ଦିଗପହଣ୍ଡି,୧ା୮(ଅଶେଷ ନାଥ ମିଶ୍ର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ତାରିଖ ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ଣ ପ୍ରସବଣ ତପ୍ତପାଣି ପରିଦର୍ଶନ କରିବା ସହ ସେଠାରେ ବିରାଜିତ ମା ’ କନ୍ଧୁଣୀ ଦେବୀଙ୍କୁ ପୂଜାର୍ଚ୍ଚନା କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଶନିବାର ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ଏସ୍ପି ଡା. ଶ୍ରବଣା ବିବେକ ଏମ୍ , ଗଞ୍ଜାମ ଏସ୍ପି ହରିଶ ବି.ସି,ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାର ଏବଂ ସାନଖେମୁଣ୍ଡି ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକଙ୍କ ସମେତ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ ବୃନ୍ଦ ତପ୍ତପାଣି ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ଫେରିଥିବା ଜଣାପଡ଼ିଛି। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ସେ ବ୍ରହ୍ମପୁର ରେଲଓ୍ବେ ଷ୍ଟେଶନରୁ ବାହାରି ୧ ଟାରେ ତପ୍ତପାଣିରେ ପହଞ୍ଚିବେ। ସେଠାରେ ଗନ୍ଧକଯୁକ୍ତ ଗରମପାଣିରେ ସ୍ନାନ କରିବା ପରେ ମା’ କନ୍ଧୁଣୀ ଦେବୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବା ପରେ ପର୍ଯ୍ୟଟନ ବିଭାଗ ପାନ୍ଥ ନିବାସରେ ମଧ୍ୟାହ୍ନ ଭୋଜନ କରିବେ। ସେଠାରୁ ସାଢ଼େ ୩ ଟାରେ ବାହାରି ଦିଗପହଣ୍ଡି ଭାୟା ବ୍ରହ୍ମପୁର ଦେଇ ଗୋପାଳପୁର ନିକଟ ଗୋଳାବନ୍ଧ ଆର୍ମି ଏଡି କଲେଜ ପରିସରରେ ସନ୍ଧ୍ୟା ସାଢ଼େ ୫ ଟାରେ ପହଞ୍ଚି ସେଠାରେ ରାତ୍ରିଯାପନ କରିବା କାର୍ଯ୍ୟକ୍ରମ ରହିଛି। ପୋଲିସ ପ୍ରଶାସନର ସମସ୍ତ ପ୍ରସ୍ତୁତିକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବା ନିମନ୍ତେ ଦାୟିତ୍ୱରେ ଥିବା ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ ପରିଚାଳନା, ପରିମଳ ବ୍ୟବସ୍ଥା, ପାନୀୟଜଳ, ନିରନ୍ତର ବିଦ୍ୟୁତ ବ୍ୟବସ୍ଥା, ଅଗ୍ନିଶମ ସେବା, ଜରୁରୀକାଳିନ ସହାୟତା, ଯାତାୟାତ ପରିଚାଳନା,ରୁଟ୍ ଲାଇନିଂ, ବାରିକେଟ, ଯୋଗାଯୋଗ ବ୍ୟବସ୍ଥା ଓ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରସ୍ତୁତି ନେଇ ଜିଲାପାଳ ସମୀକ୍ଷା କରିଥିଲେ। ସମସ୍ତ ପ୍ରସ୍ତୁତିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ରୁଟିମୁକ୍ତ ଭାବେ ସମ୍ପୂର୍ଣ୍ଣ କରିବାକୁ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ।
ଆସନ୍ତା ୪ ତାରିଖ ମଙ୍ଗଳବାର ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୫ଟା ଯାଏ ଦିଗପହଣ୍ଡିଠାରୁ ତପ୍ତପାଣି ଏବଂ ଗଜପତି ଜିଲା ଲୁହାଗୁଡ଼ି ଛକରୁ ତପ୍ତପାଣି ରାସ୍ତାରେ କୌଣସି ପ୍ରକାରର ଯାନବାହାନ ଚଳାଚଳ ବନ୍ଦ ରହିବା ସହ ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ବିଭିନ୍ନ ଗ୍ରାମ୍ୟ ରାସ୍ତାରୁ ଏହି ରାସ୍ତାକୁ ଗାଡ଼ି ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ। ଏଥିସହ ସେହିଦିନ ଏହି ରାସ୍ତା ଦେଇ ଗଞ୍ଜାମ ଜିଲାରୁ ଗଜପତି-କନ୍ଧମାଳ ଏବଂ ଗଜପତି-କନ୍ଧମାଳରୁ ଗଞ୍ଜାମ ଯାଆସ କରୁଥିବା ଭାରଯାନଗୁଡ଼ିକୁ ଏହି ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଚଳାଚଳ କରିବାକୁ ଅନୁମତି ଦିଆଯିବ ନାହିଁ। ଏହି କଟକଣା ଜରୁରୀକାଳିନ ସେବାରେ ନିୟୋଜିତ ଯାନବାହନ ପାଇଁ ଲାଗୁହେବ ନାହିଁ। ବ୍ୟବସ୍ଥା ଜନଜାତି ସମ୍ପ୍ରଦାୟଙ୍କ ଆସ୍ଥା ବିଶ୍ୱାସ ଓ ପରମ୍ପରାର ପ୍ରତୀକ ଭାବେ ପୂଜା ପାଉଥିବା ମା’ କନ୍ଧୁଣୀ ଦେବୀଙ୍କ ଆସ୍ଥାନ ତଥା ପ୍ରକୃତିଦତ୍ତ ଆରୋଗ୍ୟ କ୍ଷେତ୍ର ତପ୍ତପାଣି ଉଷ୍ଣ ପ୍ରସବଣ ପର୍ଯ୍ୟଟନ କ୍ଷେତ୍ରର ପାରିପାଶର୍ବିକ ଭିତ୍ତିଭୂମିର ବିକାଶ ସହ ଜନଜାତି ଲୋକଙ୍କ ଅର୍ଥନୈତିକ ବିକାଶ ପାଇଁ ରାଜ୍ୟ ସରକାର ୧୨ କୋଟି ଟଙ୍କା ପ୍ରଦାନ କରିଛନ୍ତି।
ପୂର୍ବରୁ ରାଜ୍ୟ ସରକାର ତପ୍ତପାଣି ଉଷ୍ଣ ପ୍ରସବଣ ପର୍ଯ୍ୟଟନ କ୍ଷେତ୍ରକୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ସହ ଦକ୍ଷିଣ ଓଡ଼ିଶାର ପ୍ରବେଶ ଦ୍ୱାର ତପ୍ତପାଣିଠାରୁ ଜିରାଙ୍ଗ ବୌଦ୍ଧ କ୍ଷେତ୍ର, ମହେନ୍ଦ୍ରଗିରି, ରାୟଗଡ଼ା, କୋରାପୁଟ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅନୁଦାନ ଯୋଗାଇ ଦେଇଛନ୍ତି। ଗତ ୨୦୨୫ ନଭେମ୍ବର ୧୭ରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତପ୍ତପାଣି ଉଷ୍ଣ ପ୍ରସବଣ ପର୍ଯ୍ୟଟନ କ୍ଷେତ୍ରର ପାରିପାର୍ଶ୍ୱିକ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତପ୍ତପାଣି ଅଞ୍ଚଳର ପ୍ରାକୃତିକ ସବୁଜିମାର ସୁରକ୍ଷା ସହ ନେଚରଥେରାପି ବା ପ୍ରାକୃତିକ ରୋଗ ଉପଚାର ପାଇଁ ବ୍ୟାପକ ବେଲବଣ ସୃଷ୍ଟି କରାଯାଇ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।