ଆଉ ଦୁଇ ଅଭିଯୁକ୍ତଙ୍କୁ ୱାଣ୍ଟେଡ୍‌ ଘୋଷଣା କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ଫେରାର ଥିବା ଆଉ ଦୁଇ ଅଭିଯୁକ୍ତଙ୍କୁ କ୍ରାଇବ୍ରାଞ୍ଚ ୱାଣ୍ଟେଡ୍‌ ଘୋଷଣା କରିଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏବଂ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଫ୍‌)ର ପୃଥକ ମାମଲାରେ ଉଭୟ ଅଭିଯୁକ୍ତ ଥିଲେ॥ ଇଓଡବ୍ଲ୍ୟୁ ମାମଲାରେ ୱାଣ୍ଟେଡ୍‌ ହେଲେ ବରଗଡ଼ ଜିଲା ସଦର ଥାନା ଅଞ୍ଚଳର ହରପାଲ୍‌ ସିଂ ଓ ଏସ୍‌ଟିଫ୍‌ ମାମଲାରେ ୱାଣ୍ଟେଡ୍‌ ହେଲେ ଗଞ୍ଜାମ ଜିଲା କୋଦଳା ଥାନା ଜଗନ୍ନାଥପୁର ଗ୍ରାମର ଅନିଲ ପାଣ୍ଡି। ଏମାନଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ କ୍ରାଇମବ୍ରାଞ୍ଚ ପୃଥକ ଫୋନ୍‌ ନମ୍ବର ଜାରି କରିଛି। ଅଭିଯୁକ୍ତ ହରପାଲ୍‌ଙ୍କ ପାଇଁ ୯୪୩୭୦୯୩୪୧୪ ଏବଂ ଅଭିଯୁକ୍ତ ଅନିଲଙ୍କ ପାଇଁ ୭୮୯୪୪୨୩୬୧୦ ମୋବାଇଲ ନମ୍ବରରେ ସୂଚନା ଦେବା ପାଇଁ କୁହାଯାଇଛି। ଏମାନଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ଦିଆଯିବ। ଏଥିସହ ସୂଚନାଦାତାଙ୍କ ନାମ ଗୋପନ ରଖାଯିବ ବୋଲି ଇଓଡବ୍ଲ୍ୟୁ ଓ ଏସ୍‌ଟିଏଫ୍‌ ପକ୍ଷରୁ ଗୁରୁବାର ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ଏମ୍‌/ଏସ୍‌ ହର୍‌ପାଲ ଫାର୍ମ ଏକ୍ୟୁପ୍‌ମେଣ୍ଟ୍‌ସର ମାଲିକ ହେଉଛନ୍ତି ଅଭିଯୁକ୍ତ ହରପାଲ। ସେ ନିଜ ସଂସ୍ଥା ମାଧ୍ୟମରେ ବିଭିନ୍ନ ଚାଷୀଙ୍କୁ କୃଷି ଉପକରଣ ଯୋଗାଉଥିଲେ। ୨୦୧୮ରୁ ୨୦୨୦ ମଧ୍ୟରେ ୨୮୧ଜଣ ଚାଷୀଙ୍କୁ ଚାଷୀ ଉପକରଣ ଦେଇଛନ୍ତି ବୋଲି ଜାଲ କାଗଜପତ୍ରରେ ଦର୍ଶାଇ ୩ କୋଟି ୫୦ ଲକ୍ଷ ଟଙ୍କା ସବ୍‌ସିଡି ଟଙ୍କା ଉଠାଇ ନେଇଥିଲେ। ଏନେଇ ଅଭିଯୋଗକ୍ରମେ ଗତ ଏପ୍ରିଲ ୨୩ରେ ଇଓଡବ୍ଲ୍ୟୁ ମାମଲା(ନଂ.୭/୨୧) ରୁଜୁ କରିଥିଲା। ଏହାପରେ ସେ ଫେରାର ହୋଇଯାଇଥିଲେ। ସେହପିର ଏସ୍‌ଟିଏଫ୍‌ ପାଇଁ ୱାଣ୍ଟେଡ୍‌ ଥିବା ଅଭିଯୁକ୍ତ ଅନିଲ ଜଣେ ନିଶା ବେପାରୀ। ସେ ବ୍ରାଉନସୁଗାର, ଗଞ୍ଜେଇ ଏବଂ ଅନ୍ୟାନ୍ୟ ନିଶା କାରବାର କରନ୍ତି। ତାଙ୍କ ନାମରେ ଏସ୍‌ଟିଫ୍‌ ମାମଲା (ନଂ.୨୯/୨୧) ରୁଜୁ କରିବାପରେ ସେ ଫେରାର ହୋଇଯାଇଛନ୍ତି।