ଭାଜପା, ବିଜେଡି ପାଇଁ ସମ୍ମାନର ପ୍ରଶ୍ନ

କେନ୍ଦ୍ରାପଡ଼ା ଅଫିସ, ୧୦ା୨: କେନ୍ଦ୍ରାପଡ଼ା ବ୍ଲକ ୬ ନଂ. ଜୋନ୍‌ରେ ଆସନ୍ତା ୨୨ରେ ନିର୍ବାଚନ ହେବ। ପ୍ରାର୍ଥୀମାନଙ୍କ ପ୍ରଚାର ଦିନକୁ ଦିନ ଜୋରଦାର ହୋଇଛି। କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଏହି ଜୋନ୍‌ ଉଭୟ ଶାସକ ବିଜେଡି ଓ ଭାଜପା ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଦଳୀୟ ଅସନ୍ତୋଷ ଭୋଟ ବିଭାଜନର କାରଣ ହେବ। ଏଥିରେ କଂଗ୍ରେସକୁ ଫାଇଦା ମିଳିପାରେ ବୋଲି ରାଜନୈତିକ ବ୍ୟକ୍ତିଙ୍କ ମହଲରେ ଆଲୋଚନା ହେଉଛି।

୬ନଂ.ଜୋନ୍‌ ଅଧୀନ ଭାଗବତପୁର ପଞ୍ଚାୟତର ୧୭ ୱାର୍ଡରେ ୪୫୮୪ ଭୋଟର ଅଛନ୍ତି । ସେହିପରି ଚକ୍ରୋଡ଼ା ପଞ୍ଚାୟତର ୧୮ ୱାର୍ଡରେ ୬୪୨୭, ଗୁଲନଗର ପଞ୍ଚାୟତର ୧୨ ୱାର୍ଡରେ ୩୫୮୦, ଯମଧର ପଞ୍ଚାୟତର ୨୦ ୱାର୍ଡରେ ୬୩୭୬ ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତର ୨୦ ୱାର୍ଡର ୬୭୩୬ ଭୋଟର ଚଳିତ ନିର୍ବାଚନରେ ମତଦାନ କରିବେ । ଏହି ଜୋନ୍‌ରେ ବିଜେଡିରୁ ନିର୍ମଳା ମହାନ୍ତି, ଭାଜପାରୁ ସଙ୍ଗୀତା ରାଉତ, କଂଗ୍ରେସରୁ ସସ୍ମିତା ପଣ୍ଡା ଓ ସ୍ବାଧୀନ ପ୍ରାର୍ଥୀ ଭାବେ ରଶ୍ମିତା ଦାସ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ରାଜନୈତିକ ବିଶେଷଜ୍ଞ ଅମରବର ବିଶ୍ୱାଳ, ମୀର୍‌ ଅବୁ ଓବେଦା, ବିଜୟ କୁମାର ପରିଡ଼ା ପ୍ରମୁଖ କହିଛନ୍ତି, ଆଞ୍ଚଳିକ ସମସ୍ୟା ସହ ଦଳୀୟ କନ୍ଦଳ ଏହି ଜୋନ୍‌ର ଭୋଟ ଫଳାଫଳକୁ ପ୍ରଭାବିତ କରିବ । କେନ୍ଦ୍ରାପଡ଼ା ବ୍ଲକର ଗୁଲନଗର ପଞ୍ଚାୟତ ସହର ମଧ୍ୟରେ ଅଛି । ଏହି ପଞ୍ଚାୟତବାସୀ ପୌରାଞ୍ଚଳରେ ସାମିଲ ହେବା ପାଇଁ ଦୀର୍ଘଦିନ ହେବ ଅପେକ୍ଷା କରିଛନ୍ତି । ଏବେ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଘୋଷଣା କରିଥିବା ବେଳେ ପୌରାଞ୍ଚଳ ସୀମା ନିର୍ଦ୍ଧାରଣ ସମସ୍ୟା ଅଟକି ରହିଛି । ଏହା ବ୍ୟତୀତ ପ୍ରତ୍ୟେକ ପଞ୍ଚାୟତରେ ପାନୀୟ ଜଳ, ରାସ୍ତା, କ୍ଷେତକୁ ଜଳ ପରିଚାଳନା ସମସ୍ୟା ରହିଛି । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହି ଜୋନ୍‌ରୁ ଭାଜପାର ଦେବାଶିଷ ଦାସ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ଏଥିରେ ବିଜେଡି ପ୍ରାର୍ଥୀ ପ୍ରଦୀପ୍ତ ମହାନ୍ତି ପରାସ୍ତ ହୋଇଥିଲେ। ଚଳିତ ବର୍ଷ ଏହି ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇଥିବାରୁ ଦେବାଶିଷଙ୍କ ସ୍ତ୍ରୀ ରଶ୍ମିତା ଓ ପ୍ରଦୀପ୍ତଙ୍କ ସ୍ତ୍ରୀ ନିର୍ମଳା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ଏଠାରେ ଭାଜପା ପକ୍ଷରୁ ସଙ୍ଗୀତାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ବିଦ୍ରୋହୀ ପ୍ରାର୍ଥୀ ରଶ୍ମିତା ଓ ସ୍ବାମୀ ଦେବାଶିଷଙ୍କୁ ଭାଜପାରୁ ନିଲମ୍ବିତ କରାଯାଇଛି। ଅପରପକ୍ଷେ ରାଜନୀତି କ୍ଷେତ୍ରରେ ପ୍ରାଧାନ୍ୟ ଥିବା ପ୍ରଦୀପ୍ତ ଓ ସ୍ତ୍ରୀ ନିର୍ମଳାଙ୍କ ବିରୋଧରେ ବିଜେଡିର ଭକ୍ତିମୟୀ କର ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ପରେ ଭକ୍ତିମୟୀଙ୍କ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ହୋଇଥିଲେ ମଧ୍ୟ ଦଳୀୟ ବିଶୃଙ୍ଖଳା ବାରି ହୋଇପଡୁଛି। ଭାଜପା ଓ ବିଜେଡିର ଏହି ଦଳୀୟ କନ୍ଦଳ ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ସସ୍ମିତାଙ୍କ ପ୍ରଚାର ଜୋର ଧରିଛି। ଏହି ଜୋନ୍‌ର ଅଧିକାଂଶ ପଞ୍ଚାୟତରେ ପୂର୍ବ ନିର୍ବାଚନରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଜିତିଛନ୍ତି। ଚଳିତ ଥର ମଧ୍ୟ ତାହା ଲକ୍ଷ୍ୟ କରାଯାଉଛି । ଯାହାର ଫାଇଦା ଜୋନ୍‌ ସଭ୍ୟ ପ୍ରାର୍ଥୀ ପାଇପାରିବେ ବୋଲି ରାଜନୈତକି ବିଶ୍ଳେଷକମାନେ ମତ ଦେଇଛନ୍ତି।