୍ଷିତ ପଦ ଥିବା ବେଳେ ୧୩ ନଂ. ଜୋନ୍‌ ଅନୁସୂଚିତ ଜାତି ମହିଳା ବର୍ଗଙ୍କ ପାଇଁ ସଂରକ୍ଷିତ ଥିଲା। ମାତ୍ର ଚୂଡାନ୍ତ ପ୍ରାର୍ଥୀ ତାଲିକାରେ ଏହି ୩ଟି ଜୋନ୍‌ ପାଇଁ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବା ବିଜ୍ଞପ୍ତି ପ୍ରକାଶ ପାଇଛି। ସେଥିମଧ୍ୟରୁ ୧୨ ନଂ.ଓ ୧୪ ନଂ. ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ଥିବା ବେଳେ ୧୩ ନଂ. ଜୋନ୍‌ ପାଇଁ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ପୂର୍ବରୁ ଏହି ୩ଟି ଜୋନ୍‌ ପାଇଁ ଶାସକ ବିଜେଡି, ଭାଜପା ଓ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଚୟନ କରାଯାଇଥିଲା। ଚୂଡାନ୍ତ ପ୍ରାର୍ଥୀ ତାଲିକାରେ ୩ଟି ଜୋନ୍‌ର ସଂରକ୍ଷଣ ବଦଳି ଯିବା ପରେ ରାଜନୈତିକ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ତାଲିକା ପ୍ରକାଶ ହେବା ପରେ ଶାସକ ବିଜେଡିର ବ୍ଲକ ସଭାପତି ଦେବାଶିଷ ଆଚାର୍ଯ୍ୟ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶନ ପରେ ଆମର କୌଣସି ମତାମତ ରଖିବା ଉଚିତ ନୁହେଁ। କିନ୍ତୁ ୩ଟି ଜୋନ୍‌କୁ ପୂର୍ବ ପଞ୍ଚାୟତ ନିର୍ବାଚନ ଭଳି ବିଚାରକୁ ନେଇଥିଲେ ଭଲ ହୋଇଥାନ୍ତା। ମାତ୍ର ବିରୋଧୀ ଭାଜପା ଦଳ ପକ୍ଷରୁ ଏହି ତାଲିକା କେଉଁ ଆଧାରରେ ପରିବର୍ତ୍ତନ କରାଯାଇଛି ତାକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ବୋଲି ଜିଲା ଭାଜପା ନେତା ସରୋଜକାନ୍ତ ନାୟକ କହିଛନ୍ତି। ସଂରକ୍ଷଣ ତାଲିକା ପରିବର୍ତ୍ତନକୁ ନେଇ ଦଳ ପକ୍ଷରୁ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ନାୟକ ସୂଚନା ଦେଇଛନ୍ତି। ସେହିପରି ଜିଲା କଂଗ୍ରେସର ସାଧାରଣ ସମ୍ପାଦକ କୁମାର ଚନ୍ଦ୍ର ବଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଶାସକ ଦଳର ଏହା ଏକ ହୀନ ଚକ୍ରାନ୍ତ ବୋଲି କହିଛନ୍ତି। ତେବେ ଆସନ୍ତା ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ଆଶାନୁରୂପ ସଫଳତା ପାଇବେ ବୋଲି ବଳ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଚୂଡାନ୍ତ ପ୍ରାର୍ଥୀ ତାଲିକାରେ ଗୋଟିଏ ବର୍ଗର ସଂରକ୍ଷଣ ରଖାଯାଇଥିବାରୁ ସାଧାରଣରେ ଅସନ୍ତୋଷର ଦାନା ବାନ୍ଧୁଛି।