ତ୍ରୁଟି ସୁଧାରିଲେ ସରକାର

ଭୁବନେଶ୍ୱର,୨ା୬(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପିଲାଙ୍କୁ ଗୁଣବତ୍ତାର ଶିକ୍ଷା ପ୍ରଦାନ କରିବା ନାଁରେ ଅନେକ ତ୍ରୁଟି କରାଯାଉଛି। ତୃତୀୟ ଶ୍ରେଣୀର ଓଡ଼ିଆ ଭାଷା ପଠନ ପୁସ୍ତିକାରେ କେତେକ ଘରୋଇ ବ୍ରାଣ୍ଡେଡ୍‌ କମ୍ପାନୀ ସାମଗ୍ରୀର ଛବି ପ୍ରକାଶ ପାଇଛି। ଏହାସହ ଚକୋଲେଟ, ହର୍ଲିକ୍ସ, ଫ୍ରୁଟି, କୁର୍‌କୁରେ ଭଳି ଇଂଲିଶ ଶବ୍ଦ ବ୍ୟବହାର କରାଯାଇଛି। ଏହାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳିବା ପରେ ଧରିତ୍ରୀରେ ଗତ ୧୬ ତାରିଖରେ ‘ଓଡ଼ିଆ ଭାଷା ପୁସ୍ତକରେ ପିଲା ପଢୁଛନ୍ତି ଇଂଲିଶ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଭୁଲ୍‌ ହୋଇଥିବା କଥାକୁ ସ୍ବୀକାର କରି ତାହାକୁ ସଂଶୋଧନ କରିଛନ୍ତି। ଏନେଇ ଗତ ୩୧ ତାରିଖରେ ରାଜ୍ୟ ଟିଚର ଏଜୁକେଶନ ଆଣ୍ଡ ଏସ୍‌ସିଇଆର୍‌ଟି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି(ଓସେପା) ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏକ ଚିଠି ଦିଆଯାଇଛି। ସେଥିରେ ତୃତୀୟ ଶ୍ରେଣୀ ଓଡ଼ିଆ ଭାଷା ପଠନ ପୁସ୍ତିକାର ପ୍ରଥମ ପୃଷ୍ଠାରେ ରହିଥିବା କେତେକ ବ୍ରାଣ୍ଡେଡ୍‌ ପ୍ରଡକ୍ଟର ଫଟୋ ଏବଂ ତା’ର ନାଁକୁ ବାଦ୍‌ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାର ତୃତୀୟ ଶ୍ରେଣୀ ବହି ଜରିଆରେ ଉକ୍ତ ବ୍ରାଣ୍ଡ୍‌ଗୁଡ଼ିକର ଅବିକଳ ଛବିକୁ ପ୍ରଦର୍ଶିତ କରି ସେମାନଙ୍କ ପ୍ରଚାର ଚଳାଇଥିବା ଅଭିଭାବକମାନେ ଅଭିଯୋଗ କରିଥିଲେ। ଏହାଦ୍ୱାରା ପାଠ୍ୟପୁସ୍ତକ ଜରିଆରେ ବଡ଼ ବଡ଼ କମ୍ପାନୀର ଉତ୍ପାଦ ଶିଶୁମାନଙ୍କୁ ପଢ଼ିବାକୁ ଜାଣିଶୁଣି ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ପିଲାଙ୍କ ବହିରେ ଥିବା ଉତ୍ପାଦଗୁଡ଼ିକର ଫଟୋ ଦେଖିଲେ ନିର୍ମାଣକାରୀ କମ୍ପାନୀଗୁଡ଼ିକ ମଧ୍ୟ ସହଜରେ ଜଣାପଡ଼ିଯାଉଛନ୍ତି; ଯେପରିକି ଟାଟା ଲୁଣ, କୁର୍‌କୁରେ, ହର୍ଲିକ୍ସ, ଡେଏରି ମିଲ୍କ ଇତ୍ୟାଦି। କୁର୍‌କୁରେ ଏକ ଜଙ୍କ୍‌ ଫୁଡ୍‌ ବୋଲି ଶିଶୁରୋଗ ବିଶେଷଜ୍ଞମାନେ କହୁଥିବା ବେଳେ ଫ୍ରୁଟି ଭଳି ମୃଦୁପାନୀୟ ପିଲାଙ୍କ ଦାନ୍ତ ଖରାପ କରୁଥିବା ଡାକ୍ତରମାନେ ମତ ଦେଉଛନ୍ତି। ତେଣୁ ଗଣଶିକ୍ଷା ବିଭାଗ କମ୍ପାନୀ ନାମ ଏବଂ ଫଟୋ ଥିବା ଉତ୍ପାଦ ଛାପିବା ଦ୍ୱାରା ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଓସେପା ନିର୍ଦ୍ଦେଶକଙ୍କୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ସରକାର ତୃତୀୟ ଶ୍ରେଣୀ ପିଲାଙ୍କ ପାଠ୍ୟ ପୁସ୍ତକର ଏକ ନମ୍ବର ପୃଷ୍ଠାକୁ ପାଠପଢ଼ାରୁ ବାଦ୍‌ ଦିଆଗଲା। ଏ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। ଜିଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ ପ୍ରତ୍ୟେକ ଶିକ୍ଷକଙ୍କୁ ଏ ବାବଦରେ ଜଣାଇବେ। ଯେପରି ଉକ୍ତ ପୃଷ୍ଠାକୁ ଶିକ୍ଷକମାନେ ପଢ଼ାଇବା ବେଳେ ବାଦ୍‌ ଦେବେ ସେଥିପ୍ରତି ଦାୟିତ୍ୱବାନ୍‌ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।