ଘରେ ବ୍ରାଉନସୁଗାର ବିକୁଥିଲେ ବୃଦ୍ଧା, ଗ୍ରାହକ ସାଜି ଧରିଲା ଅବକାରୀ ବିଭାଗ

ଢେଙ୍କାନାଳ ଅଫିସ,୩୦ା୯: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୂଆ ଆଳୁତୁମା ଗ୍ରାମରୁ ଅବକାରୀ ବିଭାଗ ଶୁକ୍ରବାର ୩୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଘରେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଗ୍ରାହକ ସାଜି ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରୁ ୩୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଘଟଣାରେ ସଂପୃକ୍ତ ଚନ୍ଦ୍ରାବତୀ ବେହେରା (୬୩) ନାମକ ଜଣେ ବୃଦ୍ଧାଙ୍କୁ  ଗିରଫ କରାଯାଇଛି। ଜବତ ୩୫ ଗ୍ରାମ ବ୍ରାଉନସୁଗାରର ମୁଖ୍ୟ ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ପ୍ରମୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି। ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି ସୁପରିଟେଣ୍ଡେଣ୍ଟ ବିପ୍ରଚରଣ ମଣ୍ଡଳଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା। ଚଢ଼ାଉବେଳେ ଚନ୍ଦ୍ରାବତୀଙ୍କ ପୁଅ ଫେରାର ହୋଇଯାଇଛନ୍ତି। ଚନ୍ଦ୍ରାବତୀ ଗ୍ରାମର ଅଥାନି ବେହେରାଙ୍କ ସ୍ତ୍ରୀ ଅଟନ୍ତି।