ବାଧୁଛି କିରୋସିନ ଦର

ଶୁଭାଶିଷ ପାଢ଼ୀ
ସମ୍ବଲପୁର,୬।୧୧(ବ୍ୟୁରୋ): ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ସହ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କୁ ଅଡୁଆରେ ପକାଇଛି। ବିଭିନ୍ନ ରାଜନୈତିକ ଦଳ ଏହା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ସାଧାରଣ ଖାଉଟିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏପରିସ୍ଥଳେ କେନ୍ଦ୍ର ପେଟ୍ରୋଲରୁ ୫ ଓ ଡିଜେଲରୁ ୧୦ଟଙ୍କା ଟିକସ ହ୍ରାସ କରିଛି। ରାଜ୍ୟ ସରକାର ମଧ୍ୟ ୩ ଟଙ୍କାର ଭାଟ୍‌ ହ୍ରାସ କରିଛନ୍ତି। ହେଲେ ପିଡିଏସ୍‌ ମାଧ୍ୟମରେ ବଣ୍ଟନ ହେଉଥିବା କିରୋସିନ ଦର ୭ ଟଙ୍କା ୪୨ ପଇସା ବୃଦ୍ଧି କରାଯାଇଛି। ନଭେମ୍ବର ପହିଲାରୁ ଏହି ଦର ଲାଗୁ ହୋଇଛି। ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ହିତାଧିକାରୀ ନଭେମ୍ବର ଓ ଡିସେମ୍ବର ମାସର କିରୋସିନ ଏହି ଦରରେ କିଣିବେ। ଏହା ଦ୍ୱାରା ସମଗ୍ର ରାଜ୍ୟରେ ପ୍ରାୟ ୮୦ ଲକ୍ଷ ଓ ସମ୍ବଲପୁର ଜିଲାରେ ୨ ଲକ୍ଷ ୨୪ ହଜାର ୨୩୬ ଜଣ ହିତାଧିକାରୀ ପ୍ରଭାବିତ ହେବେ। ଏହା ସିଧାସଳଖ ଗରିବ ପରିବାର ଉପରେ ଆର୍ଥତ୍କ ବୋଝ ବୋଲି ଆଲୋଚନା ହେଉଛି। ଦର ବୃଦ୍ଧି ସାଙ୍ଗକୁ ସରକାର ହିତାଧିକାରୀଙ୍କ କିରୋସିନ କୋଟାରେ ମଧ୍ୟ ହ୍ରାସ କରିଛନ୍ତି। ଜଣେ ହିତାଧିକାରୀଙ୍କୁ ଗୋଟିଏ ମାସରେ ୧ ଲିଟରରୁ ଦେଢ ଲିଟର ପର୍ଯ୍ୟନ୍ତ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହା ପୂର୍ବରୁ ୪ରୁ ୫ ଲିଟର ପର୍ଯ୍ୟନ୍ତ ରହିଥିଲା।
ଏହି ଦରବୃଦ୍ଧି ଯୋଗୁ ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯୁଯୁମୁରାର ହିତାଧିକାରୀ ସୁମି ଭୋଇ କହିଛନ୍ତି, ପୂର୍ବରୁ କିରୋସିନ ପରିମାଣ ଅଧିକ ଓ ଦର କମ୍‌ ଥିବାବେଳେ ଏବେ ପରିମାଣ କମ୍‌ ଓ ଦର ଅଧିକ କରାଯାଇଛି। ଆର୍ଥତ୍କ ଅନଟନରେ ଚଳୁଥିବା ପରିବାର କମ୍‌ ପରିମାଣର କିରୋସିନ ନେବାକୁ ଅମଙ୍ଗ ହେବେ। ଫଳରେ କିରୋସିନ କଳାବଜାର ବଢିବ। ଗରିବଙ୍କ ପାଇଁ ଆସୁଥିବା ସାମଗ୍ରୀ ଏଲ୍‌-୨ କଣ୍ଟ୍ରାକ୍ଟର ଓ ଡିଲରଙ୍କ ମଧୁଚନ୍ଦ୍ରିକାରେ ହରିଲୁଟ୍‌ ହେବ। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ କହିଛନ୍ତି, କିରୋସିନ ୭ ଟଙ୍କା ୪୨ ପଇସା ବୃଦ୍ଧି ପାଇଛି। ସରକାର ସବ୍‌ସିଡି ଦେଲା ପରେ ଏହି ଦର ନିର୍ଦ୍ଧାରଣ କରାଯାଇଛି। ହିତାଧିକାରୀଙ୍କୁ ସମସ୍ୟା ହୋଇପାରେ। ହେଲେ ଏବେ ୨ମାସ ପାଇଁ ଦର ବୃଦ୍ଧି କରାଯାଉଛି। ଏଥିରେ କିରୋସିନ ଦର ସହିତ ଭଡ଼ା ବାବଦକୁ ୪୩ ପଇସା ରହିଛି। ଆଗକୁ ଦର କମିପାରେ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ଜିଲାରେ ଏନ୍‌ଏଫ୍‌ଏସ୍‌ଏ ଓ ଏସ୍‌ଏଫ୍‌ଏସ୍‌ଏରେ ମୋଟ ୨ ଲକ୍ଷ ୨୪ ହଜାର ୨୩୬ ହିତାଧିକାରୀ ରହିଛନ୍ତି। ପ୍ରତି ମାସରେ ହିତାଧିକାରୀଙ୍କ ପାଇଁ ୩ ଲକ୍ଷ ୯ ହଜାର ଲିଟର କିରୋସିନ କୋଟା ରହିଛି। ୮ ଜଣ ଏଲ-୨ କଣ୍ଟ୍ରାକ୍ଟର ଜରିଆରେ କିରୋସିନ ଡିଲର ଓ ପଞ୍ଚାୟତ ସ୍ତରରେ ଥିବା ବିକ୍ରୟ କେନ୍ଦ୍ରରେ ପହଞ୍ଚାଯାଇଥାଏ। ମୋଟ ୨୧୮ ଜଣ ଡିଲର ରହିଛନ୍ତି। ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ୨୦୧୯ ଜୁନ ୨୬ରେ କିରୋସିନ ଦର ଲିଟର ପିଛା ୩୪ ଟଙ୍କା ରହିଥିଲା। କୋଭିଡ୍‌ ସମୟରେ ମଧ୍ୟ ଦର ବୃଦ୍ଧି ପାଇଥିଲା। ଗତ କିଛିମାସ ହେଲା ଲିଟର ପିଛା ୩୦ରୁ ୫୦ ପଇସା ବୃଦ୍ଧି ହେଉଥିଲା। ହେଲେ ଏବେ ସିଧାସଳଖ ୭ ଟଙ୍କା ୪୨ ପଇସା ବୃଦ୍ଧି ପାଇଛି।