ପିଜିଟି ପଦବୀ ପୂରଣ ପାଇଁ ତ୍ୱରାନ୍ବିତ ହେଲା ପ୍ରକ୍ରିୟା

ଭୁବନେଶ୍ବର,୧୬ା୧୨(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷାମଭ ବିଭାଗ ତରଫରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ସ୍ନାତକୋତ୍ତର (ପିଜିଟି) ପଦବୀଗୁଡ଼ିକ ପୂରଣ କରିବା ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ବିତ କରାଯାଇଛି। ଏହା ମଧ୍ୟରେ ୩୩୫ ଜଣ ପିଜିଟିଙ୍କୁ ନିଯୁକ୍ତି ପ୍ରଦାନ କାର୍ଯ୍ୟ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ସମ୍ପାଦିତ ହୋଇଯାଇଛି। ଏଥି ମଧ୍ୟରେ ୧୪ଟି ବିଷୟରେ ୧୦୭ ଜଣ ପ୍ରାର୍ଥୀ ଓପିଏସ୍‌ସି ଦ୍ୱାରା ମନୋନୀତ ହୋଇଛନ୍ତି ା ତନ୍ମଧ୍ୟରୁ ୭୧ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ୩୬ ଜଣ ପିଜିଟିଙ୍କର ନିଯୁକ୍ତି ବିଷୟକୁ ସରକାରଙ୍କ ଅନୁମୋଦନ ନିମନ୍ତେ ପ୍ରେରଣ କରାଯାଇଛି। ଓପିଏସ୍‌ସି ଦ୍ୱାରା ୨୨୮ ଜଣ ପିଜିଟିଙ୍କ ନିଯୁକ୍ତି ନିମନ୍ତେ ଚୟନ ପ୍ରକ୍ରିୟା ଜାରି ରହିଛି। ଏତଦ୍‌ବ୍ୟତୀତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩୬୭ଟି ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ୫୫୫ଟି ଖାଲିଥିବା ପିଜିଟି ପଦବୀ ପୂରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି।