ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ମତଦାନ କେନ୍ଦ୍ରକୁ ନ ଆସି ଘରୁ ନିଜ ମନ ପସନ୍ଦର ନେତା ବାଛିଛନ୍ତି। ୪ଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ‘ଘରୁ ମତଦାନ’ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ସାଧାରଣ ନିର୍ବାଚନରେ ୮୫ବର୍ଷ ବୟସରୁ ଊର୍ଦ୍ଧ୍ୱ ବରିଷ୍ଠ ମତଦାତା ଏବଂ ୪୦ ପ୍ରତିଶତରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ହୋମ୍‌ ଭୋଟିଂ ବ୍ୟବସ୍ଥା କରିବା ପାଇଁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ଏହା ଆରମ୍ଭ ହୋଇଛି । ଏହି କ୍ରମରେ କୋରାପୁଟ ଜିଲାର ୫ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ନାଗରିକଙ୍କ ପାଇଁ ଆରମ୍ଭ ହୋଇଛି ହୋମ୍‌ ଭୋଟିଂ ।

ପୋଲିସ ଅଫିସରଙ୍କ ସହ ପୋଲିଂ ପାର୍ଟି, ମାଇକ୍ରୋ ଅବଜର୍ବଭର, ଏଜେଣ୍ଟ ଓ ଇଭିଏମ୍‌ କମିଶନିଂ ଅଫିସର ଘର ଘର ବୁଲି ଭୋଟ ସଂଗ୍ରହ କରିଛନ୍ତି । ଏହି ପ୍ରକ୍ରିୟାରେ ବି. ଅନ୍ନପୂର୍ଣ୍ଣା ନାମ୍ନୀ ୧୦୩ ବର୍ଷୀୟା ମହିଳା ସାମିଲ ହୋଇଛନ୍ତି । ଜଣେ ଭୋଟର ଯଦି ପ୍ରଥମ ଥରରେ ମତଦାନ ସାବ୍ୟସ୍ତ କରି ନ ପାରେ ତେବେ ତାଙ୍କୁ ଦ୍ବିତୀୟ ଥର ମତଦାନ କରିବାକୁ ସୁଯୋଗ ଦିଆଯିବ ବୋଲି କୋରାପୁଟ ଜିଲାପାଳ ଭି.କୀର୍ତ୍ତି. ଭାସନ କହିଛନ୍ତି ।

ଜଲାରେ ରବିବାର ସୁଦ୍ଧା ୮୫ଜଣ ବରିଷ୍ଠ ନାଗରିକ ଓ ୪୭ଜଣ ଭିନ୍ନକ୍ଷମ ଏହି ସେବା ପାଇବାକୁ ଫର୍ମ ଦାଖଲ କରିଥିବା ଜିଲା ପ୍ରଶାସନ ପକ୍ଷରୁ ଜଣାଯାଇଛି। ଯେଉଁମାନେ ଚାହିଁବେ ସେମାନେ ଫର୍ମ ପୂରଣ କରି ଏହି ସେବା ପାଇପାରିବେ । ଏହାସହ ପୋଷ୍ଟାଲ ଭୋଟ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲାର କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀ, ସୁରକ୍ଷା କର୍ମଚାରୀ, ସର୍ଭିସ ଭୋଟର, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଏହି ପ୍ରକ୍ରିୟା ଅନୁସାରେ ମତଦାନ ସାବ୍ୟସ୍ତ କରିପାରିବେ।