ଆକାଶରେ ଦେଖାଗଲା ବିରଳ ମହାଜାଗତିକ ଦୃଶ୍ୟ: ଚନ୍ଦ୍ର ପଛରେ…

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ଆକାଶରେ ସୋମବାର ଏକ ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିଛି। ପୃଥିବୀ ଏବଂ ଶୁକ୍ର ଗ୍ରହ ମଧ୍ୟରେ ଚନ୍ଦ୍ର ଆସିଯିବା ଫଳରେ କିଛି ସମୟ ପାଇଁ ଚନ୍ଦ୍ର ପଛରେ ଶୁକ୍ର ଗ୍ରହ ଅଦୃଶ୍ୟ ହୋଇଯାଇଥିଲା। ଏହାକୁ ଜ୍ୟୋତିର୍ବିଜ୍ଞାନ ଭାଷାରେ ‘ଲୁନାର ଅକଲଟେଶନ’ ବା ଚନ୍ଦ୍ରକୃତ ଶୁକ୍ର ସମାବରଣ କୁହାଯାଏ। ଭାରତୀୟ ସମୟ ଅନୁସାରେ ଏହି ଆଚ୍ଛାଦନ ପ୍ରକ୍ରିୟା ଅପରାହ୍ନ ପ୍ରାୟ ୫ଟା ୨୦ରୁ ୫ଟା ୩୦ ମିନିଟ ମଧ୍ୟରେ ଆରମ୍ଭ ହୋଇ ସନ୍ଧ୍ୟା ପ୍ରାୟ ୬ଟା ୪୫ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ୬ଟା ୪୫ ପରେ ଶୁକ୍ର ଗ୍ରହ ଚନ୍ଦ୍ର ଆଲୋକିତ ପାର୍ଶ୍ୱରୁ ବାହାରକୁ ଆସିଥିଲା ଓ ଚନ୍ଦ୍ର ସହ ଲାଗିରହିଥିଲା। ଭୁବନେଶ୍ୱର ତଥା ଓଡ଼ିଶାର ଅନେକ ସ୍ଥାନରେ ଦିଗ୍‌ବଳୟ ନିକଟରେ ଚନ୍ଦ୍ର ଏବଂ ଉଜ୍ଜ୍ୱଳ ଶୁକ୍ର ଗ୍ରହ ଏକାଠି ଅତି ନିକଟତର ହୋଇ ଏକ ଆକର୍ଷଣୀୟ ସଂଯୋଗ ଭାବେ ଖାଲି ଆଖିରେ ଖୁବ ସୁନ୍ଦର ଦେଖାଯାଇଥିଲା। ଏହି ମହାଜାଗତିକ ଘଟଣାଟି ମୁଖ୍ୟତଃ ଦକ୍ଷିଣ ଓ ମଧ୍ୟଭାରତ, ୟୁରୋପ, ମଧ୍ୟପ୍ରାଚ୍ୟ, ଉତ୍ତର ଆଫ୍ରିକା ଏବଂ ଏସିଆର କିଛି ଅଞ୍ଚଳରେ ଦୃଶ୍ୟମାନ ହୋଇଥିବା ନେଇ ସୂଚନା ମିଳିଛି। ଆକାଶ ପରିଷ୍କାର ଥିବା ସ୍ଥାନଗୁଡ଼ିକରେ ଲୋକେ ଏହି ଚମତ୍କାର ଦୃଶ୍ୟ ଉପଭୋଗ କରିଛନ୍ତି। ଚନ୍ଦ୍ର ଦ୍ୱାରା ଶୁକ୍ର ଗ୍ରହର ଆଚ୍ଛାଦନ ବର୍ଷକୁ ଥରେ ବା ଦୁଇଥର ଘଟିପାରେ। ମାତ୍ର ପୃଥିବୀର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଯଥା ଭାରତରୁ ଏହା ଦୃଶ୍ୟମାନ ହେବା ବେଶ୍‌ ବିରଳ ଏବଂ ଏହା ପ୍ରାୟ କିଛି ବର୍ଷ ବ୍ୟବଧାନରେ ଥରେ ଦେଖିବାକୁ ମିଳିଥାଏ। ଚଳିତ ବର୍ଷର ପରବର୍ତ୍ତୀ ଶୁକ୍ର ଆଚ୍ଛାଦନ ନଭେମ୍ବର ୭ରେ ଘଟିବ ଏବଂ ଏହା ଦକ୍ଷିଣ ଆମେରିକାର ଦକ୍ଷିଣ ଭାଗରୁ ଦୃଶ୍ୟମାନ ହେବ ବୋଲି ସୂଚନା ଦିଆଯାଇଛି ।

 

Dharitri – Odisha’s No.1 Odia Daily

Share