ଓଏସ୍‌ଏପି ବାଟାଲିୟନ ଅଫିସ ଏବେ ଭୂତକୋଠି

କେନ୍ଦୁଝର, ୧୮।୪ (ସ୍ବ.ପ୍ର.): କେନ୍ଦୁଝର ପୁରୁଣା ସହରରେ ଥିବା ପୋଲିସ ବିଭାଗର ଓଏସ୍‌ଏପି ୨ୟ ବାଟାଲିୟନ ଅଫିସ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଜିଲାର ସୁରକ୍ଷା ପାଇଁ ଏଠାରେ ବହୁ ସଂଖ୍ୟାରେ ସୁରକ୍ଷାବଳ ରହୁଥିଲେ। ଦୀର୍ଘ ବହୁ ବର୍ଷ ହେଲା ଏହା ଅବ୍ୟବହୃତ ହୋଇ ପଡିଥିବାରୁ ଏହାର ପରିସର ଅପନ୍ତରା ହୋଇ ପଡିରହିଛି ା
ଏନେଇ ସ୍ଥାନୀୟ ଅଧିବାସୀ ମାନେ ଜିଲା ପୋଲିସ ମୁଖ୍ୟଙ୍କୁ ଜଣାଇଥିଲେ ହେଁ ବ୍ୟବହାର କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଫଳରେ କୋଟି କୋଟି ଟଙ୍କା ମୂଲ୍ୟର କୋଠାବାଡ଼ି ଦୀର୍ଘ ବର୍ଷ ହେଲା ବ୍ୟବହାର ହେଉ ନ ଥିବାରୁ ଭୂତକୋଠିରେ ପରିଣତ ହେବାକୁ ବସିଛି ା
ବର୍ଷ ପୂର୍ବେ ଏଠାରେ ବାଟାଲିଅନ ପୋଲିସ ରହୁଥିବାରୁ ଚଳଚଞ୍ଚଳ ରହୁଥିଲା। ବାଟାଲିୟନ ଅନ୍ୟ ଜିଲାକୁ ଉଠିଯିବା ପରେ ଏହି ଅଞ୍ଚଳ ଖାଲି ପଡିଥିଲା। ପରବର୍ତ୍ତୀ ସମୟରେ ଏହାକୁ ଜନକଲ୍ୟାଣ କାର୍ଯ୍ୟରେ ଉପଯୋଗ କରି କଲ୍ୟାଣ ମଣ୍ଡପ ଖୋଲାଯାଇଥିଲା। ବିବାହ, ବ୍ରତ, ଜନ୍ମଦିନ ଆଦି ସାମାଜିକ କାର୍ଯ୍ୟ ଅନୁଷ୍ଠିତ ହେଉଥିଲା। କିନ୍ତୁ ପରେ ଏହି କାର୍ଯ୍ୟକୁ ବନ୍ଦ କରିଦେବା ଫଳରେ ଏହା ବନ୍ଦ ରହିଛି ା ଦୀର୍ଘ ବର୍ଷ ଧରି ବନ୍ଦ ରହିବା ଫଳରେ ଏହାର ପରିସର ଜଙ୍ଗଲ ହୋଇ ସାପ, ପୋକଜୋକ ଆଦିଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଏହାକୁ ବ୍ୟବହାର କରା ନ ଗଲେ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ମତ ପ୍ରକାଶ ପାଉଛି। ଏଣୁ ଏହାକୁ ପୁଣିଥରେ ଲୋକଙ୍କ ବୃହତ୍ତ ସ୍ବାର୍ଥ ପାଇଁ ସାଇବର ଥାନା ବା ଏନ୍‌ସିସି ଅଫିସ କିମ୍ବା ପୂର୍ବପରି କଲ୍ୟାଣମଣ୍ଡପ କାମରେ ବ୍ୟବହାର କରିବାକୁ ସ୍ଥାନୀୟ ସରୋଜ କୁମାର ରଣା କହିଛନ୍ତି ା ଯୋଗେଶ୍ୱର ଧୀର, କୈଳାସ ଚନ୍ଦ୍ର ସ୍ବାଇଁ, ବ୍ରହ୍ମାନନ୍ଦ ପଟ୍ଟନାୟକ, ଚନ୍ଦ୍ର ଶେଖର ବ୍ରହ୍ମ, ଜୟନ୍ତ କୁମାର ମହାନ୍ତି, ନବ କିଶୋର ସାହୁ ସମେତ ବହୁ ଦସ୍ତଖତ କରି ଜିଲା ପୋଲିସ ମୁଖ୍ୟଙ୍କୁ ଏହାର ସୁରକ୍ଷା ଏବଂ ଜନ କଲ୍ୟାଣ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଲିଖିତ ଭାବେ ଜଣାଇଛନ୍ତି।