ରାଜଭବନ ପେଟ୍ରୋଲ ପମ୍ପ ଅଞ୍ଚଳ ଏବେ ବିପଦମୁକ୍ତ

ଭୁବନେଶ୍ୱର,୮।୧୦(ବ୍ୟୁରୋ): ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ଅଞ୍ଚଳ ଏବେ ବିପଦମୁକ୍ତ ହୋଇଛି। ଏନେଇ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଆଇଓସିଏଲ ଅଧିକାରୀ ବିଳମ୍ବିତ ରାତିରେ ଫାଟିଥିବା ଗ୍ୟାସ ଟାଙ୍କି ଖାଲି କରିଦେଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ରାଜଭବନ ନିକଟ ଆଇଓସିଏଲ ପେଟ୍ରୋଲ ପମ୍ପରେ ଗତକାଲି ହୋଇଥିବା ଏହି ଅଘଟଣରେ ପୁରା ପେଟ୍ରୋଲ ପମ୍ପ ଛାରଖାର ହୋଇଯାଇଛି। ପ୍ରାୟ ଅଧ କିଲୋମିଟର ପରିଧିରେ ଥିବା ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିଲା । ଏପରିକି ରାଜଭବନର କିଛି ଝରକା ମଧ୍ୟ ଭାଙ୍ଗି ଯାଇଥିଲା। ଏଥିଯୋଗୁ ଲୋକେ ଭୟଭୀତ ହୋଇ ଯାଇଥିବା ବେଳେ ଏଜି ଛକରୁ ଗଭର୍ଣ୍ଣର ହାଉସ ଛକ ରାସ୍ତାକୁ ସିଲ କରି ଦିଆଯାଇଥିଲା। ଏଥିରେ ଦୁଇ ଆହତ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ଗୁରୁବାର କଟକ ଏସସିବି ମେଡିକାଲରେ ମୃତ୍ୟୁ ଘଟିଛି।