ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରାଯାଉ

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଜାତୀୟ ଛୁଟି ଦିବସ ଭାବେ ଘୋଷଣା କରାଯାଉ। ଏନେଇ ଦାବି ଜୋର୍‌ ଧରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦାବି ଉପସ୍ଥାପନ କରିଛି ଓଡ଼ିଶା କଲଚରାଲ୍‌ ସର୍କଲ। ଏହାର ଅଧ୍ୟକ୍ଷ ତଥା ହୋଟେଲ୍‌ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଆସୋସିଏଶନ୍‌ ଅଫ୍‌ ଓଡ଼ିଶା (ଏଚ୍‌ଆର୍‌ଏଓ)ର ଅଧ୍ୟକ୍ଷ ଜେ. କେ. ମହାନ୍ତି ଲେଖିଥିବା ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଶ୍ବପ୍ରସିଦ୍ଧ। କେବଳ ପୁରୀ କିମ୍ବା ଓଡ଼ିଶାରେ ରଥଯାତ୍ରା ସୀମିତ ନାହିଁ କି କେବଳ ଓଡ଼ିଆଙ୍କ ପର୍ବ ହୋଇ ରହିନାହିଁ। ଦେଶ ଓ ବିଦେଶରେ ମହାପ୍ରଭୁଙ୍କ ରଥ ଗଡ଼ୁଛି। ସାରା ବିଶ୍ୱବାସୀ ଏହି ଉତ୍ସବରେ ସାମିଲ ହେଉଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରଥରେ ଦେଖିବାକୁ ଓ ରଥ ଟାଣିବାକୁ ସାରା ଦେଶରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳୁଛି। ଏହି ପବିତ୍ର ଦିନକୁ ଜାତୀୟ ଛୁଟି ଘୋଷଣା କଲେ ସମସ୍ତେ ମହାପ୍ରଭୁଙ୍କ ରଥଯାତ୍ରାରେ ଭାଗ ନେଇପାରନ୍ତେ। ଏଥିସହ ଓଡ଼ିଶା ତଥା ଭାରତୀୟ ସଂସ୍କୃତି ଓ ଧାର୍ମିକ ଭାବନାର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିବା ରଥଯାତ୍ରା ଆହୁରି ଲୋକପ୍ରିୟ ହୋଇପାରନ୍ତା ବୋଲି ଯୁକ୍ତି ଦର୍ଶାଇଛନ୍ତି।

କେବଳ ସେତିକି ନୁହେଁ, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହ ଓଡ଼ିଶା ସଂସ୍କୃତି ଓ ପର୍ଯ୍ୟଟନର ବିକାଶରେ ଏହା ବିଶେଷ ସହାୟକ ହେବ। ବିଶେଷକରି ଓଡ଼ିଶା ପର୍ଯ୍ୟଟନକୁ ରଥଯାତ୍ରା ମାଧ୍ୟମରେ ଆହୁରି ଆଗକୁ ନେଇ ହେବ। ବିଶ୍ବ ଭ୍ରାତୃଭାବକୁ ପ୍ରଚାର କରିବାରେ ଓ ଭଗବାନଙ୍କ ସହ ଭକ୍ତଙ୍କୁ ନିକଟତର କରିବାରେ ଏହି ଯାତ୍ରା ଏକ ଅନନ୍ୟ ଉଦାହରଣ। ମହାପ୍ରଭୁ ନିଜେ ମନ୍ଦିର ବାହାରକୁ ଆସି ରଥାରୁଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେବା ଏକ ବିରଳ ତଥା ଅଦ୍ବିତୀୟ ପରମ୍ପରା। ସବୁ ବର୍ଗ, ସବୁ ଜାତି, ସବୁ ଧର୍ମର ଲୋକ ରଥ ଟାଣିବା ପରି ଦୃଶ୍ୟ ଅନ୍ୟ କୌଣସି ଧାର୍ମିକ ଉତ୍ସବରେ ଦେଖିବାକୁ ମିଳେନି। ତେଣୁ ରଥଯାତ୍ରାର ବିଶେଷତ୍ୱ ଏବଂ ଭାରତୀୟ ତଥା ହିନ୍ଦୁ ସଂସ୍କୃତିର ଏହି ଅନନ୍ୟ ବିଭବକୁ ବିଚାରକୁ ନେଇ ଏହି ଦିନକୁ ଜାତୀୟ ଛୁଟି ଭାବେ ମାନ୍ୟତା ଦେବାକୁ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ମହାନ୍ତି ଅନୁରୋଧ କରିଛନ୍ତି। ଏନେଇ ଓଡ଼ିଶା କଲଚରାଲ୍‌ ସର୍କଲ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି।