ଆତ୍ମସନ୍ତୋଷର ଅସଲ ପୁଞ୍ଜି

ରକ୍ତକୁ ଏବେ କୁହାଯାଉଛି ଜୀବନ ବିନ୍ଦୁ । ଅତୀତରେ ବି ଏହା କୁହାଯାଉଥିଲା, ମାତ୍ର ଏବେ ସାର୍ଥକତାର ଭାବେ ଆବିଷ୍କାର କରାଯାଇ ପାରିଛି ତା’ର ପ୍ରାସଙ୍ଗିକତା। ଜୀବନ ଧାରଣ ପାଇଁ ଶରୀରରେ ରକ୍ତର ଆବଶ୍ୟକତା କଥା ବିଚାର କଲେ ତାକୁ ଜୀବନ ବିନ୍ଦୁ ନୁହେଁ, ବରଂ ଜୀବନ କହିବା ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ। କାରଣ ଶରୀରର ସମସ୍ତ ପ୍ରକାର ଆଭ୍ୟନ୍ତରୀଣ ବ୍ୟାପାରକୁ ସଂଯୋଜନା କରୁଥିବା ଏହି ଲାଲ ରଙ୍ଗର ତରଳ ସଂଯୋଜକ ତନ୍ତୁ ବିନା ଜୀବନ ଧାରଣ ଅସମ୍ଭବ। ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣରୁ ଅତିରିକ୍ତ ରକ୍ତ କ୍ଷରଣ ହେଲେ ଜୀବନ ପ୍ରତି ସୃଷ୍ଟି ହୁଏ ବିପଦ। ବ୍ୟକ୍ତି ବିପଦମୁକ୍ତ ହେବା ପାଇଁ ତତ୍କାଳ ଆବଶ୍ୟକ ହୁଏ ରକ୍ତର ପୁନଃ ସ୍ଥାପନ। ରକ୍ତ ନିର୍ମାଣ ପ୍ରକ୍ରିୟାରେ ତ୍ରୁଟିଜନିତ ଅସୁବିଧା ଭୋଗୁଥିବା ରୋଗୀ ପାଇଁ ବି ଦରକାର ହୁଏ ନିୟମିତ ବ୍ୟବଧାନରେ ରକ୍ତ ଗ୍ରହଣ। ଏତଦ୍‌ଭିନ୍ନ ପ୍ରସବକାଳୀନ ସମସ୍ୟାରେ ଥିବା ମହିଳା ଓ ଅସ୍ତ୍ରୋପଚାର ଅପେକ୍ଷାରେ ଥିବା ରୋଗୀର ଜୀବନ ରକ୍ଷା ପାଇଁ ଖୋଜା ପଡ଼େ ରକ୍ତ।
ଏକବିଂଶ ଶତାବ୍ଦୀର ପ୍ରଗତି ପ୍ରେକ୍ଷାପଟରେ ଚିକିତ୍ସା ବିଜ୍ଞାନ ଆଶାତୀତ ସଫଳତା ହାସଲ କରିଛି ସତ କିନ୍ତୁ ବିଜ୍ଞାନାଗାରରେ ବିନ୍ଦୁଟିଏ ରକ୍ତ ତିଆରି କରିବା ପାଇଁ ସକ୍ଷମ ହୋଇପାରିନି ଏଯାବତ୍‌। କାରଣ ରକ୍ତ ଏପରି ଏକ ବିକଳ୍ପବିହୀନ ଅମୂଲ୍ୟ ସମ୍ପଦ, ଯାହାକୁ କୃତ୍ରିମ ଉପାୟରେ ତିଆରି କରିବା ପ୍ରାୟତଃ ଏକ ଅସମ୍ଭବ ବ୍ୟାପାର। ତେଣୁ କୌଣସି କାରଣରୁ କାହା ଶରୀର ପାଇଁ ରକ୍ତ ପୁନଃ ସ୍ଥାପନ ଆବଶ୍ୟକ ହେଲେ, ତାହା ପୂରଣ କରିବାକୁ ପଡ଼େ ଅନ୍ୟକେହି ସୁସ୍ଥ ଲୋକର ରକ୍ତଦାନ ଜରିଆରେ। ଯଥା ସମୟରେ ଓ ଆବଶ୍ୟକ ଅନୁସାରେ ରକ୍ତ ନ ମିଳିଲେ ଚାଲିଯାଏ ରୋଗୀର ଜୀବନ। ଏଭଳି ସ୍ଥିତିରେ ଯେଉଁମାନେ ସ୍ବେଚ୍ଛାକୃତ ରକ୍ତଦାନ କରି ପୀଡ଼ିତର ଜୀବନ ବଞ୍ଚାନ୍ତି ସେମାନେ କିଛି ସାଧାରଣ ମଣିଷ ନୁହନ୍ତି, ବରଂ ଜଣେ ଜଣେ ଦେବଦୂତ।
ସଂସାରରେ ଯାହାର ବିକଳ୍ପ ନାହିଁ ତା’ର ବ୍ୟବସ୍ଥିତ ପରିପୂରକତା ପ୍ରକୃତିର ନିୟମ। ପୃଥିବୀରେ ଅରଣ୍ୟର ବିକଳ୍ପ ନାହିଁ, ହେଲେ ଜୀବନ ଧାରଣ ପାଇଁ ତା’ର ଉପସ୍ଥିତି ଏକାନ୍ତ ପ୍ରୟୋଜନ। ତେଣୁ ଦିଗନ୍ତବ୍ୟାପି ଘଞ୍ଚ ଅରଣ୍ୟ ପ୍ରକୃତିର ଦାନ। ବୃଷ୍ଟିପାତ ବିନା ବଞ୍ଚିପାରିବନି ଉଦ୍ଭିଦ ଓ ଜୀବଜଗତ। ଅଥଚ ବିକଳ୍ପ ନାହିଁ ଆକାଶରେ ଭାସୁଥିବା ମେଘମାଳାର। ସେଥିପାଇଁ ଆଷାଢ଼ରେ ମେଘଭର୍ତ୍ତି ଆକାଶ ଆଡ଼କୁ ଚାତକ ପରି ଚାହିଁରହେ ଧରା। ଆଶ୍ଚର୍ଯ୍ୟ ଓ ଆଶ୍ୱାସନାର ବିଷୟ ହେଉଛି ବର୍ଷାର ସ୍ପର୍ଶ ପାଇବା ପାଇଁ ଧରା ଯେତିକି ବ୍ୟାକୁଳ, ଆକାଶରୁ ବର୍ଷା ହୋଇ ଝରିଯିବା ପାଇଁ ମେଘ ବି ସେତିକି ଅଧିର। ପ୍ରକୃତିର ଏହି ବ୍ୟବସ୍ଥା ହେଉଛି ଏକ ସ୍ବୟଂକ୍ରିୟ ପରିପୂରକତା। ଏହି ବ୍ୟବସ୍ଥିତ ପରିପୂରକତା ଅନୁଯାୟୀ ଜଣେ ରୋଗୀ ପାଇଁ ରକ୍ତ ଗ୍ରହଣ ଯେତିକି ଜରୁରୀ ଜଣେ ସୁସ୍ଥ ବ୍ୟକ୍ତି ପାଇଁ ରକ୍ତଦାନ ସେତିକି ଉପାଦେୟ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁସାରେ ନିୟମିତ ବ୍ୟବଧାନରେ ରକ୍ତଦାନ କରିବା ଦ୍ୱାରା ଶରୀରରେ କୋଲେଷ୍ଟରଲ ପରିମାଣ ନିୟନ୍ତ୍ରଣରେ ରହେ ଏବଂ ହ୍ରାସ ପାଏ ଉଚ୍ଚ ରକ୍ତଚାପ, ମଧୁମେହ ଓ ହୃଦ୍‌ରୋଗର ଆଶଙ୍କା। ଅସ୍ଥିମଜ୍ଜା ସକ୍ରିୟ ହେବା ସହ ଅପେକ୍ଷାକୃତ ଅଧିକ କାର୍ଯ୍ୟକ୍ଷମ ହୁଏ ରକ୍ତଦାତାର ଶରୀର। ଜୀବନକାଳ ମଧ୍ୟରେ ନିଜ ଚିକିତ୍ସା ପାଇଁ ରକ୍ତଦାତା ଯଦି କେବେ ରକ୍ତ ଆବଶ୍ୟକ କରେ, ତେବେ ରକ୍ତ ଭଣ୍ଡାର ମାଧ୍ୟମରେ ତାକୁ ରକ୍ତ ଯୋଗେଇ ଦିଆଯାଏ ଅଗ୍ରାଧିକାର ଭିତ୍ତିରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ରକ୍ତ ଦାନ କରି ଜଣକ ଜୀବନ ବଞ୍ଚେଇ ପାରିଥିବାରୁ ରକ୍ତଦାତା ଖୁବ୍‌ ଆମତ୍ସନ୍ତୋଷ ଲାଭ କରେ, ଯାହା ତାକୁ ସାମାଜିକ ଜୀବନରେ ଯୋଗେଇଦିଏ ପ୍ରଚୁର ମାନସିକ ଶକ୍ତି। ଉପରୋକ୍ତ ପ୍ରେକ୍ଷାପଟରେ ବିଚାରକଲେ ଉଭୟ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ରକ୍ଷା ପାଇଁ ରକ୍ତଦାନର ଆବଶ୍ୟକତା ଏକାନ୍ତ ଜରୁରୀ।
ଚିିକିତ୍ସା ବିଜ୍ଞାନ କହେ ମଣିଷ ଦେହର ରକ୍ତ (ଙ+, ଙ, ଇ+, ଇ, ଈ+, ଈ, ଇଈ+ ଏବଂ ଇଈ ନାମରେ) ୮ଟି ବର୍ଗରେ ବିଭକ୍ତ। ପୃଥିବୀରେ ପ୍ରତି ତିନି ଜଣ ଲୋକଙ୍କ ମଧ୍ୟରୁ ଜଣେ ଙ+ ୧୫ଜଣଙ୍କ ମଧ୍ୟରେ ଜଣେ ଙ , ତିନିଜଣଙ୍କ ମଧ୍ୟରେ ଜଣେ ଇ+, ୧୬ ଜଣରେ ଜଣେ ଇ, ପନ୍ଦର ଜଣରେ ଜଣେ ଈ+, ୬୭ ଜଣରେ ଜଣେ ଈ, ଏବଂ ୨୯ ଜଣରେ ଜଣେ ଇଈ+ ହୋଇଥିବା ବେଳେ ୧୬୭ ଜଣ ଲୋକଙ୍କ ମଧ୍ୟରେ ଥାଆନ୍ତି ଜଣେ ଇଈ ରକ୍ତ ବର୍ଗର ବ୍ୟକ୍ତି। ରକ୍ତରେ ଥିବା ଏହି ଭିନ୍ନତା ଯୋଗୁ ରକ୍ତଦାନ ଓ ଗ୍ରହଣ କ୍ଷେତ୍ରରେ ଏକ ବିଶେଷ ଭୂମିକା ନିର୍ବାହ କରେ ରକ୍ତଭଣ୍ଡାର।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ଭାରତର ବାର୍ଷିକ ୧୪ ନିୟୁତ ୟୁନିଟ୍‌ ରକ୍ତର ଆବଶ୍ୟକ ଥିଲାବେଳେ ସଂଗ୍ରହ ହୋଇପାରୁଛି ମାତ୍ର ୧୦ନିୟୁତ ୟୁନିଟ୍‌ ରକ୍ତ। ସାଧାରଣତଃ ନିଅଣ୍ଟ ପରିମାଣ ୨୫ ପ୍ରତିଶତ ହୋଇଥିବା ସ୍ଥଳେ ଏହା ବୃଦ୍ଧି ପାଇ ୫୦ ପ୍ରତିଶତରେ ପହଞ୍ଚୁଛି ଗ୍ରୀଷ୍ମ ଋତୁରେ। ତଥାପି ଆଶ୍ୱାସନାର ବିଷୟ ହେଉଛି ରକ୍ତଦାନକୁ ନେଇ ଦେଶରେ କ୍ରମଶଃ ବୃଦ୍ଧପାଉଛି ଜନସଚେତନତା। ଏହାକୁ ଏକପ୍ରକାର ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ। ତେଣୁ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଛାତ୍ର ଓ ଯୁବକମାନେ ଆଗେଇ ଆସୁଛନ୍ତି, ଯାହାର ଏକ ଅବିଶ୍ୱସନୀୟ ଦୃଷ୍ଟାନ୍ତ ଦେଖିବାକୁ ମିଳିଲା ବାହାନଗା ରେଳ ଦୁର୍ଘଟଣା ବେଳେ। ରକ୍ତଦାନ କରି ଆହତମାନଙ୍କ ପ୍ରାଣ ବଞ୍ଚେଇବା ପାଇଁ ବିନା ଡାକରାରେ ଡାକ୍ତରଖାନାରେ ପହଞ୍ଚତ୍ଗଲେ ଶହ ଶହ ଛାତ୍ର ଓ ଯୁବକ। ସେମାନଙ୍କ ସ୍ବେଚ୍ଛାକୃତ ରକ୍ତଦାନ ଯୋଗୁ ରାତିକ ଭିତରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ସଂଗ୍ରହ ହୋଇପାରିଥିଲା ୫୦୦ ୟୁନିଟ୍‌ରୁ ଅଧିକ ରକ୍ତ। କେବଳ ବାଲେଶ୍ୱର ନୁହେଁ ସୋର, ଭଦ୍ରକ, କଟକ ଓ ଭୁବନେଶ୍ୱର ଆଦି ଡାକ୍ତରଖାନାରେ ମଧ୍ୟ ଆହତଙ୍କ ପାଇଁ ରକ୍ତଦାନ କରିଥିଲେ ଶହ ଶହ ଲୋକ। ସେହି ଦେବଦୂତମାନଙ୍କ ଉଦ୍ଦେଶ୍ୟରେ ଏବେ ଅଜାଡ଼ି ହୋଇପଡୁଛି ଅଜସ୍ର ଶ୍ରଦ୍ଧା, ସମ୍ମାନ ଓ ଆଶୀର୍ବାଦ। ସମାଜରେ ଗୋଟିଏ ସାର୍ଥକତାର ଜୀବନ ବଞ୍ଚିବା ପାଇଁ ଏହା ହିଁ ତ ଅସଲ ପୁଞ୍ଜି। ରକ୍ତଦାନ ପାଇଁ ଏଭଳି ସ୍ବତଃସ୍ଫୂର୍ତ୍ତ ଉତ୍ସାହ ବୃଦ୍ଧି ପାଇଲେ ରକ୍ତ ଭଣ୍ଡାରରେ ଆଉ ରକ୍ତର ଅଭାବ ରହିବ ନାହିଁ କି ରକ୍ତ ବିନା ଝଡ଼ିଯିବନି ଜଣେ କେହି ବ୍ୟକ୍ତିର ଜୀବନ।

  • ଡ. ପ୍ରଫୁଲ୍ଲ କୁମାର ସାହୁ
    ଅବସରପ୍ରାପ୍ତ ଅଧ୍ୟକ୍ଷ
    ବିଜୁ ପଟ୍ଟନାୟକ ନଗର, ଭଦ୍ରକ
    ମୋ.- ୬୩୭୧୬୪୨୪୬୪

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri