ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ପ୍ରତିଦିନ ଆମ ଶରୀରତନ୍ତ୍ରୀକୁ କ୍ଷତାକ୍ତ କରିଚାଲିଛି। ତଥାପି ଏହାକୁ ଆମେ ପରିହାର କରିପାରୁନାହୁଁ। ବାୟୁ (ପ୍ରଦୂଷଣ, ନିରାକରଣ ଓ ନିୟନ୍ତ୍ରଣ) ଆଇନ ୧୯୮୧ ଅନୁଯାୟୀ ‘ଶବ୍ଦ’କୁ ପ୍ରଦୂଷଣ ସୃଷ୍ଟିକାରୀ ତତ୍ତ୍ୱ ରୂପେ ତାଲିକାଭୁକ୍ତ କରାଯାଇଛି। ଏହାଦ୍ୱାରା ବିରକ୍ତି, ଉନ୍ମାଦନା, ଅବସାଦ, ନିଦ୍ରାହୀନତା ପରି ଗୁରୁତର ଶାରୀରିକ ଓ ମାନସିକ ସମସ୍ୟା ସୃଷ୍ଟି ହେଉଛି। ଶବ୍ଦ ପ୍ରଦୂଷଣକୁ ଯଥାସମ୍ଭବ ହ୍ରାସ କରିବା ପାଇଁ ବିଭିନ୍ନ ସମୟରେ ଆଇନ, କାନୁନ୍‌, କଟକଣା, ନିୟମମାନ ଲାଗୁ କରାଯାଉଛି। କିନ୍ତୁ ଲୋକମାନଙ୍କର ଜିଦ୍‌ଖୋର ମନୋଭାବ ଆଗରେ ସେ ସବୁ ପ୍ରଭାବହୀନ ହୋଇଯାଇଛି। ପୋଲିସ୍‌ ପ୍ରଶାସନ ଓ କର୍ତ୍ତୃପକ୍ଷ ମଧ୍ୟ ଏ ଦିଗରେ ଉଦାସୀନ। ଯେଉଁ କେତେକ ସଚେତନ ଜନତା ଏହାକୁ ବିରୋଧ କରୁଛନ୍ତି ବା ସୁଧାର ଆଣିବା ପାଇଁ କିଛି ପଦକ୍ଷେପ ନେଉଛନ୍ତି, ସେମାନଙ୍କୁ ସୁରକ୍ଷା ଦେବାରେ ମଧ୍ୟ ପ୍ରଶାସନ ବିଫଳ ହେଉଛି। ତେଣୁ କିଏ ଆନନ୍ଦରେ ତ କିଏ ଯନ୍ତ୍ରଣାରେ ଶବ୍ଦ ପ୍ରଦୂଷଣକୁ ପିଇ ଚାଲିଛନ୍ତି।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ସୁପାରିସ ଅନୁଯାୟୀ, ଆବାସିକ ଅଞ୍ଚଳରେ ଦିନବେଳା ଯେକୌଣସି ଶବ୍ଦ ୫୫ ଡେସିବଲ୍‌ରୁ ଅଧିକ ହେବ ନାହିଁ। ‘ଭାରତୀୟ ପରିବେଶ (ସୁରକ୍ଷା) ଆଇନ-୧୯୮୬’ ଅଧୀନ ‘ଶବ୍ଦ ପ୍ରଦୂଷଣ (ନିୟମ ଓ ନିୟନ୍ତ୍ରଣ) ନୀତି-୨୦୦୦’ ଅନୁଯାୟୀ ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ଶବ୍ଦର ମାତ୍ରା ସର୍ବାଧିକ ୫୫ ଡେସିବଲ୍‌ ରହିବ ଏବଂ ରାତିରେ ୪୫ ଡେସିବଲ୍‌ରୁ ଅଧିକ ହେବ ନାହିଁ। ଏହି ନୀତିର ଧାରା ୫(୧) ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ବିନାନୁମତିରେ ଲାଉଡ୍‌ସ୍ପିକର ବା କାହାଳୀ ବ୍ୟବହାର କରାଯାଇପାରିବ ନାହିଁ। ଧାରା ୫(୨) ଅନୁଯାୟୀ ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ଏହାର ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଅତି ଆବଶ୍ୟକ ପଡ଼ିଲେ କେବଳ ସଭାଗୃହ, ବନ୍ଦ କୋଠରି ମଧ୍ୟରେ ବ୍ୟବହାର କରାଯାଇପାରିବ। ଏହାଛଡ଼ା ରାଜ୍ୟ ସରକାରମାନଙ୍କୁ ଦିଆଯାଇଥିବା ସ୍ବତନ୍ତ୍ର କ୍ଷମତା ଅନୁଯାୟୀ ଏହି କଟକଣା ସମୟ ନିର୍ଦ୍ଦିଷ୍ଟ ସାର୍ବଜନୀନ ଉତ୍ସବ ପାଇଁ ରାତି ୧୦ରୁ ୧୨ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ରାଜ୍ୟ ସରକାରମାନେ ବର୍ଷକୁ ୧୫ ଦିନରୁ ଅଧିକ ଏହି କ୍ଷମତାକୁ ଉପଯୋଗ କରିପାରିବେ ନାହିଁ କି ‘ସାଇଲେନ୍ସ ଜୋନ୍‌’ (ଶୂନ୍ୟ ଶବ୍ଦ ଅଞ୍ଚଳ)ରେ ଉପଯୋଗ ହୋଇପାରିବ ନାହିଁ। କିନ୍ତୁ ସଦ୍ୟତମ ‘ଜିରୋ ନାଇଟ୍‌’ ଅବସରରେ ଏହାର କେତେ ଅନୁପାଳନ ହେଲା ତାହା ଅଳ୍ପେବହୁତ ଅନୁମେୟ।
ଶବ୍ଦ ପ୍ରଦୂଷଣର ପ୍ରଭାବ ପ୍ରତି ଆମ ଦେଶର ନ୍ୟାୟାଳୟ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି ଏବଂ ନିୟନ୍ତ୍ରଣ ପାଇଁ ତପତ୍ରତା ପ୍ରକାଶ କରିଛନ୍ତି। ୨୦୦୦ ମସିହାରେ ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟର ଦୁଇଜଣିଆ ଖଣ୍ଡପୀଠ ରାୟ ଦେଇଥିଲେ ଯେ, କୌଣସି ଧର୍ମାନୁଷ୍ଠାନ, ପ୍ରାର୍ଥନା ଗୃହରେ ଲାଉସ୍‌ସ୍ପିକର ବ୍ୟବହାର କରାଯାଇପାରିବ ନାହିଁ। କାରଣ କୌଣସି ଧର୍ମରେ ଅନ୍ୟକୁ ପ୍ରଭାବିତ କରି କିମ୍ବା କ୍ଷତି ପହଞ୍ଚାଇ କିମ୍ବା କଷ୍ଟ ଦେଇ କିମ୍ବା ସର୍ବସାଧାରଣଙ୍କ ଶାନ୍ତି ବ୍ୟାହତ କରି ପ୍ରାର୍ଥନା କରିବାକୁ କୁହାଯାଇନାହିଁ। ସମ୍ବିଧାନର ଧାରା ୨୫ ଅନୁଯାୟୀ ଲାଉଡ୍‌ସ୍ପିକର ବ୍ୟବହାରକୁ ଧର୍ମୀୟ ସ୍ବାଧୀନତା କିମ୍ବା ମୌଳିକ ଅଧିକାର ଭାବେ ଗ୍ରହଣ କରାଯାଇପାରିବ ନାହିଁ। ୨୦୦୫ରେ ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ରାୟ ଦେଇଥିଲେ ଯେ, ଶବ୍ଦ ପ୍ରଦୂଷଣମୁକ୍ତ ଓ ଶାନ୍ତ ପରିବେଶରେ ବଞ୍ଚତ୍ବାର ଅଧିକାର ସମ୍ବିଧାନର ଧାରା ୨୧ ଅନୁଯାୟୀ ନିଶ୍ଚିତ କରିବାକୁ ପଡ଼ିବ। ସମ୍ବିଧାନର ଧାରା ୧୯(୧) ଆଧାରରେ ଅଭିବ୍ୟକ୍ତିର ସ୍ବାଧୀନତା ଓ ମତ ପ୍ରକାଶ ଅଧିକାରର ଦ୍ୱାହି ଦେଇ କେହି ଲାଉଡ୍‌ସ୍ପିକର ଜରିଆରେ ଅନ୍ୟକୁ ହଇରାଣ ହରକତ କରିପାରିବେ ନାହିଁ କି ଶୁଣିବାକୁ ବାଧ୍ୟ କରିପାରିବେ ନାହିଁ।
ସେହିପରି ୨୦୧୬ରେ ବମ୍ବେ ହାଇକୋର୍ଟ ମଧ୍ୟ ଧର୍ମାନୁଷ୍ଠାନ, ଉତ୍ସବ ଆଦିରେ ଲାଉଡ୍‌ସ୍ପିକରର ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରିଥିଲେ। ୨୦୧୯ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏକ ନିର୍ଦ୍ଦେଶନାମାରେ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ତାଗିଦା କରିଥିଲେ ଯେ, କୌଣସି ଧାର୍ମିକ ଅନୁଷ୍ଠାନ କିମ୍ବା ସଂସ୍ଥା କିମ୍ବା ବ୍ୟକ୍ତି ଦ୍ୱାରା ଦିନରେ ମଧ୍ୟ ଲାଉଡ୍‌ସ୍ପିକର ବ୍ୟବହାର ପାଇଁ ଅନୁମତି ନେବା ବାଧ୍ୟତାମୂଳକ। ଲାଉଡ୍‌ସ୍ପିକରର ଉଚ୍ଚ ଶବ୍ଦରେ ଅତିଷ୍ଠ ଜନସାଧାରଣ କଟକଣା ଉଲ୍ଲଙ୍ଘନ କରୁଥିବା ସଂସ୍ଥା କିମ୍ବା ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ଏକ ହେଲ୍ପଲାଇନ୍‌ ଜାରି କରିବା ଏବଂ ସେଥିରେ ଅଭିଯୋଗକାରୀଙ୍କ ପରିଚୟ ଗୋପନ ରଖାଯାଇପାରୁଥିବା ଭଳି ବ୍ୟବସ୍ଥା ରଖିବା ସରକାରଙ୍କ ଦାୟିତ୍ୱ। ୨୦୨୦ରେ ଆହ୍ଲାବାଦ୍‌ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଜନସ୍ବାର୍ଥ ମାମଲାର ଶୁଣାଣି କରି କହିଥିଲେ ଯେ, ଲାଉଡ୍‌ସ୍ପିକର ଓ ମାଇକ୍ରୋଫୋନ୍‌ ଆଧୁନିକ ବିଜ୍ଞାନର ଅବଦାନ। ଧର୍ମଶାସ୍ତ୍ର, ପୁରାଣ ଆଦି ରଚନା ବେଳେ ସେଗୁଡ଼ିକ ଉଦ୍ଭାବନ ହୋଇନଥିଲା। ତେଣୁ ଭଜନ, କୀର୍ତ୍ତନ, ଜଣାଣ, ପ୍ରାର୍ଥନା ବେଳେ ଲାଉଡ୍‌ସ୍ପିକର ବ୍ୟବହାର କରିବା ଧର୍ମୀୟ ପରମ୍ପରା, ରୀତି, ନୀତି ଓ ସଂସ୍କୃତି ଆଧାରିତ ନୁହେଁ। ଗତ ଜାନୁଆରୀ ମାସରେ ବମ୍ବେ ହାଇକୋର୍ଟ ପୁଣି ସେଭଳି ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ ଯେ ଯଦି ଶବ୍ଦ ପ୍ରଦୂଷଣ ନିୟମ ଓ କଟକଣାର ଉଲ୍ଲଙ୍ଘନ ହୁଏ, ତେବେ ଉଲ୍ଲଙ୍ଘନକାରୀଙ୍କୁ ପ୍ରଥମେ ଚେତାବନୀ, ଦ୍ୱିତୀୟ ଉଲ୍ଲଙ୍ଘନରେ ଜରିମାନା, ବାରମ୍ବାର ଉଲ୍ଲଙ୍ଘନ କଲେ ଲାଉଡ୍‌ସ୍ପିକର ଜବତ କରିବା ସହିତ ଲାଇସେନ୍ସ ବାତିଲ୍‌ କରାଯିବ। କିନ୍ତୁ ଏହି ନିର୍ଦ୍ଦେଶ, କଟକଣା ଓ ଆଇନର ଉଲ୍ଲଙ୍ଘନ କେତେ ହେଉଛି ତାହା ଆମେ ସମସ୍ତେ ଦେଖୁଥିଲେ ମଧ୍ୟ ଦଣ୍ଡବିଧାନ ହେଉ ନ ଥିବାରୁ ଶବ୍ଦର ଯନ୍ତ୍ରଣା କମିବା ପରିବର୍ତ୍ତେ ବଢ଼ି ଚାଲିଛି। ଏହିସବୁ ଅକୁହା ଯନ୍ତ୍ରଣା ସରକାର କିମ୍ବା ଅଦାଲତଙ୍କ ଦୃଷ୍ଟି ଏଡ଼ାଇ ଚାଲିଛି। ବିଜ୍ଞାନ ଯୁଗର ବିଡ଼ମ୍ବନା- ଏହି ଶବ୍ଦଘାତକର ଯୁଗଯନ୍ତ୍ରଣାରୁ କ’ଣ ସତରେ ମୁକ୍ତି ନାହିଁ!

ଦୀପ୍ତିମୟୀ ମହାପାତ୍ର
ଏଲ୍‌-୮୭୯, ଡୁମୁଡୁମା, ଭୁବନେଶ୍ୱର
ମୋ: ୭୯୭୮୦୩୮୭୯୯


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri