ପୋଲିସ ଛାଉଣୀରେ ଲାଗିଲା ଝଣ୍ଡା

ଯୋଡ଼ା,୧୫।୪ (ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ସହରରେ ଗତ ସୋମବାର ରାମନବମୀରେ ଝଣ୍ଡା ଲଗାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସୃଷ୍ଟି ହୋଇଥିବା ବିବାଦ ୩ଦିନ ପରେ ହନୁମାନ ଜୟନ୍ତୀ ତଥା ପଣାସଂକ୍ରାନ୍ତିରେ ଅବସାନ ଘଟିଛି। ଗୁରୁବାର ପଣାସଂକ୍ରାନ୍ତି ଦିନ ନିର୍ଦ୍ଧାରିତ ସମୟ ସକାଳ ୯ଟାରୁ ୧୦ଟା ମଧ୍ୟରେ ହନୁମାନ ମନ୍ଦିରରୁ ପୋଲିସ ପ୍ରଶାସନର ଉପସ୍ଥିତିରେ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ହନୁମାନ ଝଣ୍ଡା ୪ ନଂ. ୱାର୍ଡରେ ଥିବା ଶିବ ମନ୍ଦିରରେ ସ୍ଥାପନ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୪ ନଂ. ୱାର୍ଡର ପ୍ରତି ଘର ଛାତ ଉପରେ ବନ୍ଧୁକଧାରୀ ମୁତୟନ ହୋଇଥିଲେ। ସମ୍ପୂର୍ଣ୍ଣ ଅଞ୍ଚଳକୁ ପ୍ରାୟତଃ ପୋଲିସ ଛାଉଣୀ କରି ଦିଆଯାଇଥିଲା।
ମନ୍ଦିର କମିଟି ପକ୍ଷରୁ ରଣଜିତ୍‌ ମହାକୁଡ, ସରୋଜ ସାହୁ, ମହାବୀର ଶର୍ମା, ମନୋଜ ଜୟସ୍ବାଲ ପ୍ରମୁଖ ଝଣ୍ଡା ନେବାରେ ଅଂଶଗ୍ରହଣ କରିଥିବା ବେଳେ ଅନ୍ୟ ସମ୍ପ୍ରଦାୟ ପକ୍ଷରୁ ମହମ୍ମଦ ଅବୁଲ ହାସନ, ନୌସାଦ ଆଲାମ, ମହମ୍ମଦ ଓକିଲ, ମହମ୍ମଦ ସାଫିକ ଏହି ଶୋଭାଯାତ୍ରାରେ ପ୍ରଶାସନ ସହିତ ସାମିଲ ରହିଥିଲେ। ପ୍ରଶାସନ ପକ୍ଷରୁ ଏସ୍‌ପି ମହାପାତ୍ରଙ୍କ ସମେତ ଅତିରିକ୍ତ ଏସ୍‌ପି ସୁଦାମ ଚରଣ ସାହୁ, ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରୀତିମୟ, ମାଜିଷ୍ଟ୍ରେଟ ଦାୟିତ୍ୱରେ ବଡ଼ବିଲ ତହସିଲଦାର ଆଲୋକ ପଟେଲଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀ ଉପସ୍ଥିତ ଥିଲେ ା ଏକ ଭାଇଚାରାର ନିଦର୍ଶନ ଦେଖିବାକୁ ମିଳିଥିଲା। ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କୁ ଏକ ଗୋଷ୍ଠୀର କେତେକ ଲୋକ ଖରାକୁ ଦୃଷ୍ଟିରେ ରଖି ପାନୀୟ ଜଳ ଦେଇଥିଲେ। ସମୁଦାୟ ଅଞ୍ଚଳରେ ପରିସ୍ଥିତି ଶାନ୍ତ ରହିଛି। ଚମ୍ପୁଆ ଉପଜିଲାପାଳ ପ୍ରୀତିମୟ କହିଛନ୍ତି ଯେ, ପୂର୍ବ ସ୍ଥିତି ଓ ଭାଇଚାରାକୁ ଫେରାଇ ଆଣିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି ା ଅଞ୍ଚଳର ସ୍ଥିତିକୁ ଦେଖି ୧୪୪ ଧାରାରେ ସକାଳେ ୨ ଘଣ୍ଟା ଏବଂ ଅପରାହ୍ନରେ ୨ ଘଣ୍ଟା କୋହଳ କରାଯିବାର ବ୍ୟବସ୍ଥା ପ୍ରଶାସନ କରିବ ବୋଲି ସେ କହିଥିଲେ। ଭିଡ ଜମୁଥିବା ହୋଟେଲ ଏବଂ ଅନ୍ୟାନ୍ୟ ଦୋକାନକୁ ଛାଡି ଦେଇ ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ଦୋକାନଗୁଡିକ ଖୋଲାଯିବ ବୋଲି କହିଥିଲେ। ଏସ୍‌ପି ମହାପାତ୍ର କହିଥିଲେ ଯେ ଯେପର୍ଯ୍ୟନ୍ତ ପୂର୍ବସ୍ଥିତି ଫେରିନାହିଁ ସେପର୍ଯ୍ୟନ୍ତ ପୋଲିସ ଫୋର୍ସ ଅଞ୍ଚଳରୁ ହଟିବ ନାହିଁ। ଏତଦବ୍ୟତୀତ ଗୁଜବ ସୃଷ୍ଟି କରୁଥିବା ସୋସିଆଲ ମିଡିଆ ତଥା ଗ୍ରୁପଗୁଡିକ ଉପରେ ପୋଲିସ ପ୍ରଶାସନ ତୀକ୍ଷ୍‌ଣ ନଜର ରଖିଛି। ପ୍ରଶାସନର ତତ୍ପରତା ଯୋଗୁ ସ୍ଥାନୀୟ ଅଞ୍ଚଳରେ ବାତାବରଣ ସ୍ବାଭାବିକ ହୋଇପାରିଛି ବୋଲି ସାଧାରଣରେ ଆଲୋଚନା ହେଉଛି।