୧୦ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି

ପୁରୀ ଅଫିସ, ୫ା୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ସେ ୧୦ ତାରିଖରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଶୁକ୍ରବାର ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଅଧ୍ୟକ୍ଷତା କରିଥିବାବେଳେ ଶ୍ରୀମନ୍ଦିର ଉପପ୍ରଶାସକ ତଥା ଜିଲାପାଳ ସମର୍ଥ ବର୍ମା, ଏସ୍‌ପି କନୱର ବିଶାଳ ସିଂଙ୍କ ସମେତ ଛତିଶା ନିଯୋଗ, ନୀତି ସବ୍‌କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଯୋଗଦେଇଥିଲେ। ମୁଖ୍ୟ ପ୍ରଶାସକ ଯାଦବଙ୍କ ସୂଚନା ଅନୁଯାୟୀ, ରାଷ୍ଟ୍ରପତି ୧୦ ତାରିଖ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ମଧ୍ୟରେ ଶ୍ରୀମନ୍ଦିର ଯାଇ ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ସୁରକ୍ଷା ଦୃଷ୍ଟିରୁ ତାଙ୍କ ଦର୍ଶନର ଦେଢ଼ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ପ୍ରାୟ ୧୦ଟା ୩୦ରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରକୁ ଶୋଧ କରାଯିବ। କେବଳ ପାଳିଆ ସେବାୟତମାନେ ଶ୍ରୀମନ୍ଦିର ପରିସରରେ ଉପସ୍ଥିତ ରହିବେ। ସେହିପରି ରାଷ୍ଟ୍ରପତି ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ରାଷ୍ଟ୍ରପତିଙ୍କ ଉକ୍ତ ଦିନର ମିନିଟ-ଟୁ-ମିନିଟ୍‌ କାର୍ଯ୍ୟସୂଚୀ ଆସିନାହିଁ। ତେଣୁ ସେ କେଉଁ ସ୍ଥାନରେ ମହାପ୍ରସାଦ ସେବନ କରିବେ ସେ ନେଇ ସୂଚନା ମିଳିନାହିଁ। ରାଷ୍ଟ୍ରପତି ଦର୍ଶନ ସାରି ଫେରିବା ପରେ ପୁଣିଥରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଯାଦବ କହିଛନ୍ତି। ସିଂହଦ୍ୱାର ନିକଟସ୍ଥ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ରାଷ୍ଟ୍ରପତି ମାଲ୍ୟାର୍ପଣ କରିବେ ବୋଲି ଜଣାପଡ଼ିଛି।