ଅପେକ୍ଷାର ଯନ୍ତ୍ରଣା ଓ ଆନନ୍ଦ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ

ମଣିଷ ହେଉ କି ମଣିଷର ଶବ, ପ୍ରିୟ ପୁରୁଷ ହେଉ କି ପ୍ରିୟାର ପ୍ରେମପତ୍ର, କାହା ପାଇଁ ଅପେକ୍ଷା କରିବା କେତେ ଯନ୍ତ୍ରଣାଦାୟକ, ତାହା ଭୁକ୍ତଭୋଗୀ ବ୍ୟତୀତ ଅନ୍ୟ କେହି ଜାଣିପାରିବେ ନାହିଁ। ଦୂରରୁ କେହି ଆସୁଛନ୍ତି, ଅଥଚ ପାଖରେ ପହଞ୍ଚୁ ନାହାନ୍ତି, ପୁଣି କାହାକୁ ଭେଟିବାର ଅଛି, ମାତ୍ର କେଇ ମିଟର ଦୂରରେ ଥାଇ ସାକ୍ଷାତର ସୁଯୋଗ ମିଳୁନାହିଁ, ଅନ୍ତହୀନ ଅପେକ୍ଷାର ବଡ଼ ଦାରୁଣ ଅନୁଭବ ୟେ। ଲାଗୁଥିବ, ନିଜ ବାଞ୍ଛିତ ବସ୍ତୁ ବା ଈପ୍‌ସିତ ମଣିଷଟି ଦୂରକୁ ଘୁଞ୍ଚି ଘୁଞ୍ଚି ଯାଉଛି। ଅପ୍ରାପ୍ତିର ପ୍ରତ୍ୟେକ ମୁହୂର୍ତ୍ତ ପାଲଟି ଯାଉଛି ଘଣ୍ଟାଠାରୁ ଆହୁରି ଦୀର୍ଘ।
କେଉଁଠାକୁ ଯିବାକୁ ଥିବ ବା ଅନ୍ୟ କେଉଁଠୁ କାହାର ଆସିବାର ଥିବ। ଷ୍ଟେସନରେ ପହଞ୍ଚି ଜାଣିିବାକୁ ମିଳିବ ଟ୍ରେନ୍‌ ତିନିଘଣ୍ଟା ବିଳମ୍ବ। ସମସ୍ତ ପ୍ରସ୍ତୁତି ସହ ଚାକିରିଟିଏ ପାଇଁ ସାକ୍ଷାତ୍‌କାର ଦେବାର ଥିବ, ଖବର ମିଳିବ ଅନ୍ତିବାର୍ଯ୍ୟ କାରଣ ପାଇଁ କର୍ତ୍ତୃପକ୍ଷ ସାକ୍ଷାତ୍‌କାର ଘୁଞ୍ଚାଇ ଦେଇଛନ୍ତି ଅନ୍ୟ ଏକ ତାରିଖକୁ। ପୁଣି ନିର୍ବନ୍ଧ ସରିଯାଇଛି। ବିବାହ ପାଇଁ କନ୍ୟାଘରେ ଯାବତୀୟ ପ୍ରସ୍ତୁତି ପର୍ବ ଚାଲିଥିଲାବେଳେ ଖବର ମିଳିବ, ବରର ଜେଜେବାପାଙ୍କ ଦେହାନ୍ତ ପାଇଁ ଏବେ ବିବାହ ବନ୍ଦ, ଅନ୍ୟ ଏକ ତିଥିକୁ ନିର୍ଘଣ୍ଟ। ଏସବୁ ଅପେକ୍ଷା ପୀଡାଦାୟକ ନିଶ୍ଚୟ, ମାତ୍ର ଏ ଅପେକ୍ଷାର ଅବଧି ନିୟନ୍ତ୍ରଣରେ ଥାଏ। ଉପଲବ୍‌ଧି ବିଳମ୍ବିତ ହୁଏ ସିନା, ଅନିଶ୍ଚିତ ହୁଏନା।
ମାତ୍ର ଆଉ କିଛି ଅପେକ୍ଷାର ଅନ୍ୟ ନାମ କେବଳ ଅନିଶ୍ଚିତତା। ଏଭଳି ଅପେକ୍ଷାର ଅବସାନ କେବେ ହେବ ତାହା ଅପେକ୍ଷା କରୁଥିବା ଲୋକର ନିୟନ୍ତ୍ରୟଣରେ ନ ଥାଏ। କାରଣ ଯାହାଙ୍କ ପାଇଁ ଏ ଅପେକ୍ଷା, ସେ ଏତେ ମାମୁଲି ଲୋକ ନୁହନ୍ତି ଯେ କେହି ତାଙ୍କୁ ଘଣ୍ଟା ଦେଖାଇ କୈଫିୟତ ମାଗିବ! କହିପାରିବ, ”ସମୟଟା କ’ଣ ତୁମର ବ୍ୟକ୍ତିଗତ ସମ୍ପତ୍ତି ଯେ ତାକୁ ଯେମିତି ଚାହିଁବ ସେମିତି ଭୋଗ କରିବ! ଆମ ଭଳି ସାଧାରଣ ଲୋକଙ୍କ ସମୟର କ’ଣ କିଛି ମୂଲ୍ୟ ନାହିଁ?“ ମନ ଭିତରେ ଏମିତି ଯେତେ ପ୍ରଶ୍ନ ଉଠିଲେ ବି ତାହା ଉଚ୍ଚାରିତ ହେବାକୁ ସୁଯୋଗ ପାଇବ ନାହିଁ। ‘ବଡ଼ ଲୋକଙ୍କୁ ଉତ୍ତର ନାହିଁ’ ନ୍ୟାୟରେ ଏମିତି ପ୍ରଶ୍ନ ପଚାରି କେହି ନିଜ ଔଦ୍ଧତ୍ୟର ପ୍ରମାଣ ଦେବାକୁ ଆଗେଇ ଆସିବ ନାହିଁ।
ସୁତରାଂ ସଭାର ମୁଖ୍ୟ ଅତିଥି ବା ଉଦ୍‌ଘାଟକ ହେବାକୁ ସଦୟ ସ୍ବୀକୃତି ଦେଇଥିବା କେହି ବରେଣ୍ୟ ଜନନେତା ନିର୍ଦ୍ଧାରିତ ସମୟର ଦୁଇଘଣ୍ଟା ବିଳମ୍ବରେ ଆସି ପହଞ୍ଚିଲେ ବି ତାଙ୍କ ଗଳାରେ ଲମ୍ବିଯିବା ପାଇଁ ଫୁଲମାଳମାନେ ପରମ ତୃପ୍ତିରେ ବ୍ୟାକୁଳ ପ୍ରତୀକ୍ଷାରେ ଥିବେ ସିନା, କେବେ ବି ମଉଳିଯିବେ ନାହିଁ। ଅତିଥି ମହୋଦୟ ପୁଲକିତ ହୋଇଉଠିବେ ଅପେକ୍ଷମାଣ ଦର୍ଶନାର୍ଥୀଙ୍କୁ ଦେଖି। ମନେ ମନେ ସାବାସି ଦେଉଥିବେ ନିଜ ଭିତରେ ଥିବା ସମର୍ଥ ନେତୃପୁରୁଷକୁ । ନିଜ ନିଜର ଜଞ୍ଜାଳଙ୍କୁ ପଛରେ ପକାଇ ଶହ ଶହ ଲୋକ ଘଣ୍ଟା ଘଣ୍ଟା ଧରି ଯଦି ତାଙ୍କୁ ଅପେକ୍ଷା ନ କଲେ, ତେବେ ଧିକ ସେଇ ନେତୃତ୍ୱକୁ! ଅବଶ୍ୟ ମହାମାନ୍ୟ ଅତିଥି ଅତ୍ୟନ୍ତ ଉଦାର ଚିତ୍ତରେ ମାଇକ୍ରୋଫୋନ ଆଗରେ ନିଜ ବିଳମ୍ବ ପାଇଁ କ୍ଷମା ଚାହିଁବେ। ଏ ସବୁ ସଭାସମିତିରେ ନିଜ ଉପସ୍ଥିତି ଅପେକ୍ଷା ଜନଗଣଙ୍କ କଲ୍ୟାଣ ପ୍ରତି ସେ ସତତ ସମର୍ପିତ ବୋଲି ଦାବି କରିବେ।
ତେବେ ମହମ୍ମଦ ପର୍ବତ ପାଖକୁ ନ ଯାଇ ପର୍ବତ ଯଦି ମହମ୍ମଦଙ୍କ ପାଖକୁ ଯାଏ ତେବେ ସେତେବେଳେ ଦେଖିବାକୁ ମିଳିବ ଭିନ୍ନ ଏ ମହମ୍ମଦଙ୍କୁ। ମାନନୀୟ ଥିବେ ଉପରେ। ତଳେ ଥିବେ ବେଶ୍‌ କିଛି ଲୋକ ଅପେକ୍ଷାରେ। ନିଜ ନିଜର ଗୁହାରି ଜଣାଇ ବରାଭୟ ଲାଭ କରିବାକୁ ଆସିଥିବେ ସେମାନେ। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କଲା ପରେ ସଂଲଗ୍ନ କର୍ମଚାରୀଙ୍କୁ ମାନନୀୟ କେତେବେଳେ ଉପଲବ୍ଧ ହେବେ ବୋଲି ପଚାରିଲେ ଉତ୍ତର ମିଳିବ, ‘ଅପେକ୍ଷା କର’। ପୁଣି ଅପେକ୍ଷା ଯେତେ ଯନ୍ତ୍ରଣାଦାୟକ ହେଲେ ବି ପ୍ରତିଶ୍ରୁତି ବା ସେଭଳି କିଛି ପାଇବା ଆଶାରେ ସବୁ ଯନ୍ତ୍ରଣା ସହି ହୋଇଯାଉଥିବ। ଅଥଚ ସମସ୍ତଙ୍କ ବିକଳ ପ୍ରତୀକ୍ଷାର ଅନ୍ତ ଘଟାଇ ମହୋଦୟ ଉପରୁ ତଳକୁ ଆସିବେ ଓ ତାଙ୍କୁ ଏତେ ସମୟ ଧରି ଅପେକ୍ଷା କରୁଥିବା ଲୋକଙ୍କୁ ଆଡ ଆଖିରେ ବି ନ ଚାହିଁ କାର୍‌ରେ ବସି ଚାଲିଯିବେ! ଛୋଟ କୈଫିୟତଟିଏ ଶୁଣାଯିବ ଦପ୍ତରର କର୍ମଚାରୀଙ୍କ ଆଡ଼ୁ ” ଏକ ଜରୁରୀ କାର୍ଯ୍ୟରେ ମହୋଦୟ ବାହାରକୁ ଚାଲିଗଲେ। କାଲି ଆସନ୍ତୁ, ଦେଖା ହେବ।“ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାର ଯନ୍ତ୍ରଣା ଯାହା ତୀବ୍ରରୁ ତୀବ୍ରତର ହୋଇ ଆସୁଥିବ, ତାହା ଅଚାନକ ବିଲୀନ ହୋଇଯିବ ଅପ୍ରାପ୍ତିର ଅନ୍ଧକାର ମଧ୍ୟରେ । ଗୋଟିଏ ଆଶାର ଅପମୃତ୍ୟୁ ଘଟୁଥିବା ବେଳେ ନୂଆ ଆଶାଟିଏ ମୁଣ୍ଡ ଟେକୁଥିବ ଆସନ୍ତାକାଲିର ଅପେକ୍ଷା ହୋଇ!!
ଅପେକ୍ଷାର ଲମ୍ବାଧାଡ଼ି ଆହୁରି ଦେଖିବାକୁ ମିଳେ ଉଚ୍ଚରୁ ସର୍ବୋଚ୍ଚ ଦପ୍ତରର ହାକିମମାନଙ୍କ ଅଫିସ୍‌ କକ୍ଷ ଆଗରେ। ଆପଣାର ନାମ, ଧାମ ଓ ସାକ୍ଷାତର କାରଣ ଦର୍ଶାଇ ଚିଟ୍‌ ପଠାଇ ଅପେକ୍ଷା କରିବାକୁ ପଡ଼େ ବହୁ ସମୟ ଧରି। ସମୟ ଯେତେ ବିଳମ୍ବିତ ହେଉଥାଏ, ସର୍ବୋଚ୍ଚ ହାକିମଙ୍କ ହୃଦୟ ଓ ମଗଜର ହାବଭାବ ସମ୍ପର୍କରେ ଚିନ୍ତା କରି ଦର୍ଶନାର୍ଥୀର ହୃଦସ୍ପନ୍ଦନ ସେତେ ବଢ଼ିବଢ଼ି ଚାଲିଥାଏ ସିନା, ଡାକରା ସହଜରେ ଆସେନା। ଗଳାରେ ସଂଭ୍ରାନ୍ତ ସନ୍ତକନାମା ଝୁଲାଇ ସରକାରୀ ସିଂହାସନରେ ବସିଥିବା ମହାମହିମଙ୍କ ପାଖକୁ କେହି କେହି ବି ବିନା ଚିଟ୍‌ରେ ଯା’ଆସ କରୁଛନ୍ତି।
ଅଥଚ ଯେଉଁମାନଙ୍କ କରରେ ସମୃଦ୍ଧ ହୋଇଥାଏ ହାକିମଙ୍କ କୁର୍ସି, ସେଇ ସାଧାରଣବର୍ଗଙ୍କଠାରୁ ଚିଟ୍‌ ନାମରେ ଦାବି କରାଯାଏ ସୌଜନ୍ୟ ଓ ଶୃଙ୍ଖଳା। ସାମନ୍ତବାଦର ସ୍ପ୍ରିଂ ଦିଆ ଦରଜା ସେପଟରେ ହାକିମଙ୍କ ନଥି କାର୍ଯ୍ୟ ଶେଷ ହେଲା ପରେ ଯେଉଁ ବହୁ ପ୍ରତୀକ୍ଷିତ ଡାକରା ଆସେ, ସେଇ ଡାକରା ଅପେକ୍ଷାରେ ଅବସାନ ଘଟାଏ ସିନା, ପ୍ରାର୍ଥନା ତଥାପି ଅପୂରଣୀୟ ରହିଯାଏ। ନାଲିଫିତାର ଫାଶ ଭିତରୁ ସହଜରେ ମୁକୁଳି ପାରେନା ବିଚରା ସାଧାରଣ ଲୋକଟିର ଆକୁଳ ପ୍ରାର୍ଥନା। ବାରମ୍ବାର ଲୋଡା ପଡେ ପ୍ରାର୍ଥନା ପେସ୍‌ କରିବାର ସେଇ ମହର୍ଗ ସାକ୍ଷାତ ଓ ଗୋଟିଏ ସାକ୍ଷାତ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାର ଦାରୁଣ ଯନ୍ତ୍ରଣା।
କିଛିଦିନ ତଳେ ନିଜ ପେନ୍‌ସନ୍‌ ବିଭ୍ରାଟ ସମ୍ପର୍କରେ ଆଲୋଚନା କରିବାକୁ ଜଣେ ପଦବୀମୁକ୍ତ ହାକିମ ଆପଣାର ସୁଦୃଶ୍ୟ ପରିଚୟ ପତ୍ର ପଠାଇ ବହୁ ସମୟ ଅପେକ୍ଷା କରିବା ପରେ ଡାକରା ନ ଆସିବାରୁ ବ୍ୟସ୍ତ ହୋଇପଡିଲେ। ନୀରବରେ ବସି ବସି ଅତୀତରେ ହଜାଇ ଆସିଥିବା ନିଜ ଉଜ୍ଜ୍ୱଳ ପଦବୀର ଅନ୍ଧାରୀ ଅଧ୍ୟାୟକୁ ମନେପକାଉଥିଲେ ସେ। ଏପଟେ ତାଙ୍କ ପରିଚୟ ପତ୍ରକୁ ହାତରେ ଧରି ପେନ୍‌ସନ୍‌ ଅଧିକାରୀ ଜଣେ ସହକର୍ମୀଙ୍କୁ କହୁଥିଲେ, ନିଜ ଚାକିରି କାଳ ଭିତରେ ଏମିତି କେତେ ଲୋକଙ୍କୁ କେତେ ସମୟ ଅପେକ୍ଷା କରାଇଥିବେ ଏ ମହାତ୍ମା।
ଏବେ ବୁଝନ୍ତୁ ଅପେକ୍ଷା କରାଇବାର ଆନନ୍ଦ କେତେ ଓ ଅପେକ୍ଷା କରିବାର ଯନ୍ତ୍ରଣା କେତେ!
ପ୍ରକୃତରେ ପଛ ଧାଡିର ସାଧାରଣ ମଣିଷଙ୍କୁ ଅବଜ୍ଞା କରୁଥିବା ‘ଆଗଧାଡିର ମହଙ୍ଗା ମଣିଷମାନେ ଯଦି ଥରେ ଜାଣନ୍ତେ ଯେ ମହାକାଳ ଦିନେ ସେମାନଙ୍କୁ ନିର୍ଦ୍ଦୟ ଭାବେ ପଛଧାଡିକୁ ଫିଙ୍ଗିଦେବ, ତେବେ ସେମାନେ ହୁଏତ ନିଜ କର୍ମକୁ ନେଇ ଉନ୍ମତ୍ତ ହୁଅନ୍ତେ ନାହିଁ ା ନିଜକୁ ଅନନ୍ୟ, ଅସାଧାରଣ ମନେକରି କେଇ ମିନିଟ୍‌ର ସାକ୍ଷାତ ପାଇଁ ସାଧାରଣମାନଙ୍କୁ କେଇ ଘଣ୍ଟା ଅପେକ୍ଷା କରାନ୍ତେ ନାହିଁ ା ମାତ୍ର ଏହା ହିଁ ବିଡମ୍ବନା ଯେ, ରଙ୍ଗମଞ୍ଚର ନକଲି ଚେହେରା ଏମାନଙ୍କୁ ମୋହାବିଷ୍ଟ କରି ପକାଏ ଓ ସେମାନେ ଯେ କିଛି ସମୟ ପାଇଁ ଅନ୍ୟମାନଙ୍କ ଠୁଁ ଭିନ୍ନ, ସବୁ ସମୟ ପାଇଁ ନୁହେଁ, ଏକଥା ବିସରି ଯାଆନ୍ତି ା ତେବେ ଅପେକ୍ଷା କରାଉଥିବା ଲୋକଟି ଆନନ୍ଦ ପାଏ କି ନାହିଁ କେଜାଣି, କିନ୍ତୁ ଏ କଥା ସତ୍ୟ ଯେ, ଅପେକ୍ଷା କରୁଥିବା ଲୋକଟି ଯନ୍ତ୍ରଣା ହିଁ ପାଉଥାଏ। ମାତ୍ର କଦବା କେମିତି ଏମିତି କିଛି ବିରଳ ବ୍ୟତିକ୍ରମ ପରିଲକ୍ଷିତ ହୁଏ, ଯାହା ଏକ ସଦାସ୍ବୀକୃତ ସତ୍ୟକୁ ସମ୍ପୂର୍ଣ୍ଣ ଓଲଟାଇ ଦିଏ।
ବିଶ୍ୱବନ୍ଦିତ ବିଜ୍ଞାନୀ ଆଇନଷ୍ଟାଇନଙ୍କ ଜୀବନର ଛୋଟ ଏକ ଘଟଣା ସେମିତି ଏକ ବ୍ୟତିକ୍ରମ।
ନିୟୁର୍କର ଏକ କମନୀୟ ସନ୍ଧ୍ୟାକୁ ଉପଭୋଗ କରିବା ଲକ୍ଷ୍ୟରେ ଦିନେ ଆଇନଷ୍ଟାଇନ ତାଙ୍କ ଗବେଷଣାଗାରରୁ ପଦାକୁ ବାହାରି ଆସିଲେ ଓ ଧୀର ଗତିରେ ପଦଚାରଣ କରିବାକୁ ଲାଗିଲେ ରାଜପଥ ଉପରେ। ଅନ୍ୟମନସ୍କ ଭାବେ ଚାଲୁ ଚାଲୁ ସେ ରାସ୍ତା ମଝିକୁ ଚାଲି ଆସିଲେ। ଅଚାନକ ତାଙ୍କ ଏହି ଅନ୍ୟମନସ୍କତା ଦୂର ହୋଇଗଲା, ଯେତେବେଳେ ସେ ଦେଖିଲେ ଯେ, ତାଙ୍କ ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ମୋଟର ଶୃଙ୍ଖଳିତ ସେମାନଙ୍କ ଭଳି କୌଣସି ସଙ୍କେତକୁ ଅପେକ୍ଷା କରି ଛିଡା ହୋଇ ରହିଛନ୍ତି। ସେ ଗୋଟିଏ କାର ପାଖରେ ନଇଁପଡିଲେ ଓ ଅତ୍ୟନ୍ତ ଉତ୍ସୁକତାର ସହ କାର ଡ୍ରାଇଭରଙ୍କୁ ପଚାରିଲେ ‘ନିକଟରେ ତ କାହିଁ କେଉଁଠି ସିଗ୍‌ନାଲ ପୋଷ୍ଟରେ ଲାଲ ସଙ୍କେତ ନାହିଁ। ତେବେ ଗାଡି ସବୁ ଏମିତି ଅଟକି ଯାଇଛନ୍ତି କାହିଁକି ? କେଉଁଠି କିଛି ଦୁର୍ଘଟଣା ଘଟିନାହିଁ ତ ?“
ଅଳ୍ପ ହସି ବିନମ୍ରତାର ସହ ଡ୍ରାଇଭର ଉତ୍ତର ଦେଲେ, ନାହିଁ, କେଉଁଠି କିଛି ଦୁର୍ଘଟଣା ଘଟିନାହିଁ ା ଗାଡି ମୋଟର ବିକଟ ଗର୍ଜନରେ ଆପଣଙ୍କ ଭାବନାରେ ବାଧା ସୃଷ୍ଟି ହେବ ବୋଲି ଗାଡି ଚାଳକମାନେ ଗାଡି ଚାଳନାରୁ ନିବୃତ୍ତ ରହିଛନ୍ତି ା ଚାଳକଙ୍କ କଥାରେ ଆଇନଷ୍ଟାଇନଙ୍କ ଉପରେ ଆକାଶ ଖସିପଡିଲା ପରି ବୋଧ ହେଲା। ବିଜ୍ଞାନାଗାରରୁ ବାହାରକୁ ଆସି କେଡେ ଅପରାଧଟିଏ କରିନାହାନ୍ତି ସେ। ଏତେ ଲୋକଙ୍କୁ ଏତେ ସମୟ ଧରି ଅପେକ୍ଷାରେ ରଖିଛନ୍ତି। ସେ ଆଉ କି ମଣିଷଟିଏ ଯେ, ତାଙ୍କ ପାଇଁ ଏତେ ଲୋକ ଅଟକି ରହିବେ। ନିଜ ମୁହଁ ଲୁଚାଇବାକୁ ତରବରରେ ବିଜ୍ଞାନାଗାର ଭିତରକୁ ପଶିଗଲେ ଆଇନଷ୍ଟାଇନ।
ନିଜ ନିଜ ପରିସରରେ ସାଧାରଣ ଲୋକଙ୍କୁ ଅପେକ୍ଷା କରାଇ ପାରିବାର ବିରଳ ଅଧିକାର ହାସଲ କରିଥିବା ତଥାକଥିତ ଅଢେଇଦିନିଆ ଅସାଧାରଣମାନଙ୍କ ହୃଦୟ ଆଇନଷ୍ଟାଇନଙ୍କ ପରି ହୁଅନ୍ତା ସିନା, ଯେତେ ବିଳମ୍ବ ହେଲେ ବି ଅପେକ୍ଷା, ଯନ୍ତ୍ରଣାଦାୟକ ହୁଅନ୍ତା ନାହିଁ। ସେମିତି ଲୋକଙ୍କ ପାଇଁ ଅପେକ୍ଷା କରିବାରେ ମିଳନ୍ତା ଏକ ଅଦ୍‌ଭୂତ ଅଫୁରନ୍ତ ଆନନ୍ଦ।
-ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିଆଣି, ଭୁବନେଶ୍ୱର,
ମୋ-୮୮୯୫୬୨୪୧୦୫

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri