ଜବତ ଡାଏରିର ଫରେନସିକ ରିପୋର୍ଟ ନେଲା ପୋଲିସ

ଖୁଣ୍ଟୁଣୀ,୨୬।୨(ଡି.ଏନ୍‌.ଏ.): ବହୁଚର୍ଚ୍ଚିତ ବରିଷ୍ଠ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମତ୍ୟୁ ଘଟଣାକୁ ଇତି ମଧ୍ୟରେ ୪୨ଦିନ ବିତିଗଲାଣି। ତଥାପି ମୃତ୍ୟୁର କାରଣ ରହସ୍ୟ ଏଯାବତ ଜଣାପଡ଼ି ନାହିଁ। ତେବେ ଗୁରୁଡ଼ିଝାଟିଆ ପୋଲିସକୁ ଗତ ମାସ ୧୭ ତାରିଖରେ କେବଳ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିଥିବା ବେଳେ ରାଜଶ୍ରୀଙ୍କ ସ୍କୁଟି ଡିକି ମଧ୍ୟରୁ ମିଳିଥିବା ଏକ ଡାଏରି ଯାଞ୍ଚ ପାଇଁ ଫରେନସିକ ଲ୍ୟାବ ଯାଇଥିବା ବେଳେ ତାହାର ରିପୋର୍ଟ ଶନିବାର ପୋଲିସକୁ ହସ୍ତଗତ ହୋଇଛି ବୋଲି ଆଇଆଇସି ରଞ୍ଜନ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ତେବେ ଏହି ରିପୋର୍ଟ ସିଲ୍‌ ଥିବାରୁ ଏହା ଭିତରେ ପ୍ରକୃତ ତଥ୍ୟ ପ୍ରକାଶ ପାଇନାହିଁ। ଯାହା କେବଳ ଏହି ଡାଏରୀର ହାତଲେଖା ରାଜଶ୍ରୀଙ୍କର ହୋଇଥାଇପାରେ ବୋଲି ଆଇଆଇସି ପ୍ରଧାନ କହିଛନ୍ତି। ଅନ୍ୟପଟେ ଭିସେରା ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରାଯିବ ବୋଲି ଆଇଆଇସି କହିଛନ୍ତି। ସୂଚନାଥାଉକି, ଗତ ଜାନୁୟାରୀ ୧୧ତାରିଖରେ ରାଜଶ୍ରୀ କଟକରୁ ନିଖୋଜ ଥିଲେ। ପରେ ୧୩ ତାରିଖ ଦିନ ତାଙ୍କ ମୃତଦେହକୁ ମଙ୍ଗଳାବାଗ ଓ ଗୁରୁଡ଼ିଝାଟିଆ ପୋଲିସ ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ବ୍ରାହ୍ମଣବସ୍ତ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଠାବ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିଲା। ଏହି ଘଟଣାର ସତ୍ୟ ଉନ୍ମୋଚନ ଯେତେ ବିଳମ୍ବ ହେଉଛି, ରାଜଶ୍ରୀର ପରିବାର ସମେତ ସାଧାରଣରେ ସନ୍ଦେହ ରାହାସ୍ୟାବୃତ ହୋଇଉଠୁଛି।