ପିଆର୍‌ଏମ୍‌ ମେଡିକାଲରେ ରୋଗୀ ହନ୍ତସନ୍ତ

ବାରିପଦା ଅଫିସ,୨୯ା୧୨: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ (ପିଆର୍‌ଏମ୍‌ ) ମେଡିକାଲ କଲେଜ ଓ ଡାକ୍ତରଖାନାରେ ରୋଗୀଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ବାଧ୍ୟ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ବାରମ୍ବାର ଡାକ୍ତରଖାନା ଆସିବା ପରେ ମଧ୍ୟ ବିଭିନ୍ନ ଆଳ ଦେଖାଇ ହଇରାଣ ହରକତ କରାଯାଉଥିବାରୁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। ଏନେଇ ଜଣେ ରୋଗୀ ମେଡିକାଲ ସୁପରିଣ୍ଟେଣ୍ଡଣ୍ଟଙ୍କ ନିକଟରେ ଅଭିଯୋଗ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ବାରିପଦା ଉପକଣ୍ଠ ଦାମୋଦରପୁର ଅଞ୍ଚଳର ଯୁବକ ଅମରଜିତ କୁମାର ଚିକିତ୍ସା ଲାଗି ପିଆର୍‌ଏମ୍‌ ମେଡିକାଲକୁ ଗତ ୧୫ ଫେବୃୟାରୀରେ ଯାଇଥିଲେ । ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ପରେ ଅସ୍ତ୍ରୋପଚାର ପାଇଁ ନଭେମ୍ବର ୧୬ରେ ଆସିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ତାରିଖ ଘୁଞ୍ଚତ୍ ୨୬ ଡିସେମ୍ବରରେ କରୋନା ପରୀକ୍ଷା ପୂର୍ବକ ଆସ୍ତ୍ରାପଚାର କରିବାକୁ ତାରିଖ ଧାର୍ଯ୍ୟ କରାଯାଇଥିଲା। ମାତ୍ର ନିର୍ଦ୍ଧାରିତ ତାରିଖରେ ଆସିବାରୁ ସର୍ଜରୀ ଡାକ୍ତର ନ ଥିବା କହି ପୁନଶ୍ଚ ୨୮ତାରିଖରେ ଆସିବାକୁ କୁହାଯାଇଥିଲା। ୨୮ତାରିଖରେ ଡାକ୍ତର ଜଣକ ବିଭିନ୍ନ ଆଳ ଦେଖାଇ ପାଟିତୁଣ୍ଡ କରିଥିଲେ। ଏହା ସହିତ ଛୋଟିଆ ଅସ୍ତ୍ରୋପଚାରକୁ ସରକାରୀ ଡାକ୍ତରଖାନାରେ କରିବାକୁ ଅପେକ୍ଷା ନ କରି ପ୍ରାଇଭେଟ ଡାକ୍ତରଖାନାରେ କରିବାକୁ କହିଥିଲେ। ଏହା ଶୁଣି ଅମରଜିତ ବିରୋଧ କରିବାରୁ କର୍ମଚାରୀମାନେ ତାଙ୍କୁ ବାହାରି ଯିବାକୁ କହିଥିଲେ। ଏନେଇ ସେ ମେଡିକାଲ ସୁପରିଣ୍ଟେଣ୍ଡଣ୍ଟଙ୍କ ନିକଟରେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ରୋଗୀଙ୍କୁ ମାଗଣାରେ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ବ୍ୟବସ୍ଥା କରିଥିବା ବେଳେ ଡାକ୍ତରମାନଙ୍କ ଘରୋଇ ହସ୍ପିଟାଲ ପ୍ରୀତିକୁ ନେଇ ରୋଗୀ ଓ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ସରକାରଙ୍କ ଜନହିତକର ଯୋଜନାଗୁଡ଼ିକର ସଫଳ ରୂପାୟନରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଏ ସଂକ୍ରାନ୍ତରେ ସୁପରିଣ୍ଟେଣ୍ଡଣ୍ଟ ଡା. ପ୍ରତିଭା ପଣ୍ଡାଙ୍କୁ ପଚାରିବାରୁ ଅଭିଯୋଗକୁ ଭିତ୍ତିକରି ସମ୍ପୃକ୍ତ ବିଭାଗର ମୁଖ୍ୟ(ଏଚ୍‌ଓଡି)ଙ୍କୁ କାରଣ ଦର୍ଶାଇବା ପାଇଁ ପତ୍ର କରାଯାଇଛି ଓ ରିପୋର୍ଟ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।