ରାପ୍‌ ଗାଇଲେ ସୁରେଶ ରାଉତରାୟ

ଭୁବନେଶ୍ୱର, ୨୧। ୧୧(ବ୍ୟୁରୋ): ବିଧାୟକ ସୁରେଶ କୁମାର ରାଉତରାୟ ପ୍ରଥମଥର ପାଇଁ ଗୀତ ଗାଇଛନ୍ତି। ତାହା ପୁଣି ରାପ୍‌। ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଶୁକ୍ରବାର କଟକର ମିଲନ ଷ୍ଟୁଡିଓରେ ଏହି ଗୀତ ରେକର୍ଡ କରାଯାଇଛି। ନିଜର ବେଫିକର ଅନ୍ଦାଜ, ବିତର୍କିତ ବୟାନବାଜି, ନିଜସ୍ବ ନିଆରା ଶୈଳୀ ସାଙ୍ଗକୁ କୌତୁକିଆ ମିଜାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ସୁରେଶ ଏଥର ‘ରଙ୍ଗବତୀ….’ ଶୀର୍ଷକରେ ରାପ୍‌ ଗାଇଛନ୍ତି। ଅରମାନ ମ୍ୟୁଜିକ ପ୍ରଯୋଜିତ ଏ ଗୀତଟିକୁ ଲେଖିଛନ୍ତି ତପୁ ନାୟକ। ସୁରଙ୍କ ସହିତ ଏହି ଗୀତରେ ଲୋପାମୁଦ୍ରା ନାୟକ ଓ ଜ୍ୟୋତିର୍ମୟୀ କଣ୍ଠଦାନ କରିଛନ୍ତି। ଜନନେତାମାନେ ଗାୟକ ଭୂମିକାରେ ଉପନୀତ ହେବା କିଛି ନୂଆ କଥା ନୁହେଁ। ସୁର ରାଉତରାୟଙ୍କ ପୂର୍ବରୁ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଗୀତ ଗାଇ ଚର୍ଚ୍ଚାରେ ରହିସାରିଛନ୍ତି। ତେବେ ପ୍ରସିଦ୍ଧ ସମ୍ବଲପୁରୀ ରଙ୍ଗବତୀ ଗୀତ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ଜାପାନୀ ଭାଇ ସ୍ପଷ୍ଟ କରିଛନ୍ତି।