ସ୍ବାଧୀନ ପ୍ରାର୍ଥୀଙ୍କ ହାତକୁ ଗଲା ବ୍ଲକ ଅଧ୍ୟକ୍ଷା ପଦବୀ

କୁତ୍ରା,୧୨ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ କାର୍ଯ୍ୟାଳୟ ପରିସରରେ ଶନିବାର ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିବା ପରେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଅଧ୍ୟକ୍ଷା ପଦ ପାଇଁ ଅଙ୍କକଷା ଚାଲିଥିଲା। ଶେଷରେ ଶାନ୍ତିଶୃଙ୍ଖଳାର ସହିତ ଅନ୍ତ ଘଟିଛି। ବ୍ଲକରେ ୧୬ଟି ପଞ୍ଚାୟତ ରହିଛି। ଏଥିରେ ୧୬ଟି ପଞ୍ଚାୟତର ସମିତିସଭ୍ୟ/ସଭ୍ୟା ଯୋଗ ଦେଇଥିଲେ। ଅଧ୍ୟକ୍ଷା ପଦବୀ ପାଇଁ ଦୁଇ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ।  ସ୍ବାଧୀନ ଭାବରେ ପ୍ରାର୍ଥିପତ୍ର ଦାଖଲ କରିଥିବା ପୁର୍କାପାଲି ପଞ୍ଚାୟତର ସମିତି ସଭ୍ୟା ଶାନ୍ତିଲତା ଲାକ୍ରା ଏବଂ ବିଜେଡି ପକ୍ଷରୁ ଆମ୍ବଗୋଭା ପଞ୍ଚାୟତର ସମିତିସଭ୍ୟା ମାଗ୍ରୀତା କେର୍କେଟା। ଏଥିରେ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରାର୍ଥିପତ୍ର ଦାଖଲ କରିଥିବା ଶାନ୍ତିଲତା ଲାକ୍ରା ୧୧/୫ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ପରେ କୁତ୍ରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସମସ୍ତ ସମିତିସଭ୍ୟ/ସଭ୍ୟା ନିଜ ନିଜ ମତ ବ୍ୟକ୍ତ କରିବା ସହିତ ନବ ନିର୍ବାଚିତ ଅଧ୍ୟକ୍ଷାଙ୍କୁ ସ୍ବାଗତ କରିଥିଲେ। ଏଥିରେ କୁତ୍ରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବୀନ୍ଦ୍ର କୁମାର ସେଠୀ,କୁତ୍ରା ଥାନାଧିକାରୀ ସୁଶାନ୍ତ କୁମାର ପରିଡ଼ା ଉପସ୍ଥିତ ଥିଲେ। ସମସ୍ତେ ଏକଜୁଟ୍‌ ହୋଇ କାର୍ଯ୍ୟ କରିବା ସହିତ କୁତ୍ରା ବ୍ଲକକୁ ଉନ୍ନତି ଦିଗରେ ଆଗେଇ ନେବା ପାଇଁ ବିଡିଓ ଏବଂ ଥାନାଧିକାରୀ ପରାମର୍ଶ ଦେଇଥିଲେ।