ଅସୁସ୍ଥ ଘୋଡ଼ାକୁ ଛାଡ଼ି ଚାଲିଗଲେ ମାଲିକ

ବୈଶିଙ୍ଗା,୫ା୮(ଡି.ଏନ.ଏ.): ଘୋଡ଼ାକୁ ନିଜ କାମରେ ଲଗାଇ ବହୁ ଅର୍ଥ ରୋଜଗାର କରିଥିଲେ ମାଲିକ। ହେଲେ କଥା କହି ପାରୁ ନ ଥିବା ଏହି ଘୋଡ଼ାଟି ଯେବେ ଅସୁସ୍ଥ ହୋଇପଡ଼ିଲା ମାଲିକ ତାଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପଳାଇଗଲେ। ମାନବିକତାଶୂନ୍ୟ ଏଭଳି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରାଣୀପ୍ରେମୀମାନେ ଦାବି କରିଛନ୍ତି। ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆସ୍ଥିତ ୧୮ନଂ. ଜାତୀୟ ରାଜପଥ ପାଶର୍‌ବ ଏକ ଢ଼ାବା ନିକଟରେ ଗୁରୁବାର ଏଭଳି ଘଟଣା ଦେଖିବାକୁ ମିଳିଛି। ପୂର୍ବାହ୍ନରେ ଏକ ବିଦ୍ୟୁତ୍‌ ଖୁଣ୍ଟରେ ଘୋଡ଼ାଟିଏ ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା। ଖବର ପ୍ରଚାର ହେବା ପରେ ବହୁ ଲୋକ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ଘୋଡ଼ା ମାଲିକଙ୍କ ସନ୍ଧାନ ପାଇ ନ ଥିଲେ। ଘୋଡ଼ାର ପଛ ଗୋଡ଼ରେ ଗଭୀର କ୍ଷତ ହୋଇଥିବା ଦେଖି ସ୍ଥାନୀୟ ଲୋକେ ବନ ଓ ପ୍ରାଣୀ ସମ୍ପଦ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ପ୍ରାଣୀ ଚିକିତ୍ସକ ପହଞ୍ଚି କ୍ଷତ ସ୍ଥାନର ପ୍ରାଥମିକ ଚିକିତ୍ସା କରିଥିଲେ। ତେବେ ଅସୁସ୍ଥ ଘୋଡ଼ାଟି କେଉଁଠି ରହିବ ତାର କୌଣସି ବ୍ୟବସ୍ଥା କରିବାକୁ ଉଭୟ ବିଭାଗର କର୍ମଚାରୀ ଅକ୍ଷମତା ପ୍ରକାଶ କରିଥିଲେ। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଘୋଡ଼ାଟି ଉକ୍ତ ସ୍ଥାନରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଲାଗି ସ୍ଥାନୀୟ ପ୍ରାଣୀପ୍ରେମୀମାନେ ଦାବି କରିଛନ୍ତି।