ଗଞ୍ଜାମ,୨୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ନିକଟରେ ଅବସ୍ଥିତ ପ୍ରସିଦ୍ଧ ମା’ ଗଙ୍ଗା ଦେବୀଙ୍କ ପୀଠରେ ପବିତ୍ର ଦଶହରା ଅବସରରେ ଯାତ୍ରା ବୁଧବାରଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ମଙ୍ଗଳବାର ବିଳମ୍ବିତ ରାତିରେ ମା’ଙ୍କୁ ବାଦ୍ୟବାଜଣା ବଜାଇ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ପୁଇଁତଳା ଗ୍ରାମରେ ଖଣ୍ଡେଶ୍ୱର ମହାପ୍ରଭୁ, ଓ ବରପଲ୍ଲୀ ଗ୍ରାମ ଠାକୁର ପୁଡ଼ୁକେଶ୍ୱର ମହାପ୍ରଭୁଙ୍କୁ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା ସହ ଦ୍ୱାରଭୋଗ ଖାଇଥିଲେ। ବୁଧବାର ଭୋର୍ରୁ ମା’ ଗଙ୍ଗାଦେବୀ ସହ ଦୁଇ ଠାକୁର ତ୍ରିବେଣୀ ମଠ ଛକଠାରେ ଏକତ୍ରିତ ହେବା ପରେ ମହାମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ସେଠାରୁ ସମସ୍ତେ ପୁଣ୍ୟତୋୟା ଋଷିକୁଲ୍ୟା ନଦୀକୁ ସ୍ନାନ ପାଇଁ ଶୋଭାଯାତ୍ରାରେ ଯାଇଥିଲେ। ସେଠାରେ ପରମ୍ପରା ଅନୁଯାୟୀ ଠାକୁରାଣୀ, ଠାକୁରଙ୍କୁ ସ୍ନାନ କରାଯାଇଥିଲା। ମା’ ଗଙ୍ଗାଦେବୀଙ୍କ ସମେତ ସମସ୍ତ ଠାକୁର ଶୋଭାଯାତ୍ରାରେ ଗଞ୍ଜାମ ବଜାର ପରିକ୍ରମା କରି ନିଜନିଜ ମନ୍ଦିରକୁ ଫେରିଥିଲେ। ମା’ ଗଙ୍ଗାଦେବୀ ଫେରିବା ପରେ ଯାତ୍ରା ଆରମ୍ଭ ହୋଇଥିଲା। ଦିନରେ ସଂସ୍କୃତିକ କାର୍ଯ୍ୟକ୍ରମ ସ୍ବରୂପ ଦୁଇଟି ଭାରତ ଲୀଳା, ସନ୍ଧ୍ୟାରେ ଦୁଇଟି ରାମାୟଣ ନାଟକ ପରିବେଷଣ ହୋଇଛି। ଏହି ଯାତ୍ରାକୁ ପୁରୁଣା ବନ୍ଧ ଗ୍ରାମ ସମେତ ପାଳିବନ୍ଦ ପଞ୍ଚାୟତର ସମସ୍ତ ଗ୍ରାମ ସହଯୋଗ କରୁଛନ୍ତି। ବିଭିନ୍ନ ଅଞ୍ଚଳରୁ ବହୁ ଲୋକ ଯାତ୍ରାରେ ସମାଗମ ହେଉଥିବା ଜଣାପଡ଼ିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ଉତ୍ସବ ମୁଖର ହୋଇଛି।