ବୃଦ୍ଧାଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା

ବରଗଡ଼ ଅଫିସ୍‌,୨୪।୨: ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଦ୍ୱାରୀ ଗ୍ରାମରେ ବୁଧବାର ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି । କାଠ କାଟିବାକୁ ନେଇ ସ୍ଥାନୀୟ ଜଣେ ଯୁବକ ଗ୍ରାମର ଜଣେ ବୃଦ୍ଧାଙ୍କୁ ନୃଶଂସ ଭାବେ ହତ୍ୟା କରିଛନ୍ତି । ମୃତ ବୃଦ୍ଧା ଜଣକ ହେଲେ, ଉକ୍ତ ଗ୍ରାମର ଋକ୍ମିଣୀ ବାଗ(୬୫)। ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ସୂଚନା ଯୋଗ୍ୟ, ଗ୍ରାମ ନିକଟ ଜମିରେ କାଠ ସଂଗ୍ରହ ସମୟରେ ବୃଦ୍ଧା ଏବଂ ଯୁବକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ଯୁବକ ଜଣକ ଉତ୍‌କ୍ଷିପ୍ତ ହୋଇ କାଠ ଫାଳିଆରେ ବୃଦ୍ଧାକୁ ଆକ୍ରମଣ କରିଥିଲେ। ଯୁବକ ଜଣକ ବୃଦ୍ଧାଙ୍କ ହାତ, ଗୋଡ଼ ଭାଙ୍ଗି ଦେବା ସହିତ ପିଟିପିଟି ତାଙ୍କୁ ହତ୍ୟା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବକଙ୍କୁ ଧରି ଥାନାକୁ ଆଣିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଡାକ୍ତରଖାନାକୁ ପଠାଯାଇଛି ।