ପୋଲିସ ବୁଝୁନି ପୀଡ଼ିତାଙ୍କ ଦୁଃଖ

ହିନ୍ଦୋଳ, ୪।୧୧(ଡି.ଏନ.ଏ.) – ଢେଙ୍କାନାଳ ଜିଲା ବାଲିମୀ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ମାମଲାରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ସମ୍ପୃକ୍ତ ମହିଳାଙ୍କୁ ରାସ୍ତାଘାଟରେ ଅସଦାଚରଣ କରିବା ସହ ଫଟୋ ଭାଇରାଲ କରିବାକୁ ଧମକ ଦେଉଛନ୍ତି। ମାମଲାରେ କୋର୍ଟ ହସ୍ତକ୍ଷେପ କରିସାରିଥିଲେ ହେଁ ପୋଲିସ ଆଶାଜନକ ପଦକ୍ଷେପ ନେଉନାହିଁ। ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ଏସ୍‌ପି ଏବଂ ଡିଜିପିଙ୍କ ଦ୍ୱାରସ୍ଥ ହେବେ ବୋଲି ପୀଡ଼ିତା କହିଛନ୍ତି।
ଅଭିଯୋଗ ଅନୁଯାୟୀ, ଦଳିତ ବର୍ଗର ସମ୍ପୃକ୍ତ ମହିଳାଙ୍କୁ ଜୁଲାଇ ୨ରେ ଅଭିଯୁକ୍ତ ଅଖି ନାଏକ (୨୪) ଦୁର୍ବ୍ୟବହାର ପ୍ରଦର୍ଶନ ସାଙ୍ଗକୁ ମାର୍‌ପିଟ୍‌ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତିକରି ବାଲିମୀ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଖି କୋର୍ଟରୁ ସର୍ତ୍ତମୂଳକ ଜାମିନରେ ଆସିଥିଲେ। ଅଗଷ୍ଟ ୧୦ ରାତିରେ ମହିଳା ଜଣକ ପରିସ୍ରା କରିବାକୁ ଉଠିଥିବାବେଳେ ଅଖି ବଳାତ୍କାର ଉଦ୍ୟମ କରିଥିଲେ। ଏ ନେଇ ପୀଡ଼ିତା ପୁନର୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ପଦକ୍ଷେପ ନେବା ପରିବର୍ତ୍ତେ ଅଦାଲତଙ୍କ ଆଶ୍ରୟ ନେବାକୁ ପରାମର୍ଶ ଦେଇଥିଲା। ଏହାପରେ ଗତ ୧୮ ତାରିଖରେ ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ନଂ. ୨୧/୨୦ରେ ମାମଲା ଦାଏର କରାଯାଇଥିଲା। ଘଟଣାର ତଦନ୍ତ କରିବାକୁ କୋର୍ଟ ବାଲିମୀ ଥାନାକୁ ନିର୍ଦ୍ଦେଶ ଦେବା ସହ ମାମଲା ହସ୍ତାନ୍ତର କରିଥିଲେ ପଠାଇଥିଲେ। ହେଲେ ତଦନ୍ତ ତ୍ୱରାନ୍ବିତ ହୋଇ ନ ଥିଲା। ଗତ ୨୬ ତାରିଖରେ ମହିଳା ଜଣକ ହାଟକୁ ଯାଉଥିବା ବେଳେ ଅଖି ଟଣାଓଟରା କରିବା ସହ ପରିବାର ସଦସ୍ୟଙ୍କୁ ହତ୍ୟା ଧମକ ଦେଇଥିଲେ। ଘଟଣା ସମ୍ପର୍କରେ ମହିଳା ପୁଣି ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ମଙ୍ଗଳବାର ଅଭିଯୁକ୍ତ ଏବଂ ମହିଳାଙ୍କୁ ଥାନାକୁ ଡକାଇ ତଦନ୍ତ କରିଥିଲା। ହେଲେ ଅଖିଙ୍କୁ ଗିରଫ କରିବା ପରିବର୍ତ୍ତେ ଛାଡି ଦେଇଥିଲା। ଏହାକୁ ନେଇ ପୀଡ଼ିତା ଏବଂ ତାଙ୍କ ସ୍ବାମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବାଲିମୀ ପୋଲିସର କାର୍ଯ୍ୟକଳାପ ସମ୍ପର୍କରେ ଏସ୍‌ପି ଏବଂ ଡିଜିପିଙ୍କୁ ଅବଗତ କରାଇବେ ବୋଲି ସେମାନେ କହିଛନ୍ତି। ଏ ସମ୍ପର୍କରେ ଥାନାର ସେକେଣ୍ଡ ଅଫିସର ଦୀପ୍ତିରଞ୍ଜନ ପ୍ରଧାନଙ୍କ ପ୍ରତିକ୍ରିୟା ନେବାରୁ ସେ ତଦନ୍ତ ଚାଲିଥିବା କହି ପ୍ରସଙ୍ଗ ଏଡ଼ାଇ ଯାଇଥିଲେ।