ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଆଜିଠାରୁ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମଲେଖା ପାଇଁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା। କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତି ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରୁଛନ୍ତି ଛାତ୍ରୀଛାତ୍ର। ଏଥିପାଇଁ www.samsodisha.gov.in ଜରିଆରେ ଛାତ୍ରୀଛାତ୍ରଙ୍କ ପାଇଁ ଆବେଦନ ସୁବିଧା ରହିଛି। ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଆବେଦନର ଶେଷ ତାରିଖ ରହିଛି।

ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ହେଲେ ଛାତ୍ରୀଛାତ୍ରଙ୍କ ମୋବାଇଲ ନମ୍ବରକୁ ସାମ୍ସ ପୋର୍ଟାଲରେ ପଞ୍ଜୀକରଣ କରିବେ। କାରଣ ନାମଲେଖା ସମ୍ପର୍କିତ ସମସ୍ତ ସୂଚନା ପଞ୍ଜୀକୃତ ମୋବାଇଲ ନମ୍ବରକୁ ଯିବ । କଲେଜ ଚୟନ ପୂର୍ବରୁ ନାମଲେଖା ଫି’ ଯାଞ୍ଚ କରିବାକୁ କୁହାଯାଇଛି ।

ଆବେଦନ ପ୍ରକ୍ରିୟା ସରିବା ପରେ ସେପ୍ଟେମ୍ବର ୧୩ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ। ସେପ୍ଟେମ୍ବର ୧୪ରୁ ୨୧ ତାରିଖ ଭିତରେ ନାମଲେଖା ହେବ। ସେପ୍ଟେମ୍ବର ୨୭ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ବାହାରିବା ପରେ ଏଥିପାଇଁ ୨୯ ତାରିଖରୁ ଅକ୍ଟୋବର ୧ ଯାଏ ଆଡମିଶନ ହେବ।

ଅକ୍ଟୋବର ୪ରେ ସ୍ପଟ୍‌ ନାମଲେଖା ତାଲିକା ପ୍ରକାଶ ପାଇବ । ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ଟୋଲ୍‌ ଫ୍ରି ନମ୍ବର ୧୮୦୦-୩୪୫-୬୭୭୦ ଜାରି କରାଯାଇଛି । ଚଳିତବର୍ଷ ମାଟ୍ରିକରେ ପାସ୍‌ ହାର ଅଧିକ ରହିଥିବାରୁ ରାଜ୍ୟ ସରକାର କଲେଜଗୁଡ଼ିକରେ ଭିତ୍ତିଭୂମି ଅନୁସାରେ ପ୍ରାୟ ୫୫ ହଜାର ସିଟ୍‌ ବଢ଼ାଇଛନ୍ତି ।