ପିସି ଆଣ୍ଡ୍‌ ପିଏନ୍‌ଡିଟି ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ୱର, ୧୨୧୨(ବ୍ୟୁରୋ): ଚଳିତ ବର୍ଷରୁ ରାଜ୍ୟ ସରକାର ଗର୍ଭଧାରଣ ଓ ପ୍ରସୂତି ପୂର୍ବ ରୋଗ ନିର୍ଣ୍ଣୟ (ପିସି ଆଣ୍ଡ୍‌ ପିଏନ୍‌ଡିଟି) ସମ୍ବନ୍ଧୀୟ ଅଲ୍‌ଟ୍ରାସାଉଣ୍ଡ୍‌ର ପଞ୍ଜୀକରଣ ଏବଂ ନବୀକରଣ ସୁବିଧାକୁ ଲୋକସେବା ଆଇନ ଅଧିକାର ପରିସରଭୁକ୍ତ କରିଛନ୍ତି। ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପିସି ଆଣ୍ଡ୍‌ ପିଏନ୍‌ଡିଟି ପୋର୍ଟାଲକୁ ଲୋକାର୍ପିତ କରିଛନ୍ତି। ଏହି ପୋର୍ଟାଲ ଜରିଆରେ ଗର୍ଭଧାରଣ ଓ ପ୍ରସୂତି ପୂର୍ବ ରୋଗ ନିର୍ଣ୍ଣୟ ସମ୍ବନ୍ଧୀୟ ଅଲଟ୍ରାସାଉଣ୍ଡ ପଞ୍ଜୀକରଣ ଏବଂ ନବୀକରଣ ନିମନ୍ତେ ଅନ୍‌ଲାଇନ୍‌ ଦରଖାସ୍ତ ଆବେଦନ କରିହେବ। ଏହି ପୋର୍ଟାଲକୁ ଭର୍ଚୁଆଲ ମୋଡ୍‌ରେ ଲୋକାର୍ପଣ କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲାପାଳଙ୍କୁ (ଯେଉଁମାନେ ପିସି ଏବଂ ପିଏନ୍‌ଡିଟି ଜିଲାସ୍ତରୀୟ କର୍ତ୍ତୃପକ୍ଷ) ଏ ସମ୍ବନ୍ଧୀୟ ଦରଖାସ୍ତ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଠିକ୍‌ ସମୟରେ ପଞ୍ଜୀକରଣ, ନବୀକରଣ ଓ ସ୍ବଚ୍ଛତା ମାଧ୍ୟମରେ ଅଲ୍‌ଟ୍ରାସାଉଣ୍ଡ ସୁବିଧାକୁ ସୁନିଶ୍ଚିତ କରିବା ପାଇଁ ଅନ୍‌ଲାଇନ୍‌ ଦରଖାସ୍ତ ଆବେଦନ ଏକ ଉପଯୁକ୍ତ ମାଧ୍ୟମ। ଏଥିପାଇଁ ୭୦ ଦିନ ସମୟ ଧାର୍ଯ୍ୟ ହୋଇଛି। ଦରଖାସ୍ତ ଦାଖଲ କରିବା, ଟଙ୍କା ପଇଠ କରିବା ଏବଂ ଦରଖାସ୍ତର ସ୍ଥିତି ଆବେଦନକାରୀ ଅନ୍‌ଲାଇନ୍‌ରେ ଜାଣିପାରିବେ। ସମସ୍ତ ଆବଶ୍ୟକ ତଥ୍ୟ ୱେବ୍‌ ପୋର୍ଟାଲ୍‌ www.pndtodisha.gov.inରେ ଅପ୍‌ଲୋଡ୍‌ କରାଯାଇଛି।
କାର୍ଯ୍ୟକ୍ରମରେ ଜାତୀୟ ସ୍ବାସ୍ଥ୍ୟ ମିଶନର ଓଡ଼ିଶା ରାଜ୍ୟ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଅଶୋକ କୁମାର ନାୟକ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ଶାସନ ସଚିବ ବିଶିକେଶନ ଦେହୁରୀ, ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ, ଏନ୍‌ଆଇସିର ରାଜ୍ୟ ସୂଚନା ଅଧିକାରୀ କସ୍ତୁରୀ ଦାଶ, ପିସି ଏବଂ ପିଏନ୍‌ଡିଟିର ରାଜ୍ୟ ନୋଡାଲ୍‌ ଅଧିକାରୀ ଡ. ପ୍ରତିଭା ପ୍ରଧାନ, ଷ୍ଟେଟ୍‌ ଫେସିଲିଟେଟର ଡ. ଶ୍ରାବଣୀ ଦାସ, ଆଇନ ପରାମର୍ଶଦାତା ମନୋରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଭିଡିଓ କନ୍‌ଫରେନ୍ସରେ ଯୋଗଦେଇଥିଲେ।