ଭୋଟ ଗଣତି ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ରାଜ୍ୟ ନିର୍ବାଚନ କମିଶନ ପକ୍ଷଭୁକ୍ତ ହୋଇ ଶାସକ ଦଳକୁ ଜିତାଇବାର ନୂଆ ଫନ୍ଦି କରିଛନ୍ତି। ଏହା ପଞ୍ଚାୟତ ଆଇନର ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି। ଶାସକ ଦଳ ବ୍ୟତୀତ ଅନ୍ୟ ସମସ୍ତ ରାଜନୈତିକ ଦଳର ଆଢ଼ୁଆଳରେ ଉଦ୍ଦେଶ୍ୟମୂଳକ ଭାବେ ରାଜ୍ୟ ନିର୍ବାଚନ କମିଶନ ଗଳାବାଟ ସୃଷ୍ଟି କରିଛନ୍ତି ବୋଲି ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସମୀର କହିଛନ୍ତି, ବିଜେଡି ସପକ୍ଷରେ ରାଜ୍ୟ ନିର୍ବାଚନ କମିଶନ ମେଜିସିଆନ ସାଜି ଚକ୍ଷୁବନ୍ଧନ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ଶେଷ ହୋଇଛି। ଭୋଟ ଗଣତି ପ୍ରକ୍ରିୟାକୁ ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ହେବା ନିହାତି ଆବଶ୍ୟକ ଏବଂ ନିର୍ବାଚନ କମିଶନଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ। ଭୋଟଦାନ ଶେଷ ହେବା ପରେ ନିୟମ ମୁତାବକ ଭୋଟଦାନ ସମ୍ପର୍କରେ ବିସ୍ତୃତ ସୂଚନାକୁ ଫର୍ମ-୧୧ ଜରିଆରେ ପ୍ରଦାନ କରିବା କଥା। କିନ୍ତୁ ତାହା ନ କରି ସାଦା କାଗଜରେ ଲିଖିତ ଦେଇଛନ୍ତି , ଯାହାର କୌଣସି ମୂଲ୍ୟ ନାହିଁ। ନିର୍ବାଚନ ସମୟରେ ଏବଂ ଷ୍ଟ୍ରଙ୍ଗ୍‌ରୁମ୍‌ରେ ହେବାକୁ ଥିବା ହେରାଫେରିକୁ ଆଇନଗତ ସିଦ୍ଧ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଅପଚେଷ୍ଟା କରିଛନ୍ତି ବୋଲି ସେ ଅଭିଯୋଗ କରିବା ସହ ଏକ ପ୍ରତିନିଧି ମଣ୍ଡଳୀ ସହିତ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଛନ୍ତି।
ଅନ୍ୟପଟେ ବିଜେଡି ନେତ୍ରୀ ସୁଲତା ଦେଓ କହିଛନ୍ତି, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଡ଼ ବ୍ୟବଧାନରେ ପରାଜୟ ଜାଣିବାପରେ ଭାଜପା କର୍ମୀମାନେ ହତାଶ ହୋଇଛନ୍ତି। ଏହି କର୍ମୀଙ୍କ ମନୋବଳ ବଢାଇବା ପାଇଁ ଭାଜପା ନେତାମାନେ ଉଦ୍ୟମ ଚଳାଇଛନ୍ତି। ଭାଜପା ସଭାପତିଙ୍କ ଖବରଦାତା ସମ୍ମିଳନୀ ହତାଶ ହୋଇ ପଡିଥିବା ଦଳୀୟ କର୍ମୀଙ୍କୁ କୌଣସି ପ୍ରକାରେ ଉତ୍ସାହିତ କରିବା ପାଇଁ ଏକ ପ୍ରୟାସ ଥିଲା ବୋଲି ସେ କହିଛନ୍ତି।