କାନାଡାରେ ହେବ ‘ଅଡିୟୁ ଗୋଦାର୍ଡ’ର ପ୍ରିମିୟର

ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ କାନାଡାରେ ଆରମ୍ଭ ହେବାକୁ ଥିବା ମୋଜାଇକ୍‌ ଇଣ୍ଟରନ୍ୟାଶନାଲ ସାଉଥ ଏସିଆନ ଫିଲ୍ମ ଫେଷ୍ଟିଭାଲ (ଏମ୍‌ଆଇଏସ୍‌ଏଏଫ୍‌ଏଫ୍‌)ରେ ଓଡ଼ିଆ ଫିଚର ଫିଲ୍ମ ‘ଅଡିୟୁ ଗୋଦାର୍ଡ’ର ଉତ୍ତର ଆମେରିକୀୟ ପ୍ରିମିୟର ରିଲିଜ ହେବ। ଜାତୀୟ ପୁରସ୍କାର ପ୍ରାପ୍ତ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଫିଲ୍ମର ଲେଖକ ଏବଂ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି। ସ୍ବସ୍ତିକ ଆର୍ଥହାଉସ୍‌ ବ୍ୟାନରରେ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଛି। ଏହି ସାମାଜିକ-ସାଂସ୍କୃତିକ କମିକ୍‌ ଫିଲ୍ମ ଓଡ଼ିଶାରେ ଶୁଟିଂ ହୋଇଥିବାବେଳେ କିମ୍ବଦନ୍ତୀ ଫ୍ରାନ୍ସ ଚଳଚ୍ଚିତ୍ର ନିର୍ମାତା ଜିନ୍‌-ଲୁକ୍‌ ଗୋଦାର୍ଡଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି। ଭାରତ, ଫ୍ରାନ୍ସ କୋ-ପ୍ରଡକ୍ସନରେ ନିର୍ମିତ ‘ଅଡିୟୁ ଗୋଦାର୍ଡ’ରେ ଚୌଧୁରୀ ବିକାଶ ଦାସ ମୁଖ୍ୟ ଚରିତ୍ରରେ ରହିଛନ୍ତି। ଦୀପନବିତ୍‌ ଦାସମହାପାତ୍ର, ସୁଧାରଶ୍ରୀ ମଧୁସ୍ମିତା, ସ୍ବସ୍ତିକ ଚୌଧୁରୀ, ଚୌଧୁରୀ ଜୟପ୍ରକାଶ ଦାସ, ଶଙ୍କର ବାସୁ ମଲ୍ଲିକ, ଅଭିଷେକ ଗିରି, ଶ୍ୱେତପଦ୍ମା ଶତପଥୀ ଏବଂ ଡ. ବନିକାନ୍ତ ମିଶ୍ର ଅନ୍ୟ ପ୍ରମୁଖ ଭୂମିକାରେ ରହିଛନ୍ତି। ଶୁକ୍ରବାର ଫିଲ୍ମର ଟ୍ରେଲର ରିଲିଜ ହୋଇଛି। କିଶଲୟ ରଏ ଏବଂ ରକ୍‌ ମ୍ୟୁଜିକ୍‌ ଆଇକନ୍‌ ରୂପମ୍‌ ଇସ୍‌ଲାମ୍‌ ଏହି ଫିଲ୍ମ ଜରିଆରେ ସେମାନଙ୍କ ପ୍ରଥମ ଓଡ଼ିଆ ଗୀତ ସଂରଚନା କରିଛନ୍ତି। ଗତ ଏପ୍ରିଲରେ ମସ୍କୋ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ଚଳଚ୍ଚିତ୍ରର ଓ୍ବାଲର୍‌ଡ ପ୍ରିମିୟର ହୋଇଥିଲା।