ଭାବବିହ୍ବଳ ହେଲେ ରାଷ୍ଟ୍ରପତି

ବାରିପଦା ଅଫିସ,୫ା୫: ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଗୁରୁବାର ପ୍ରଥମ ଥର ପାଇଁ ଜନ୍ମ ମାଟିକୁ ଆସିଥିବା ଦ୍ରୌପଦୀ ମୁର୍ମୁ ଭାବବିହ୍ବଳ ହୋଇ ପଡ଼ିଥିଲେ। ପିଲା ଦିନର କଥା ମନେ ପକାଇ ମା’, ବାପା ବେଶୀ ପାଠ ପଢ଼ି ନ ଥିଲେ ମଧ୍ୟ ପାଠର ଗୁରୁତ୍ୱ ବୁଝି ତାଙ୍କୁ ପଢ଼ି ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇ ଚାଲିଥିଲେ ବୋଲି କହିଥିଲେ। ଜନ୍ମ ମାଟିର ଋଣ ଶୁଝିବାକୁ କେତେ ସମୟ ଲାଗିବ ମୁଁ ଜାଣିନି, ହେଲେ ଏହି ମାଟି ନିକଟରେ ମୁଁ ଚିରଋଣୀ। ମୋ ସୁଖରେ ଆପଣମାନେ ଖୁସି ହୋଇଛନ୍ତି, ମୋ ଦୁଃଖରେ ଆପଣମାନେ ଦୁୁଃଖୀ ହୋଇଛନ୍ତି। ମଁୁ ଆଜି ଯେଉଁ ସ୍ତରରେ ପହଞ୍ଚତ୍ଛି କେବଳ ଏହି ମାଟି ପାଇଁ ବୋଲି ରାଇରଙ୍ଗପୁରଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ରାଷ୍ଟ୍ରପତି କହିଥିଲେ।

ପ୍ରୋଟୋକଲ ଭାଙ୍ଗିଲେ, ଚକୋଲେଟ ବାଣ୍ଟିଲେ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବାହ୍ନ ୧୦ଟା୨୫ରେ ବାଦାମପାହାଡ଼ସ୍ଥିତ ଦିଘିଆବେଡ଼ା ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ। ତାଙ୍କୁ ଦେଖିବା ପାଇଁ ସେଠାରେ ହଜାର ହଜାର ଜନ ସାଧାରଣ ଭିଡ଼ ଜମାଇଥିଲେ। ରାଷ୍ଟ୍ରପତି ପ୍ରୋଟୋକଲ ଭାଙ୍ଗି ଉପସ୍ଥିତ ଜନତାଙ୍କ ପାଖକୁ ଯାଇ କରମର୍ଦ୍ଦନ କରିଥିଲେ। ସେଠାରେ ଉପସ୍ଥିତ କୁନି କୁନି ପିଲାମାନଙ୍କୁ ଚକଲେଟ ଦେଇଥିଲେ।

ବାଲୁକା ଶିଳ୍ପୀ ଭେଟି ଦେଲେ ଧାନର ମନ୍ଦିର
ରାଷ୍ଟ୍ରପତିଙ୍କୁ ପାହାଡ଼ପୁର ଅଞ୍ଚଳର ଜଣେ ବାଲୁକା ଶିଳ୍ପୀ ଧାନର ଏକ ମନ୍ଦିର ଉପହାର ଦେଇଥିଲେ। ପୁରୀରୁ ସେ ଏହି ଧାନ ମନ୍ଦିର ଆଣି ଏସ୍‌ଏଲ୍‌ଏସ୍‌ ସ୍କୁଲ ପରିସରରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ।

ବାସଭବନରେ ରାତ୍ରିଯାପନ
ପ୍ରଥମ ଦିନର କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ରାଇରଙ୍ଗପୁରର ମହୁଲଡିହାସ୍ଥିତ ବାସଭବନରେ ରାତ୍ରିଯାପନ କରିଛନ୍ତି। ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୂର୍ବରୁ ଡାକବଙ୍ଗଳାରେ ରହିବା ପାଇଁ ସ୍ଥିର ହୋଇଥିବା ବେଳେ ରାଷ୍ଟ୍ରପତି ନିଜ ଘରେ ରାତ୍ରିଯାପନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ଜାହିରା ସ୍ଥଳରେ ପୂଜାର୍ଚ୍ଚନା:

ପାହାଡ଼ପୁରସ୍ଥିତ ଆଦିବାସୀଙ୍କ ପୂଜାସ୍ଥଳ ଗୋଷାଣି(ଜାହିରା)କୁ ଯାଇ ଆଣ୍ଠୁମାଡ଼ି ପୂଜାର୍ଚ୍ଚନା ସହ ପ୍ରଣାମ କରିଥିଲେ। ପୂର୍ବରୁ ସେ ଝାଡ଼ଖଣ୍ଡ ରାଜ୍ୟପାଳ ଥିବା ସମୟରେ ଗୋଷାଣୀକୁ ଆସି ପୂଜା କରିଥିଲେ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଗସ୍ତରେ ଆସି ସାନ୍ତାଳୀ ସମ୍ପ୍ରଦାୟର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ମାଝୀ ପରଗାନା ବାବା ପୂଜା ନୀତି ସମ୍ପନ୍ନ କରାଇଥିଲେ।
ଆଜି ବୁଲିବେ ଶିମିଳିପାଳ
୩ ଦିନିଆ ଗସ୍ତର ଦ୍ୱିତୀୟ ଦିବସ ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଅଭୟାରଣ୍ୟ ବୁଲିବାକୁ ଯିବାର କାର୍ଯ୍ୟକ୍ରମ ରହିଛି। ହେଲିକପ୍ଟର ଯୋଗେ ଯଶିପୁର ନିକଟସ୍ଥ ଛେଳିଗୋଦଳିଠାରେ ଅବତରଣ କରି ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ବୁଲିବାକୁ ଯିବେ। ଚହଲାଠାରେ ମଧ୍ୟାହ୍ନଭୋଜନର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏନେଇ ଶିମିଳିପାଳ ମଧ୍ୟରେ ରାସ୍ତା ମରାମତି କାର୍ଯ୍ୟ କରାଯାଉଛି। ଶିମିଳିପାଳ ଅଭୟାରଣ୍ୟକୁ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଆସୁଥିବାରୁ ଶିମିଳିପାଳ କର୍ତ୍ତୃପକ୍ଷ ତାଙ୍କ ସୁରକ୍ଷା, ଆତିଥ୍ୟ ସେବା ଓ ପରିଦର୍ଶନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଥିବା କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି।