ଟ୍ରକ୍‌ ପଛରେ ପିଟିହେଲା ଯାତ୍ରୀବାହୀ ବସ୍‌: ୧୫ରୁ ଊର୍ଦ୍ଧ୍ୱ ଆହତ

ଛେଣ୍ଡିପଦା,୧୦ା୧୧(ଡି.ଏନ୍‌.ଏ.): ଛେଣ୍ଡିପଦା-ଅନୁଗୋଳ ୬୩ ନଂ ରାଜ୍ୟ ରାଜପଥର ନିଶା ଶିଳ୍ପାଞ୍ଚଳ ଥାନାର ଜିନ୍ଦଲ ଫାଟକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ନିଶାସ୍ଥିତ ଜିନ୍ଦଲ କମ୍ପାନୀର ମ୍ୟାଟେରିଆଲ ଗେଟ୍‌ ସମ୍ମୁଖରେ ଛିଡ଼ା ହୋଇଥିବା ଏକ କୋଇଲା ଟ୍ରକ ପଛରେ ଶିବଶଙ୍କର ନାମକ ଯାତ୍ରୀବାହୀ ବସ୍‌ ପିଟି ହୋଇଥିଲା। ଦେବଗଡ଼ରୁ ଏହି ବସ୍‌ଟି ମଙ୍ଗଳବାର ବିଳମ୍ବିତ ରାତିରେ ଭୁବନେଶ୍ବର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଫଳରେ ବସ୍‌ର ହେଲପର ଗୁରୁତର ହୋଇଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ନିଶା ଶିଳ୍ପାଞ୍ଚଳ ପୋଲିସ ରାତିରେ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ସେପଟେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ପୋଲିସ ଜବତ କରି ଘଟଣାର ତଦନ୍ତ କରୁଛି।