ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ ରଖିଲା ଓପିଏସ୍‌ସି

ଭୁବନେଶ୍ୱର, ୨୮।୫(ବ୍ୟୁରୋ): ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ସତ୍ତ୍ୱେ ରାଜ୍ୟ ସରକାର ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଜାରି ରଖିଥିଲେ। ଶିକ୍ଷାବିତ୍‌ଙ୍କ ବିରୋଧ ଓ ୟୁଜିସିର ତାଗିଦ୍‌ ପରେ ଶୁକ୍ରବାର ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଏହି ପରୀକ୍ଷାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏ ନେଇ ଶୁକ୍ରବାର ଓପିଏସ୍‌ସି ପକ୍ଷରୁ ଏକକାଳୀନ ଦୁଇଟି ନୋଟିସ ଜାରି ହୋଇଛି। ଫିଜିକ୍ସରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ନିମନ୍ତେ ଆସନ୍ତା ଜୁନ୍‌ ୪ରେ ହେବାକୁ ଥିବା ସାକ୍ଷାତକାର ପରୀକ୍ଷାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ସେହିପରି ବାଣିଜ୍ୟରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ନିମନ୍ତେ ଜୁନ୍‌ ୬ରେ ହେବାକୁ ଥିବା ଡକ୍ୟୁମେଣ୍ଟ ଯାଞ୍ଚ କାର୍ଯ୍ୟକ୍ରମକୁ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ଆଉଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ବିଭିନ୍ନ ବିଷୟରେ ମୋଟ ୬୦୬ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ନିମନ୍ତେ ଓପିଏସ୍‌ସି ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥି ମଧ୍ୟରୁ କେତେକ ପରୀକ୍ଷା ଓ ଡକ୍ୟୁମେଣ୍ଟ ଯାଞ୍ଚ ଆଦି ପ୍ରକ୍ରିୟା ଶେଷ ହୋଇ ସାରିଥିବାବେଳେ ବାଣିଜ୍ୟ ଓ ଫିଜିକ୍ସର ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିଲା। ଏ ନେଇ ଓପିଏସ୍‌ସି ବିଜ୍ଞପ୍ତି ପ୍ରକାଶ କରିବା ପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିବା ସହିତ ଉଚ୍ଚଶିକ୍ଷା ବିଭାଗ ଏବଂ ଓପିଏସ୍‌ସି ସଚିବଙ୍କୁ ଚିଠି ଲେଖି ଏଥିରୁ ଦୂରେଇ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ୨୦ ତାରିଖରେ ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଅଧିନିୟମ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଲଗାଇଥିଲେ। ମାମଲା ବିଚାରାଧୀନ ଥିବାବେଳେ ନିଯୁକ୍ତି ପ୍ରକ୍ରିୟା ପାଇଁ ବିଜ୍ଞପ୍ତି ପ୍ରକାଶ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ୟୁଜିସି କହିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହ ନିଯୁକ୍ତି ପ୍ରକ୍ରିୟାରୁ ଦୂରେଇ ରହିବାକୁ ୟୁଜିସି ଚିଠିରେ ଉଲ୍ଲେଖ କରିଥିଲା। ଅବମାନନା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ୟୁଜିସି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲା। ସେପଟେ ଶୁକ୍ରବାର ଏହି ମାମଲାରେ ଚୂଡ଼ାନ୍ତ ରାୟ ନ ଆସିବା ପର୍ଯ୍ୟନ୍ତ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ(ୟୁୟୁଟିଏ) ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଦାବି ଜଣାଇଥିଲେ।