ଡିଜାଇନ୍‌ରେ ତ୍ରୁଟି ଯୋଗୁ ଭୁଶୁଡ଼ିଥିଲା ପୋଲ

ରସୁଲପୁର,୧୪ା୮(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ୧୬ନମ୍ବର ଜାତୀୟ ରାଜପଥ ପୋଲ ଭୁଶୁଡ଼ିବା ଘଟଣାର ତଦନ୍ତ ରିପୋର୍ଟ ଆସିଛି। ଦୁର୍ଘଟଣାର ୩ ସପ୍ତାହ ପରେ ରାଜପଥ କର୍ତ୍ତୃପକ୍ଷଙ୍କ ରିପୋର୍ଟ ହସ୍ତଗତ ହୋଇଛି। ଡିଜାଇନରେ ତ୍ରୁଟି ଯୋଗୁ ପୋଲ ଭୁଶୁଡ଼ି ପଡ଼ିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେଣୁ ଉକ୍ତ ପୋଲ ଛାତ ଭଙ୍ଗାଯାଇ ନୂତନ ଛାତ ନିର୍ମାଣ କରାଯିବାକୁ ଏକ୍ସପର୍ଟମାନେ ରିପୋର୍ଟରେ ଦର୍ଶାଇଛନ୍ତି। ରିପୋର୍ଟ ହସ୍ତଗତ ପରେ ରାଜପଥ କର୍ତ୍ତୃପକ୍ଷଙ୍କ ତରଫରୁ ନୂତନ ପୋଲର ଛାତ ନିର୍ମାଣକୁ ନେଇ ତପତ୍ରତା ପ୍ରକାଶ ପାଇଛି। ପୋଲର ପୁନରୁଦ୍ଧାରକୁ ନେଇ ନୂତନ ପ୍ଲାନ୍‌, ଡିଜାଇନ୍‌, ଏଷ୍ଟିମେଟ ପ୍ରସ୍ତୁତ କରାଯାଇଛି। ନୂତନ ଛାତ ନିର୍ମାଣ ପାଇଁ ପ୍ରସ୍ତୁତ ଆକଳନ କାଗଜାଦ୍‌କୁ ଅନୁମୋଦନ ପାଇଁ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ପଠାଯାଇଛି। ଆବେଦନ ଅନୁଯାୟୀ ଆର୍ଥିକ ଅନୁମୋଦନ ମିଳିବା ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। ଏହି ଜରିଆରେ ଏଜେନ୍ସି ଫାଇନାଲ କରାଯାଇ କାମ କରାଯିବ। ଏହି ପ୍ରକ୍ରିୟାକୁ ଆହୁରି ୩ରୁ ୪ ମାସ ସମୟ ଲାଗିଯିବ। ପୁରୁଣା ପୋଲର ମୂଳଦୁଆ ସୁଦୃଢ଼ ରହିଛି, ମାତ୍ର ତା’ ଉପର ଛାତର ଡିଜାଇନରେ ତ୍ରୁଟି ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଥିବାରୁ ପୁରୁଣା ପିଲାର ଉପରେ କେବଳ ଛାତ ନିର୍ମାଣ କରାଯିବ ବୋଲି ରାଜପଥ କର୍ତ୍ତୃପକ୍ଷଙ୍କ ବାଲେଶ୍ୱର ଶାଖା କାର୍ଯ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ଜେ.ପି. ବର୍ମା ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ପୋଲ ଭୁଶୁଡ଼ିବା ଘଟଣାରୁ ରାଜପଥ କର୍ତ୍ତୃପକ୍ଷଙ୍କୁ ଏକ ବଡ଼ ଶିକ୍ଷା ମିଳିଛି ବୋଲି କୁହାଯାଉଛି। ରାଜପଥ ଉପରେ ଏତାଦୃଶ ଘଟଣାର ଯେମିତି ପୁନରାବୃତ୍ତି ନ ଘଟିବ ସେ ଦିଗରେ କର୍ତ୍ତୃପକ୍ଷ ଅଧିକ ସତର୍କତାମୂଳକ ଆଚରଣ ଆପଣେଇବାକୁ ଯୋଜନା କରୁଛନ୍ତି। ଏଠାରେ ଘଟିଥିବା ତ୍ରୁଟି ବିଚ୍ୟୁତିକୁ ନେଇ ରାଜପଥ କର୍ତ୍ତୃପକ୍ଷଙ୍କୁ ନାନା ଶରବ୍ୟର ଶିକାର ହେବାକୁ ପଡ଼ିଥିଲା। ଦୁର୍ଘଟଣା ସ୍ଥଳକୁ ରାଜନେତାଙ୍କଠାରୁ ଆରମ୍ଭ କରି ବରିଷ୍ଠ ପଦାଧିକାରୀ ଆସି ରାଜପଥ କର୍ତ୍ତୃପକ୍ଷଙ୍କୁ ନିଶାଣା କରି ଗଣମାଧ୍ୟମରେ ନାନା ମନ୍ତବ୍ୟ ଦେଇଥିଲେ। ରାଜପଥ ଅଧିକାରୀମାନଙ୍କୁ ନେଇ ଏମ୍‌ପି ଓ ବିଧାୟକମାନଙ୍କ ମଧ୍ୟରେ ଜିଲାରେ ସମୀକ୍ଷା ବୈଠକ ହୋଇଥିଲା। ପୋଲ ଭୁଶୁଡ଼ିବା ସ୍ଥଳରେ ବିଜେଡି ପକ୍ଷରୁ ପ୍ରତିବାଦ ସଭା କରାଯାଇ ରାଜପଥ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ତଦାରଖ ଓ ପୋଲ ନିର୍ମାଣର ମାନକୁ ନେଇ ଦୋଷାରୋପ କରାଯାଇଥିଲା। ୨୦୦୭/୦୮ରେ ଏହି ପୋଲ ନିର୍ମାଣ କରାଯାଇଥିଲା। ପୋଲର ଆୟୁଷ ଅନୂ୍ୟନ ୫୦ବର୍ଷ ବୋଲି ଆକଳନ କରାଯାଇଥିଲା। ମାତ୍ର ଗତ ଜୁଲାଇ ୧୮ ତାରିଖ ଭୋର୍‌ ସମୟରେ ପୋଲ ଭୁଶୁଡ଼ି ପଡ଼ିଥିଲା। ଏହାର କାରଣ ଜାଣିବା ପାଇଁ ଦିଲ୍ଲୀରୁ ଏକ ବିଶେଷଜ୍ଞ ଦଳ ଆସି ତଦନ୍ତ କରିଥିଲେ।