ନିଆଁରେ ପୋଡ଼ି ଚିକିତ୍ସାଧୀନ ଥିବା ବୃଦ୍ଧା ଆଖି ବୁଜିଲେ

କେନ୍ଦୁଝର,୨୮ା୧(ସ୍ବ.ପ୍ର.): ନାତୁଣୀଙ୍କୁ ଖାଇବାକୁ ଦେବାବେଳେ ଜଣେ ବୃଦ୍ଧା ନିଆଁରେ ପୋଡ଼ି ଗୁରୁତର ହୋଇଥିଲେ। ସେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ଶନିବାର ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାମ ବୁଧିନୀ ମୁଣ୍ଡା (୭୦)। ବାଂଶପାଳ ବ୍ଲକ କୁଶକଳା କିସାନ ସାହିରେ ଗତ ୧୫ ତାରିଖ ସନ୍ଧ୍ୟାରେ ବୁଧିନୀ ତାଙ୍କ ନାତୁଣୀଙ୍କୁ ରୋଷେଇ ଘରେ ଖାଇବାକୁ ଦେଉଥିଲେ। ଏହି ସମୟରେ ଅସାବଧାନତା ବଶତଃ ତାଙ୍କର ଶାଢ଼ିରେ ହଠାତ୍‌ ନିଆଁ ଲାଗି ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ମୁଖ୍ୟ ଚିକତ୍ସାଳୟକୁ ପଠାଯାଇଥିଲା। କେନ୍ଦୁଝରେ ଚିକିତ୍ସିତ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ନୟାକୋଟ ଥାନା ପୋଲିସ କେସ୍‌ ନଂ ୪/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।