ଶୁଖିଲା ପଡୁଛି ଓଭରହେଡ୍‌ ପାଣି ଟାଙ୍କି

କଟକ ସଦର,୧୫ା୫(ଡି.ଏନ୍‌.ଏ.): ଗ୍ରୀଷ୍ମପ୍ରବାହ ଯୋଗୁ କଟକ ସଦର ବ୍ଲକ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଜାରି ରହିଛି। ଏଥିଯୋଗୁ ନିର୍ଦ୍ଧାରିତ ସମୟରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପଗୁଡ଼ିକ ଚାଲିପାରୁନାହିଁ। ଫଳରେ ଲୋକମାନେ ପିଇବା ପାଣି ପାଇପାରୁନାହାନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ବ୍ଲକର ୩୦ଟି ସ୍ଥାନରେ ଓଭରହେଡ୍‌ ପାଣିଟାଙ୍କି ନିର୍ମାଣ କରାଯାଇଛି। ହେଲେ ଅଧିକାଂଶ ସମୟରେ ସେଥିରେ ଆଗୁଆ ପାଣି ମହଜୁଦ କରି ରଖାଯାଉନାହିଁ। ସକାଳ ଓ ସନ୍ଧ୍ୟାରେ ଜଳ ଯୋଗାଣରେ ସମୟାନୁବର୍ତ୍ତିତା ରହୁନାହିଁ। ଜଳ ଯୋଗାଣ ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିବାରୁ ଏଥିପ୍ରତି ନବନିର୍ବାଚିତ ସରପଞ୍ଚମାନେ ଦୃଷ୍ଟି ଦେବା ଆବଶ୍ୟକ ବୋଲି କଟକ ସଦର ବ୍ଲକ କଂଗ୍ରେସ ସଭାପତି ପ୍ରତାପ ମଲ୍ଲିକ କହିଛନ୍ତି। ଅନେକ ଟାଙ୍କିରୁ ପାଣି ଆପେ ଆପେ ଝରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। ନିମ୍ନମାନର କାମ ହୋଇଥିବାରୁ ଉକ୍ତ ଟାଙ୍କିରେ ପାଣି ଭର୍ତ୍ତି କଲେ ବେଶି ସମୟ ରହୁନାହିଁ। ରାତିରେ ପାଣି ଭର୍ତ୍ତି କଲେ ସକାଳକୁ ଖଲାସ ହୋଇଯାଉଛି। ବାରମ୍ବାର ଟାଙ୍କିରେ ପାଣି ଭର୍ତ୍ତି କରିବା ଦ୍ୱାରା ବିଦ୍ୟୁତ୍‌ ବିଲ୍‌ ଅଧିକ ଆସୁଛି। ତେଣୁ ପାଣିପମ୍ପ ଚଳାଉଥିବା ଲୋକେ ବାରମ୍ବାର ଟାଙ୍କିରେ ପାଣି ଭର୍ତ୍ତି କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଅଭିଯୋଗ ସମ୍ପର୍କରେ ବ୍ଲକ କନିଷ୍ଠ ଯନ୍ତ୍ରୀ ସୁନୀତା ମହାନ୍ତିଙ୍କୁ ପଚାରିବାରୁ ଏଥିପ୍ରତି ପଦକ୍ଷେପ ନିଆଯିବ ବୋଲି କହିଥିଲେ।