୧୦ କିମି ଷ୍ଟ୍ରେଚରରେ ବୁହାହେଲେ ରୋଗୀ

ରାୟଗଡ଼ା ଅଫିସ, ୨।୩: ଖରାପ ରାସ୍ତା ଯୋଗୁ ୧୦ କି.ମି ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସି ମେଡିକାଲରେ ଭର୍ତ୍ତି ହେଲେ ରୋଗୀ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା ମୁନିଗୁଡା ବ୍ଲକ ଡିମିରିଗୁଡା ପଞ୍ଚାୟତରେ। ସୂଚନା ମୂତାବକ, ଉଚେତପାରୁ ଗ୍ରାମର ୭ ବର୍ଷର ଝିଅ ତ୍ରିପ୍ତୀ ଉର୍ଲିକିଆ କିଛିଦିନ ହେବ ପେଟ ଯନ୍ତ୍ରଣାରେ ପୀଡିତ ଥିଲେ । ମଙ୍ଗଳବାର ଯନ୍ତ୍ରଣା ବଢ଼ିବା ପରେ ମେଡିକାଲ ନେବା ପାଇଁ ପରିବାର ପକ୍ଷରୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ହେଲେ ଘାଟି ରାସ୍ତା ଏବଂ ଆମ୍ବୁଲାନ୍ସର ଯାନ୍ତ୍ରିକ ତ୍ରୁଟି ଥିବାରୁ ତାହା ଯାଇ ପାରି ନଥିଲା। ଏ ନେଇ ଆମ୍ବୁଲାନ୍ସ କର୍ମଚାରୀ ଗାଁରେ ସୂଚନା ଦେଇଥିଲେ। ଶେଷରେ ରୋଗୀଙ୍କୁ ବୋହି ନେବା ପାଇଁ ପରିବାର ଲୋକେ ଏବଂ ଆମ୍ବୁଲାନ୍ସ କର୍ମଚାରୀ ନିଷ୍ପତ୍ତି ନେଇଥିଲେ। ଆମ୍ବୁଲାନ୍ସ ଷ୍ଟ୍ରେଚରରେ ୧୦ କି.ମି ବୋହି ଆଣିବା ପରେ ତ୍ରିପ୍ତୀଙ୍କୁ ଅମ୍ବାଦଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।