ମାଗଣାର ରାଜନୀତି

କିଛିଦିନ ତଳେ ଶ୍ରୀଲଙ୍କାରେ ଯେଉଁ ଅରାଜକତା ସୃଷ୍ଟି ହୋଇଥିଲା ତା’ର ମୁଖ୍ୟ କାରଣ ଥିଲା ଘୋର ଆର୍ଥିକ ବିପର୍ଯ୍ୟୟ, ଯାହାପାଇଁ ସେ ଦେଶର ରାଜନୈତିକ ଅବିମୃଶ୍ୟକାରିତା ହିଁ ଦାୟୀ ଥିଲା। ଶସ୍ତା ଲୋକପ୍ରିୟତା ହାସଲ ପାଇଁ କ୍ଷମତାସୀନ ଦଳ ଦେଶରେ ପ୍ରଚଳିତ ବିଭିନ୍ନ କର, ଶୁଳ୍କ, ଲେଭି, ଟିକସ ଇତ୍ୟାଦିରେ ବର୍ଷ ବର୍ଷ ଧରି ରିହାତି ବା ଛାଡ଼ ଘୋଷଣା କରି ଚାଲିଥିଲେ, ଯାହାଫଳରେ ଦେଶର ଜାତୀୟ ଆୟ ତୁଳନାରେ ବ୍ୟୟଭାର ଲଗାତର ବଢ଼ି ଚାଲିଥିଲା। ତା’ଛଡା ବିଭିନ୍ନ ରାଜନୈତିକ ଦଳ ତରଫରୁ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଦିଆଯାଉଥିବା ନାନା ପ୍ରକାର ମାଗଣା ଉପହାର(ଫ୍ରିବି) ପରିସ୍ଥିତିକୁ ଆହୁରି ଜଟିଳ କରିଦେଲା। ଏ ସବୁର ସମ୍ମିଳିତ ପ୍ରଭାବରେ ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିଲା ଏବଂ ସରକାର ନିଜର ପ୍ରତିଶ୍ରୁତିକୁ ରକ୍ଷା କରିବାକୁ ଅସମର୍ଥ ହୋଇ ପଡ଼ିଲେ। ଫଳରେ ଆଭ୍ୟନ୍ତରୀଣ ଓ ବାହ୍ୟ ଉଭୟ କ୍ଷେତ୍ରରେ ଦେଶର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇ ପଡ଼ିଲା, ଯାହାର ପରିଣତି ସାରା ବିଶ୍ବ ଜାଣିଲା।
ଦ୍ୱୀପ ରାଷ୍ଟ୍ରର ଏଭଳି ଦୁଃସ୍ଥିତି ଆମ ଦେଶ ପାଇଁ ଏକ ପରୋକ୍ଷ ସତର୍କବାଣୀ। କାରଣ ଆମ ଦେଶର ବିଶେଷ କରି ଦାକ୍ଷିଣାତ୍ୟର ରାଜନୈତିକ ପାଣିପାଗ କିଛି ମାତ୍ରାରେ ଶ୍ରୀଲଙ୍କା ସହିତ ସଂଶ୍ଳିଷ୍ଟ। ଏହାର ଏକ ଉଦାହରଣ ହେଲା ମାଗଣା ସଂସ୍କୃତି(ଫ୍ରୀବି କଲଚର) ଯାହା ଭୋଟର୍‌ ତୁଷ୍ଟୀକରଣ ନୀତିର ଏକ ନଗ୍ନ ରୂପରେଖ। ଏହି ନୀତି ଶ୍ରୀଲଙ୍କାରୁ ତା’ର ନିକଟତମ ରାଜ୍ୟ ତାମିଲନାଡୁକୁ ଆସି ଏବେ ସାରା ଭାରତରେ ବ୍ୟାପିଗଲାଣି। ଭୋଟ ପାଇବା ପାଇଁ ହେଉ କିମ୍ବା କ୍ଷମତାରେ ରହିବା ପାଇଁ ହେଉ ଏଭଳି କୌଶଳକୁ ପ୍ରାୟ ସବୁ ରାଜନୈତିକ ଦଳ ଆପଣେଇ ନେଲେଣି। ଭୋଟରମାନଙ୍କୁ ପ୍ରଲୁବ୍ଧ କରିବା ପାଇଁ ବିଭିନ୍ନ ଦଳ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ଶେଷରେ ଭୋଟକୁ ଏକ ପଣ୍ୟ ସାମଗ୍ରୀରେ ପରିଣତ କରିଦେଲାଣି। ଏ ହାତରେ ଦିଅ, ସେ ହାତରେ ନିଅ ଏହା ହିଁ ଆଜିର ଭୋଟ ନୀତି। ଫଳରେ ମାଗଣାରେ ଜଳ ଓ ବିଦ୍ୟୁତ୍‌ ଯୋଗାଣ ଏବଂ ବେକାରି ଭତ୍ତାଠାରୁ ଋଣଛାଡ଼,ସବ୍‌ସିଡି, ଅନୁଦାନ, ଟିକସ ରିହାତି ତଥା ବିନା ମୂଲ୍ୟରେ ଖାଦ୍ୟ ଶସ୍ୟ ପ୍ରଦାନ ଯାଏ ଏବଂ ନାମମାତ୍ର ମୂଲ୍ୟରେ ଆମ୍ମା କ୍ୟାଣ୍ଟିନ,ଇନ୍ଦିରା କ୍ୟାଣ୍ଟିନ, ଜନ ଆହାର ଯୋଜନା, ଆହାର କେନ୍ଦ୍ର ଇତ୍ୟାଦି ମାଧ୍ୟମରେ ରନ୍ଧା ଖାଦ୍ୟ ଯୋଗାଣଠାରୁ ଲାପ୍‌ଟପ,ସାଇକେଲ,କମ୍ପ୍ୟୁଟର,ସ୍ମାର୍ଟଫୋନ,ଟିଭି, ଫ୍ରିଜ୍‌, ଗ୍ୟାସ୍‌ ଷ୍ଟୋଭ, ଅଳଙ୍କାର,ସିଲେଇ ମେଶିନ,ଶାଢ଼ି,ଧୋତି ଆଦି ସୌଖୀନ ପଦାର୍ଥ ଯାଏ ମାଗଣା ଉପଢୌକନ ବଣ୍ଟନର ଅନ୍ତ ନାହିଁ।
ଏଭଳି ଚିନ୍ତାଧାରାର ସପକ୍ଷବାଦୀମାନଙ୍କର ଯୁକ୍ତିହେଲା, ଏହି ବ୍ୟବସ୍ଥା ଦ୍ବାରା ଅନେକ ବଞ୍ଚିତ ଲୋକ ଉପକୃତ ହୁଅନ୍ତି, ଯାହା ଏକ ଜନମଙ୍ଗଳକାରୀ ରାଷ୍ଟ୍ରର ନିଦର୍ଶନ। ଏ ସବୁ ମାଧ୍ୟମରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଶ୍ରମଶକ୍ତିକୁ (ୱାର୍କ ଫୋର୍ସ) ଉଜ୍ଜୀବିତ କରି ରଖାଯାଉଛି। ଏହା ଛଡ଼ା ଉଲ୍ଲିଖିତ ଉତ୍ପାଦଗୁଡ଼ିକର ନିର୍ମାତାମାନଙ୍କୁ ବିପଣନରେ ସହାୟତା କରାଯାଉଛି, ଯାହା ଶିଳ୍ପାୟନର ଅଂଶ ବିଶେଷ। କିନ୍ତୁ ଏଭଳି ଭାବଧାରା ଦୂରଦୃଷ୍ଟିବିହୀନ ଓ ଆଦର୍ଶ ଅର୍ଥନୀତିର ପରିପନ୍ଥୀ। ଏହାଦ୍ବାରା ସୃଷ୍ଟି ହେଉଥିବା ପୌନଃପୁନିକ କ୍ଷତି ଶେଷରେ ଯେ ନିୟନ୍ତ୍ରଣ ବାହାରକୁ ଚାଲିଯିବ ଏପରି ଆଶଙ୍କା ଉପୁଜିଲାଣି। ଏଥିପାଇଁ ଚାଲିଥିବା ପ୍ରତିଯୋଗିତାକୁ ଏଡେଇ ନ ପାରି ଛୋଟ ଛୋଟ ରାଜ୍ୟ ଋଣ କରିବାକୁ ବାଧ୍ୟ ହେଉଛନ୍ତି। ଏହା ଆର୍ଥିକ ଦାୟିତ୍ୱବୋଧ ଓ ବଜେଟ ପରିଚାଳନା ଆଇନ (ଏଫ୍‌ ଆର୍‌ବିଏମ୍‌)ରେ ନିହିତ ଶୃଙ୍ଖଳାର ବିରୁଦ୍ଧ। ମାଗଣାରେ ମିଳୁଥିବାରୁ ଲୋକମାନେ ଆବଶ୍ୟକତାଠାରୁ ଅଧିକ ସାମଗ୍ରୀ ସଂଗ୍ରହ କରି ତାକୁ ଦୁରୁପଯୋଗ ଓ ନଷ୍ଟ କରନ୍ତି। ମାଗଣାରେ ବଣ୍ଟନ ପାଇଁ ଉଦ୍ଦିଷ୍ଟ ଥିବାରୁ ଏଭଳି ଜିନିଷର ଉତ୍ପାଦକମାନେ ତା’ର ଗୁଣବତ୍ତା ଉପରେ ବିଶେଷ ଧ୍ୟାନ ଦିଅନ୍ତି ନାହିଁ। କାରଣ ସେମାନେ ଜାଣିଥାନ୍ତି ଯେ ସେସବୁ ଜିନିଷର ବ୍ୟବହାରକାରୀମାନଙ୍କର ମୂଲଚାଲ କ୍ଷମତା (ବାର୍ଗେନିଂ ପାୱାର) ନ ଥାଏ ଏବଂ ମାଗଣାରେ ମିଳୁ ଥିବାରୁ ସେ ସବୁର ଗୁଣବତ୍ତା ସମ୍ପର୍କରେ କେହି ଆପତ୍ତି ଅଭିଯୋଗ କରନ୍ତି ନାହିଁ। ମାଗଣାରେ ମିଳୁ ଥିବାର ଲୋଭ ବାଟମାରଣା ପାଇଁ ସୁଯୋଗ ସୃଷ୍ଟି କରେ, ଯାହାଫଳରେ ସଂପୃକ୍ତ ବସ୍ତୁ ବେଳେ ବେଳେ ପ୍ରକୃତ ହିତାଧିକାରୀ ପାଖରେ ପହଞ୍ଚେ ନାହିଁ। ଥରେ ମୋଫତରେ ପାଇବାର ଧାରାରେ ପଡିଗଲେ ଲୋକମାନେ ପରାନ୍ନ ଭୋଜି,ପରିଶ୍ରମକାତର,ନିର୍ଭରଶୀଳ,ଅଳସୁଆ ଓ ଠାପୁଆ ହୋଇଯାଆନ୍ତି। ଫଳରେ ଶ୍ରମଶକ୍ତିର ଅଭାବ ଘଟେ। ସବୁଠାରୁ ବଡ଼ କଥା ହେଲା, ଏହା ଜନସାଧାରଣଙ୍କୁ ଭେଳିକି ଦେଖେଇ ଆକୃଷ୍ଟ କରେ, ଯାହାଫଳରେ ଭୋଟ୍‌ର ମୂଲ୍ୟ ରହେନାହିଁ କି ଅବାଧ ଓ ନିରପେକ୍ଷ ନିର୍ବାଚନ ସମ୍ଭବ ହୁଏନାହିଁ।
ଉଦ୍‌ବେଗର କାରଣ ହେଲା ଏବେ ସମଗ୍ର ବିଶ୍ୱର ଅର୍ଥନୀତି ନିମ୍ନଗାମୀ। ସେଥିପାଇଁ ବିଶ୍ବବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କର ସେପ୍ଟେମ୍ବର ୨୦୨୨ ରିପୋର୍ଟରେ ଆଶଙ୍କା ପ୍ରକାଶ କରିଛନ୍ତି ଯେ ଆସନ୍ତା ବର୍ଷ ବିଶ୍ୱ ଅର୍ଥନୀତି ଘୋର ମାନ୍ଦାବସ୍ଥାର ସମ୍ମୁଖୀନ ହେବ, ଯାହା ବିଗତ ପଚାଶ ବର୍ଷ ମଧ୍ୟରେ ସବୁଠାରୁ ଚିନ୍ତାଜନକ। ମୁଦ୍ରାସ୍ଫୀତି କମେଇବାକୁ ହେଲେ ଉତ୍ପାଦନ ବୃଦ୍ଧି କରିବାକୁ ପଡ଼ିବ। ତା ନ ହେଲେ ବିକାଶଶୀଳ ରାଷ୍ଟ୍ର ସମୂହ ଯେଉଁ ଆର୍ଥିକ ସଙ୍କଟରେ ପଡିବେ ତାହା ଦୀର୍ଘମିଆଦୀ କ୍ଷତି ପହଞ୍ଚାଇପାରେ। ଏକ ବିକାଶଶୀଳ ରାଷ୍ଟ୍ର ଭାବରେ ଭାରତ ପ୍ରତି ଏହା ଏକ ସତର୍କବାଣୀ। ଜନସଂଖ୍ୟା ବଢ଼ିଚାଲିଛି। ତା’ ସହିତ ତାଳ ଦେଇ ମାଗଣା ଉପଭୋକ୍ତାଙ୍କ ସଂଖ୍ୟା ବି ବଢ଼ି ଅଶୀ କୋଟିକୁ ଟପିଲାଣି। ଅଥଚ ଉତ୍ପାଦନ ପରିମାଣ ଦିନକୁ ଦିନ କମି କମି ଚାଲିଛି। ଚାଷୋପଯୋଗୀ ଜମି କମିବାରେ ଲାଗିଛି। ମାଗଣା ଖାଇବାର ଅଭ୍ୟାସ ପଡ଼ିଯାଇଥିବାରୁ ଶ୍ରମିକ,ମୂଲିଆ, ହଳିଆ,ଦିନମଜୁରିଆ ମିଳୁ ନାହାନ୍ତି। ଏପରି ଅବସ୍ଥାରେ ଚାଷ ହେବ କେମିତି, କରିବ କିଏ, କାହିଁକି? ଅତଏବ ଉତ୍ପାଦନ କମିବା ନିଶ୍ଚିତ। ଏକଥା ସରକାର ବି ଜାଣି ସାରିଲେଣି। ଚଳିତ ବର୍ଷ ୩୮ ଲକ୍ଷ ହେକ୍ଟର ଜମିରେ କମ୍‌ ଚାଷ କରାଯାଇଥିବାରୁ ଖରିଫ ଫସଲର ଉତ୍ପାଦନ ୧୦ରୁ ୧୨ ଲକ୍ଷ ନିୟୁତ ଟନ କମିଯିବ ବୋଲି ଖୋଦ କେନ୍ଦ୍ର ସରକାର ସେପ୍ଟେମ୍ବର ୨୦୨୨ର ଏକ ରିପୋର୍ଟରେ ଆଶଙ୍କା ପ୍ରକାଶ କରିଛନ୍ତି । ଦେଶରେ ହେଲେ ସିନା ହେଁସରେ ପଡ଼ିବ! ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ୨୦୧୩ରେ ଦେଇଥିବା ମନ୍ତବ୍ୟ ପ୍ରଣିଧାନଯୋଗ୍ୟ। ତାଙ୍କ ମତରେ ବିଭିନ୍ନ ସୂତ୍ରରୁ ମିଳୁଥିବା ଆୟକୁ ମାଗଣା ଉପହାର ବା ଭେଟି ବାବଦରେ ଖର୍ଚ୍ଚ କଲେ ଦେଶ ଅଚିରେ ଦେବାଳିଆ ହୋଇଯିବ।
ଅତଏବ ପରିସ୍ଥିତିର ଗମ୍ଭୀରତା ବିଷୟରେ ଚିନ୍ତା କରିବାର ସମୟ ଉପନୀତ। ଲୋକଟିକୁ ମାଛଟିଏ ଦେଲେ ତା’ର ଦିନକର ଗରଜ ମେଣ୍ଟିଯାଏ, କିନ୍ତୁ ତାକୁ ମାଛ ଧରିବା ଶିଖେଇ ଦେଲେ ସେ ଜୀବନ ଧାରଣର ଉପାୟ ପାଇଯାଏ ।
ତେଣୁ ମାଛଟିଏ ଭଳି ମାଗଣା ଉପହାର ନ ଦେଇ ସେ ବାବଦରେ ଖର୍ଚ୍ଚ ହେଉଥିବା ଅର୍ଥକୁ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କିମ୍ବା ସେମାନଙ୍କର ଆୟ ବୃଦ୍ଧି ପାଇଁ ଖର୍ଚ୍ଚ କଲେ ମାଗଣା ଦେବାର ଆବଶ୍ୟକତା ଆଉ ରହିବ ନାହିଁ।

  • ଅଲେଖ ଚନ୍ଦ୍ର ମିଶ୍ର
    ସାରଦାଶ୍ରୀ, ୯୦୪ ଶାସ୍ତ୍ରୀନଗର
    ୟୁନିଟ -୪, ଭୁବନେଶ୍ୱର
    ମୋ- ୯୪୩୮୬୭୩୮୯୮

Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri