ପୋଲିସ ଭୟରେ ଦୌଡ଼ି ପଳାଉଥିବା ବେଳେ ଜୀବନଗଲା

ବରଗଡ଼ ଅଫିସ୍‌,୭।୩: ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ସାନ ପିପିଲିପାଲି ଗ୍ରାମରେ ରବିବାର ଏକ ନିଛାଟିଆ ସ୍ଥାନରେ ଚାଲିଥିବା ଜୁଆ ଆଡ୍ଡାରେ ପୋଲିସ ଚଢ଼ାଉ ବେଳେ ଭୟରେ ଦୌଡି ପଲାଉଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ମୃତ ଯୁବକ ଜଣକ ସାନ ପିପିଲିପାଲି ଗ୍ରାମର ଆନନ୍ଦ ପ୍ରଧାନ(୩୫)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଡାକ୍ତରଖାନା ପଠାଇଛି।
ମିଳିଥିବା ସୂଚନା ମୁତାବକ, ସାନ ପିପିଲିପାଲିରେ ଜୁଆଖେଳ ଚାଳିିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ବରଗଡ଼ ଏସ୍‌ଡ଼ିପିଓ ଦିପକ କୁମାର ଗୋଚ୍ଛାୟତଙ୍କ ନେତୃତ୍ୱରେ ପୋଲିସର ଏକ ସ୍ବତନ୍ତ୍ର ସ୍କ୍ବାଡ ଚଢ଼ାଉ କରିଥିଲା। ପୋଲିସ ଭୟରେ ସେଠାରେ ଉପସ୍ଥିତ ଥିବା ଆନନ୍ଦ ଦୌଡ଼ି ପଳାଉ ଥିବାବେଳେ ଝୁଣ୍ଟି ପଡିଥିବା ସ୍ଥାନୀୟ ଲୋକେ କହିଛନ୍ତି। ପୋଲିସ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଏସ୍‌ଡ଼ିପିଓ ଗୋଚ୍ଛାୟତଙ୍କୁ ପଚାରିବାରୁ ଏକ ଜୁଆ ଆଡ୍ଡାରେ ପୋଲିସର ଚଢ଼ାଉ ହୋଇଥିଲା। ପୋଲିସ ଜୁଆ ଆଡ୍ଡାରୁ ୭ଜଣଙ୍କୁ ଧରି ୯ହଜାର ୨ଶହ ଟଙ୍କା ଜବତ କରିଛି। ଜୁଆ ଆଡ୍ଡାରୁ ଦୌଡ଼ି ପଳାଇ ଯୁବକଙ୍କ ମୃତ୍ୟୁ ଭଳି ଖବର ତାଙ୍କ ପାଖରେ ନାହିଁ ବୋଲି ସେ କହିଛନ୍ତି। ମୃତ ଯୁବକ ଜଣକ ପ୍ରାୟ ୬ମାସ ତଳେ ବିବାହ କରିଥିଲେ। ସ୍ତ୍ରୀ ଗର୍ଭବତୀ ଅଛନ୍ତି।