ମନମୁଖି ଭାବେ ଚାଲିଛି ଡାକଘର, ଅସୁବିଧା ଭୋଗୁଛନ୍ତି ଲୋକେ

ନାଉଗାଁ,୧୩ା୧୨(ସ୍ବ.ପ୍ର):କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ଭାରତୀୟ ଡାକ। ପୂର୍ବରୁ ଡାକ ଘର ମାଧ୍ୟମରେ କେବଳ ଚିଠି ପତ୍ର ଦେବା ନେବା ,ଟଙ୍କା ଜମା ଓ ଉଠାଣ କାର୍ଯ୍ୟ ହେଉଥିଲା। ଏବେ ଡାକ ଘର ଦ୍ୱାରା ବିଭିନ୍ନ କାର୍ଯ୍ୟ କରାଯାଉଛି। ଡାକଘରଗୁଡ଼ିକରେ ଇ-ବ୍ୟାଙ୍କିଂ ସୁବିଧା କରାଯାଇ ସେବା ଯୋଗାଇ ଦିଆଯାଉଛି। ସେହିପରି ଆଧାର ସଂଯୋଗ, ଡାକ ଟିକେଟ ବିକ୍ରି, ବିଭିନ୍ନ ନୂତନ ଯୋଜନାରେ ସଞ୍ଚୟ ଖାତା ଖୋଲିବା ଆଦି ସେବା ଯୋଗାଇ ଦିଆଯାଉଛି। ଡାକ ସେବା ପ୍ରତି ଜନସାଧରାଣଙ୍କ ଆଗ୍ରହବୃଦ୍ଧି କରିବା ପାଇଁ ଜାତୀୟକରଣ ବ୍ୟାଙ୍କଗୁଡିକ ତୁଳନାରେ ଡାକଘରେ ସଞ୍ଚୟ ରାଶି ଉପରେ ସୁଧହାର ବୃଦ୍ଧି ହୋଇଛି। ଏନେଇ ଅଧିକ ଲୋକ ଡାକଘର ଉପରେ ନିର୍ଭର କରୁଥିବାବେଳେ କେତେଜଣ ଡାକ କର୍ମଚାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁ ଗଁା ଲୋକେ ଏହି ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏହାର ଉଦାହରଣ ନାଉଗଁା ବ୍ଲକରେ ଥିବା ଡାକଘରେ ଦେଖିବାକୁ ମିଳିଛି। ଏହି ବ୍ଲକରେ ୩ଟି ଉପ ଡାକଘର ରହିଛି। ନାଉଗଁା ଉପ ଡାକଘର ଅଧୀନରେ ୧୦ଟି ଶାଖା ଡାକଘର, ଅଲଣାହାଟ ଉପଡାକଘର ଅଧୀନରେ ୫ଟି ଶାଖା ଡାକଘର, ଦେବୀଦୋଳ ଉପ ଡାକଘର ଅଧୀନରେ ୪ଟି ଶାଖା ଡାକ ଘର ରହିଛି।
ନିୟମାନୁସାରେ ଡାକଘରଗୁଡ଼ିକ ପ୍ରତ୍ୟହ ୧୦ ରୁ ୧୨ଟା ଓ ଦିବା ୨ ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ବ୍ଲକରେ ଏହି ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଛି। କିଛି ଶାଖା ଡାକ ଘର କେବଳ ୧୧ରୁ ୧୨ଟା ପର୍ଯ୍ୟନ୍ତ ଖୋଲଯାଇ ବନ୍ଦ କରିଦିଆଯାଉଥିବାବେଳେ ଆଉ କିଛି ଡାକଘର ଆଦୌ ଖୋଲାଯାଉ ନାହିଁ। ବିଭାଗ ତରଫରୁ ଠିକ୍‌ଭାବେ ତଦାରଖ କରାଯାଉ ନ ଥିବରୁ ଡାକଘରେ ନିଯୁକ୍ତ ଶାଖା- ପରିଚାଳକ ମନଇଚ୍ଛା ଏହାକୁ ଖୋଲୁଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ଫଳରେ ଲୋକେ ଆଧାର ସଂଯୋଗ, ଟଙ୍କା ଉଠାଣ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବ୍ଲକର ତେଣ୍ଟୋଇ ଶାଖା ଡାକଘର ଆଦୌ ଖୋଲୁ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ଡାକଘର ଶାଖା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ୧୮ ନଭେମ୍ବର ୨୦୨୨ ରୁ ରହିଛନ୍ତି। ସେ ଏଠାରେ ରହିବା ପରଠୁ ମନଇଚ୍ଛା ଡାକଘର ଖୋଲୁଥିବା ନେଇ ଅଭିଯୋଗ ହୋଇଛି। ଏସମ୍ପର୍କରେ ସମ୍ଭବ ସ୍ବାଇଁଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏପ୍ରସଙ୍ଗରେ ଜଗତ୍‌ସିଂହପୁର ଅତିରିକ୍ତ ଡାକ ଅଧିକାରୀ ବ୍ରଜେନ୍ଦ୍ର ହେମ୍ବ୍ରମ କହିଛନ୍ତି, ସେ ଏହି ଏବିଷୟରେ କିଛି ଜାଣି ନାହାନ୍ତି। ଏନେଇ ସେ ସମ୍ପୃକ୍ତ ଡାକ ଘର ପରିଚାଳକଙ୍କ ସହ କଥା ହେବା ପରେ ପରବର୍ତ୍ତୀ ପଦକ୍ଷେପ ନେବେ।