ଥାନା ଗାଡ଼ି ଅଚଳ, ଭଡ଼ାରେ ଲାଗୁଛି ବେସରକାରୀ ଯାନ

ଗୋପ,୨।୨(ଡି.ଏନ୍‌.ଏ.): ଗୋପ ଥାନା ବ୍ରିଟିଶ୍‌ ଶାସନ ସମୟରେ ୧୮୦୬ ମସିହାରେ ସ୍ଥାପନ କରାଯାଇଥିଲା। ଏହି ଥାନା ଅଧୀନରେ ଗୋଟିଏ ଫାଣ୍ଡି ଏବଂ ଗୋଟିଏ ବିଟ୍‌ କେନ୍ଦ୍ର ରହିଛି। ମାତ୍ର ଏହି ଥାନା ପ୍ରତି ଗୁରୁତ୍ୱ ଦିଆ ଯାଉନାହିଁ। ଏହି ଥାନା ଅଧୀନରେ ୨ରୁ ଊଦ୍ଧର୍‌ବ ପଞ୍ଚାୟତର ଶତାଧିକ ଗଁା ରହିଛି। ମାତ୍ର କିଛି ଦିନ ଧରି ଏହି ଗୋପ ଥାନା ଗାଡ଼ିଟି ଅଚଳ ହୋଇ ଥିବାବେଳେ ବେସରକାରୀ ଗାଡ଼ି ଭଡ଼ାରେ ଲାଗିଥିବା ଜଣାପଡିଛି।

ପ୍ରକାଶ ଯେ, ଗୋପ ଅଞ୍ଚଳରେ ପ୍ରତ୍ୟେକ ଦିନ ଚୋରି, ଡକାୟତି, ହିଂସା, ରାହାଜାନି ସହିତ ଅନ୍ୟାନ୍ୟ ଘଟଣାମାନ ଘଟିଥାଏ। ପ୍ରତ୍ୟେକ ସମୟରେ ଥାନା ଅଧିକାରୀଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ବିଭିନ୍ନ ସ୍ଥାନକୁ ଯା’ଆସ କରିଥାନ୍ତି। କିନ୍ତୁ କିଛି ଦିନ ହେବ ଥାନା ଗାଡ଼ିଟି ଅଚଳ ହୋଇ ପଡିଛି। ଥାନା ଅଧିକାରୀ ଏବେ ଥାନା କାର୍ଯ୍ୟ ଚଳାଇବାକୁ ଗୋଟିଏ ବେସରକାରୀ ଗାଡ଼ିରେ ବିଭିନ୍ନ ଅପରାଧୀ ନେବା ଆଣିବା ସହିତ ଅନ୍ୟାନ୍ୟ କାମ କରୁଥିବା ଦେଖିବାକୁ ମିଳିଛି। ପୁରୀ ଜିଲା ଏସ୍‌ପି ଗୋପ ଥାନାକୁ ତୁରନ୍ତ ଗୋଟିଏ ନୂଆ ଗାଡ଼ି ଦେବାକୁ ଦାବି କରାଯିବା ସହିତ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଅନୁରୋଧ କରାଯାଇଛି। ଏନେଇ ଥାନା ଅଧିକାରୀ ସୁନିଲ ପ୍ରଧାନଙ୍କୁ ପଚାରିବାରେ, ଗାଡ଼ି ଅଚଳ ହେବା ନେଇ ଜିଲା ଏସ୍‌ପିଙ୍କୁ ଅବଗତ କରାଯାଇଛି ବୋଲି କହିଥିଲେ।