ବନ୍ଦ ରହିଛି ଏକମାତ୍ର ସିନେମା ହଲ୍‌ ‘ସମଲେଇ ଟକିଜ୍‌’

ସୋନପୁର,୫।୧୦(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଥିବା ସୋନପୁର ସହରସ୍ଥିତ ସମଲେଇ ଟକିଜ୍‌ ବନ୍ଦ ରହିଛି। ଏହା ଜିଲାର ଏକମାତ୍ର ସିନେମା ହଲ ହୋଇଥିବା ବେଳେ ଗତ କୋଭିଡ୍‌ ସମୟରୁ ଫାଟକରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ଫଳରେ ଜିଲାବାସୀ ସିନେମା ଦେଖିବାରୁ ବଞ୍ଚତ୍ତ ହୋଇଛନ୍ତି। ଏହି ସିନେମା ହଲ ପୂର୍ବରୁ ସୋନପୁର ମହାରାଜା ବୀରମିତ୍ର ସିଂହଦେଓଙ୍କ ଦରବାର ହଲ ଥିଲା। ପରେ ମହାରାଜା ସୁଧାଂଶୁ ଭୂଷଣ ସିଂହଦେଓ ୧୯୬୭-୧୯୬୯ରେ ଏଠାରେ ଏକ ସିନେମା ହଲ୍‌ ପ୍ରତିଷ୍ଠା କରିଥିଲେ। ନିଜ ଇଷ୍ଟଦେବୀଙ୍କ ନାମାନୁସାରେ ଏହାକୁ ସେ ସମଲେଇ ଟକିଜ୍‌ ବୋଲି ନାଁ ଦେଇଥିଲେ। ରାଜାଙ୍କ ଉଦ୍ୟମରେ ପୂର୍ବରୁ ବହୁ ଭଲ ସିନେମା ଏଠାରେ ଲୋକେ ଦେଖିବାକୁ ପାଉଥିଲେ। ପରେ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କୁ ଏହି ସିନେମା ହଲ ବିକ୍ରି ହୋଇଯାଇଛି।

ମନ୍ଦିରମାଳିନୀ ସୋନପୁର ସହରର ନଦୀ ଘାଟ, ବାଟ, ମଠ, ପଥର ଓ ନାଳ ସବୁଠି ଦେବାଦେବୀ ପୂଜା ପାଆନ୍ତି। ସେହିଭଳି ଏଠାରେ ଥିବା ସିନେମା ହଲ ମଧ୍ୟ ମା’ ସମଲେଇଙ୍କ ନାମରେ ନାମିତ। ତେବେ ଶତାଧିକ ବର୍ଷର ଏହି ପୁରୁଣା ସିନେମା ହଲରେ ତାଲା ଝୁଲିବା ସଂସ୍କତି ପ୍ରେମୀଙ୍କୁ ନିରାଶ କରିଛି। ଜିଲାର ଅଧିବାସୀ ଏବେ ସିନେମା ହଲରେ ବସି ସିନେମା ଦେଖିବାର ସୁଯୋଗ ପାଉନାହାନ୍ତି। ସିନେମା ଦେଖିବା ପାଇଁ ବଲାଙ୍ଗୀର ଅବା ସମ୍ବଲପୁର ଯିବାକୁ ପଡୁଛି। ସୋନପୁରର ସମସ୍ତ ଯାନିଯାତ୍ରା ସମୟରେ ମନୋରଞ୍ଜନର ମାଧ୍ୟମ ସାଜିଥାଏ ସମଲେଇ ଟକିଜ୍‌। ବିଭିନ୍ନ ଉତ୍ସବ ସମୟରେ ଓଡିଆ ସିନେମା ପଡୁଥିବାରୁ ଲୋକେ ସପରିବାର ଫିଲ୍ମ ଦେଖିବାକୁ ଯାଆନ୍ତି। ମଧ୍ୟାହ୍ନ ଶୋରୁ ଭିଡ ଜମିଯାଏ। ତେବେ ଏହିସବୁ ଏବେ ସ୍ମୃତି ହୋଇଗଲଣି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପୂର୍ବରୁ ଯେତେବେଳେ ଗାଡି ମୋଟରର ସୁବିଧା ନ ଥିଲା ପୂଜା ସମୟରେ ଶଗଡ ଗାଡିରେ ବସି ଲୋକେ ବିଭିନ୍ନ ଗାଁରୁ ସପରିବାର ସିନେମା ଦେଖିବାକୁ ଆସୁଥିଲେ। ଗହଳିକୁ ଦେଖି ପୋଲିସ ମୁତୟନ ହେଉଥିଲେ। ଏହି ସିନେମା ହଲର ବୈଶିଷ୍ଟ୍ୟ ହେଲା ମହିଳାଙ୍କ ବସିବା ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିଥିଲା। ସମଲେଇ ଟକିଜ୍‌ ସହ ସୋନପୁରିଆଙ୍କ ବହୁ ସ୍ମୃତି ଜଡିତ ହୋଇରହିଛି। ତେଣୁ ସୁବର୍ଣ୍ଣପୁର ଭଳି ଏକ ସଂସ୍କୃତି ସମ୍ପନ୍ନ ସହରର ଏକମାତ୍ର ଟକିଜ୍‌ ବନ୍ଦ ପଡିଥିବାରୁ ସ୍ଥାନୀୟ ଅଧିବାସୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।