ଜନଗଣନାରେ ଓବିସି ଦ୍ୱନ୍ଦ୍ୱ

୦୨୧ ମସିହାରେ ହେବାକୁ ଥିବା ଜନଗଣନା ୨୦୨୬ ମସିହାରେ ଆରମ୍ଭ ହୋଇଛି। ୨୦୨୭ରେ ସମାପ୍ତ ହେବ। ଏହାପରେ କେତେଦିନ ପରେ ସମ୍ପୂର୍ଣ୍ଣ ପରିସଂଖ୍ୟାନ ପ୍ରକାଶ ପାଇବ ତାହା ଏବେଠାରୁ କହିହେବ ନାହିଁ। ଏହା ଜାତିଭିତ୍ତିକ ଜନଗଣନା ହେବ। ଦେଶରେ ଜାତିଭିତ୍ତିକ ଜନଗଣନା କରିବା ପାଇଁ ଦାବିହୋଇ ଆସୁଥିଲା। ବିଶେଷକରି ଓବିସି ସଂଗଠନ ଓ ସମର୍ଥିତ ରାଜନୈତିକ ଦଳଗୁଡ଼ିକ ଦାବିକରି ଆସୁଥିଲେ। ଜନମତ ସମ୍ମୁଖରେ ମୁଣ୍ଡ ନୁଆଁଇ କେନ୍ଦ୍ର ସରକାର ଦେଶରେ ଜାତିଭିତ୍ତିକ ଜନଗଣନା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ବିଭିନ୍ନ ବିନ୍ଦୁକୁ ନେଇ ଜନଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଜନଗଣନା ଫର୍ମରେ ଥିବା ପ୍ରଶ୍ନାବଳୀକୁ ନେଇ ଅନ୍ୟାନ୍ୟ ପଛୁଆବର୍ଗ ବା ଓବିସିମାନେ ସନ୍ଦେହରେ ଅଛନ୍ତି। କାରଣ ଏହି ଫର୍ମର ସୂଚୀରେ ଓବିସି କଲମ ନାହିଁ। ଓଡ଼ିଶାରେ ଏହା ଏସ୍‌ଇବିସି ହେବା କଥା। ଏହି ସୂଚୀରେ ଏସ୍‌ଟି ଓ ଏସ୍‌ସି କଲମ ରହିଛି। ତେଣୁ ଜନଗଣନା ପରେ ଦେଶରେ କିମ୍ବା ରାଜ୍ୟରେ ଓବିସି/ଏସ୍‌ଇବିସିଙ୍କ ସାମଗ୍ରିକ ସଂଖ୍ୟା କେତେ ତାହା ଜଣାପଡିବ ନାହିଁ। ବିଭିନ୍ନ ମହଲରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ଓବିସି କଲମ ରଖିବାକୁ ଦାବି ହେଉଛି।
ସଂଶୟ ପ୍ରକାଶ ପାଉଛି ଯେ ତଥ୍ୟ ସଂଗ୍ରହ ଫର୍ମରେ ଓବିସି କଲମ ନ ରଖିବା ପଛରେ କିଛି ଚକ୍ରାନ୍ତ ନାହିଁ ତ ? ୨୦୧୧ ଜନଗଣନାରେ ତଥ୍ୟଗତ ତ୍ରୁଟି ଦର୍ଶାଇ ଜାତି ସମ୍ବନ୍ଧିତ ପରିସଂଖ୍ୟାନକୁ ପ୍ରକାଶ କରାଗଲା ନାହିଁ। ସେହିପରି ବିଭିନ୍ନ ଆଳ ଓ ତ୍ରୁଟି ଦର୍ଶାଇ ଓବିସି/ଏସ୍‌ଇବିସିଙ୍କ ସଂଖ୍ୟା ଅପ୍ରକାଶିତ ରଖିବାର ଚକ୍ରାନ୍ତ ନାହିଁ ତ ? କୁହାଯାଉଛି ଜନଗଣନା ପରେ ଓବିସି/ଏସ୍‌ଇବିସି ଅନ୍ତର୍ଗତ ଜାତିମାନଙ୍କ ସଂଖ୍ୟାକୁ ସମ୍ମିଶ୍ରିତକରି ଏମାନଙ୍କ ସାମଗ୍ରିକ ସଂଖ୍ୟା ତାଲିକା ପ୍ରସ୍ତୁତ କରାଯିବ। କିନ୍ତୁ ପ୍ରଶ୍ନ ହେଉଛି ଏହା କେତେଦୂର ପାରଦର୍ଶୀ ହେବ ? ଏହା ଯଦି କରିବାର ଅଛି ତେବେ ମୂଳରୁ ଓବିସି/ଏସ୍‌ଇବିସି କଲମ ରଖିଲେ ଅସୁବିଧା କେଉଁଠି ? ତଥ୍ୟ ସଂଗ୍ରହ ଫର୍ମରେ ଏସ୍‌ଟି ଓ ଏସ୍‌ସିଙ୍କ କ୍ରମ ରହିଛି। ତେଣୁ ଜନଗଣନା ପରେ ଏମାନଙ୍କ ସଂଖ୍ୟା ସ୍ପଷ୍ଟ ଜଣାପଡ଼େ। କିନ୍ତୁ ଓବିସି/ଏସ୍‌ଇବିସିଙ୍କ ସଂଖ୍ୟା ଜଣାପଡିବ ନାହିଁ। ଏଥିପାଇଁ ଅପେକ୍ଷା କରିବାକୁ ପଡ଼ିବ। ପୁଣି ଏହି ବର୍ଗର ସାମଗ୍ରିକ ଆର୍ଥିକ, ଶିକ୍ଷାଗତ ଓ ଚାକିରି କ୍ଷେତ୍ରରେ ଭାଗୀଦାରି ମଧ୍ୟ ସ୍ପଷ୍ଟ ହୋଇପାରିବ ନାହିଁ। ଜାଣିଶୁଣି ଏସବୁ ତଥ୍ୟକୁ ଲୁଚାଇବାର ପ୍ରଚେଷ୍ଟା ହେଉ ନାହିଁ ତ ?
ଦେଶରେ ଜାତିଭିତ୍ତିକ ଜନଗଣନା ସାମାଜିକ ବିକାଶ ପାଇଁ ଅପରିହାର୍ଯ୍ୟ। ଏହାଦ୍ୱାରା ପ୍ରତ୍ୟେକ ଜାତି ଓ ଜାତିକୁ ନେଇ ଗଠିତ ହୋଇଥିବା ବର୍ଗ ସମ୍ବନ୍ଧରେ ଠିକ୍‌ ତଥ୍ୟ ମିଳିପାରିବ। ଏହା କେବଳ ପରିସଂଖ୍ୟାନକୁ ସୂଚିତ କରିବ ତାହା ନୁହେଁ, ଏହା ସହ ପ୍ରତ୍ୟେକ ବର୍ଗ ଓ ଜାତିର ଆର୍ଥିକ ଓ ଶିକ୍ଷାଗତ ସ୍ଥିତିକୁ ମଧ୍ୟ ସୂଚିତ କରିବ। ଫଳରେ ବିକାଶର ଦୌଡ଼ରେ କେଉଁ ଜାତି ଓ କେଉଁ ବର୍ଗ କେତେ ଆଗେଇଛି ଏବଂ କେଉଁ ଜାତି ଓ କେଉଁ ବର୍ଗ କେତେ ପଛରେ ପଡ଼ିଯାଇଛି ତାହା ତଥ୍ୟ ସହ ଉପଲବ୍ଧ ହେବ। ଏପରି କ୍ଷେତ୍ରରେ ତୁଳନାତ୍ମକଭାବେ ପଛରେ ପଡ଼ିଥିବା ଜାତି ଓ ବର୍ଗଗୁଡ଼ିକର ବିକାଶ ପାଇଁ ସରକାର ସ୍ବତନ୍ତ୍ର ପଦକ୍ଷେପ ନେଇପାରିବେ। ଏହି ଜନଗଣନା ଦ୍ୱାରା ବିଭିନ୍ନ ବର୍ଗର ତଥ୍ୟଭିତ୍ତିକ ସ୍ଥିତି ଉପଲବ୍ଧ ହେବା ଜରୁରୀ। ଅନ୍ୟଥା ବର୍ଗଗତ ସଂରକ୍ଷଣ କ୍ଷେତ୍ରରେ ଏହା ସହାୟକ ହେବ ନାହିଁ। ଜନଗଣନା ଫର୍ମରେ ଓବିସି/ଏସ୍‌ଇବିସି କଲମ ନ ଥିବା ଯୋଗୁ ଏହି ବର୍ଗର ସାମଗ୍ରିକ ସ୍ଥିତି ଉପଲବ୍ଧ ହେବ ନାହିଁ। ଫଳରେ ଏହି ବର୍ଗର ସଂରକ୍ଷଣ ବୃଦ୍ଧି କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ ନାହିଁ। କାରଣ ଓବିସି ସମ୍ବନ୍ଧିତ ବିଭିନ୍ନ କେସ୍‌ରେ ସର୍ବୋଚ୍ଚ ନ୍ୟାୟାଳୟ ଏହା ଉପରେ ଗୁରୁତ୍ୱ ଦେବା ଦେଖାଯାଇଛି।
ସାମାଜିକ ଓ ଆର୍ଥିକ ସ୍ଥିତିକୁ ନେଇ ଦେଶରେ ଚାରୋଟି ବର୍ଗ ରହିଛି। ଅନୁସୂଚିତ ଜାତି(ଏସ୍‌ସି), ଅନୁସୂଚିତ ଜନଜାତି(ଏସ୍‌ଟି), ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଓ ସାଧାରଣ ବର୍ଗ। ଓଡ଼ିଶାରେ ସାମାଜିକ ଓ ଆର୍ଥିକଭାବେ ପଛୁଆ ବର୍ଗ(ଏସ୍‌ଇବିସି) ଓବିସିର ଏକ ପରିବର୍ଦ୍ଧିତ ରୂପ। ଜାତିଭିତ୍ତିକ ଜନଗଣନା ହେଲେ କେଉଁ ବର୍ଗର ସଂଖ୍ୟା କେତେ, ସେମାନେ ଚାକିରି ଓ ପ୍ରଶାସନିକ ସେବାରେ କେତେ ଅଛନ୍ତି, ଜମି ମାଲିକାନା ଓ ବାଣିଜ୍ୟ ବ୍ୟବସାୟରେ କେତେ ଅଛନ୍ତି ଏବଂ ଶିକ୍ଷା ଦୃଷ୍ଟିକୋଣରୁ କେତେ ଆଗେଇଛନ୍ତି ତାହାର ସ୍ପଷ୍ଟଚିତ୍ର ମିଳିପାରିବ। କୌଣସି ବର୍ଗ ନିଜର ସଂଖ୍ୟା ଅନୁପାତଠାରୁ ତଳେ ଥିଲେ ଆନୁପାତିକ ପ୍ରତିନିଧିତ୍ ପାଇଁ ପଦକ୍ଷେପ ନିଆଯାଇ ପାରିବ। ପ୍ରଚଳିତ ଜନଗଣନା ପ୍ରଶ୍ନ ସମ୍ବଳିତ ଫର୍ମରେ ଯେହେତୁ ଓବିସି/ଏସ୍‌ଇବିସି କଲମ ନାହିଁ ତେଣୁ ଏମାନେ କେତେ ଶତାଂଶ ଶାସନ ଓ ପ୍ରଶାସନରେ ଏବଂ କେତେ ଶତାଂଶ ବାଣିଜ୍ୟ/ବ୍ୟବସାୟ ଓ କୌଳିକ ବୃତ୍ତିରେ ଅଛନ୍ତି ତାହା ଉପଲବ୍ଧ ହେବନାହିଁ। ଫଳରେ ଦୁର୍ବଳ ଥିବା କ୍ଷେତ୍ରରେ ଏମାନଙ୍କୁ ଆଗକୁ ଆଣିବା ଯୋଜନା କାର୍ଯ୍ୟକାରୀ ହୋଇପାରିବ ନାହିଁ।
ପୂର୍ବରୁ ଅନୁସୂଚିତ ଜାତି ଓ ଜନଜାତିଙ୍କ ପରିସଂଖ୍ୟାନ ନିର୍ଣ୍ଣୟ ହୋଇଆସିଛି। ଅର୍ଥାତ୍‌ ତାଙ୍କ ସାମଗ୍ରିକ ସଂଖ୍ୟା କେତେ ତାହାର ହିସାବ ପ୍ରତି ଜନଗଣନାରେ ମିଳୁଛି। କିନ୍ତୁ ସାମଗ୍ରିକଭାବେ ଏମାନେ ଉଚ୍ଚଶିକ୍ଷା, ପ୍ରଶାସନିକ ସେବା, ବାଣିଜ୍ୟ ବ୍ୟବସାୟ, ଜମିଜମା ମାଲିକାନା ଇତ୍ୟାଦି କ୍ଷେତ୍ରରେ କେତେ ଭାଗୀଦାରି ତାହାର ପରିସଂଖ୍ୟାନ ନାହିଁ। ପ୍ରସ୍ତାବିତ ଜାତିଭିତ୍ତିକ ଜନଗଣନାରେ ଏହା ଉପରେ ଏକ ସ୍ପଷ୍ଟଚିତ୍ର ଉପଲବ୍ଧ ହେବ। ବଡ଼କଥା ହେଉଛି ଏସ୍‌ଟି ଓ ଏସ୍‌ସି ଅନ୍ତର୍ଭୁକ୍ତ ପ୍ରତ୍ୟେକ ଜାତିର ଏ ଦୃଷ୍ଟିରୁ ସ୍ଥିତିଗତ ଅବସ୍ଥା କ’ଣ ତାହାର ପ୍ରାଞ୍ଜଳ ରୂପ ସମ୍ମୁଖ୍ୟକୁ ଆସିବ। ଦେଖାଯାଉଛି ଏହି ବର୍ଗ ଅନ୍ତର୍ଗତ ଜାତିମାନଙ୍କ ମଧ୍ୟରେ ବିକାଶର ତାରତମ୍ୟ ରହିଛି। କିଛି ଜାତି ତୁଳନାତ୍ମକଭାବେ ବହୁ ଆଗକୁ ଆଗେଇ ଯାଇଥିବା ବେଳେ ଆଉ କେତେକ ଜାତି ପୂର୍ବବତ୍‌ ତଳେ ପଡ଼ିଛନ୍ତି। ତେଣୁ ତଳେ ପଡ଼ିଥିବା ଜାତିମାନଙ୍କର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ଜାତିଭିତ୍ତିକ ଜନଗଣନା ସହାୟକ ହେବ। ଦେଶରେ ସଂଖ୍ୟାଲଘୁମାନଙ୍କ ପରିସଂଖ୍ୟାନ ଜନଗଣନା ସମୟରେ କରାଯାଉଛି। କିନ୍ତୁ ତାଙ୍କ ସ୍ଥିତିଗତ ଅବସ୍ଥିତି ଉପରେ ତଥ୍ୟ ସଂଗ୍ରହ ହୁଏ ନାହିଁ। ଜାତିଭିତ୍ତିକ ଜନଗଣନା ହେଲେ ଏହା ଉପଲବ୍ଧ ହେବ ଓ ଆବଶ୍ୟକ ସ୍ଥଳେ ବିକାଶର ଯୋଜନା ପ୍ରସ୍ତୁତ ହେବ। ଏହା ବାଦ୍‌ ଦେଶରେ ଅଗ୍ରସର ବା ସାଧାରଣ ବର୍ଗଙ୍କ ସଂଖ୍ୟା କେତେ ତାହାର ମଧ୍ୟ ତଥ୍ୟ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଏମାନଙ୍କ ଭାଗୀଦାରି କେତେ ତାହାର ସ୍ପଷ୍ଟ ଚିତ୍ର ନାହିଁ। ଜାତିଭିତ୍ତିକ ଜନଗଣନାରେ ଏହା ସ୍ପଷ୍ଟ ହେବ। ଅବଶ୍ୟ ଇଡବ୍ଲ୍ୟୁଏସ୍‌ ସଂରକ୍ଷଣର ଯଥାର୍ଥତା ଉପରେ ରାୟ ଦେବା ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଅଗ୍ରସର ବର୍ଗର ସଂଖ୍ୟା ଓ ତାଙ୍କ ସ୍ଥିତିଗତ ତଥ୍ୟ ମାଗିବାକୁ ଆବଶ୍ୟକ ମନେକରି ନାହାନ୍ତି।
ଭାରତବର୍ଷରେ ମୁଖ୍ୟ ସମସ୍ୟା ହେଉଛି ଓବିସି ପରିସଂଖ୍ୟାନକୁ ନେଇ। ସ୍ବାଧୀନତା ପରେ ଜାତିଭିତ୍ତିକ ଜନଗଣନା ହୋଇ ନ ଥିବା ଯୋଗୁ ଏମାନଙ୍କ ସଂଖ୍ୟା କେତେ ଏବଂ ଆର୍ଥିକ ଓ ଶିକ୍ଷାଗତ ସ୍ଥିତି କ’ଣ, ଚାକିରି ଓ ପ୍ରଶାସନରେ ଭାଗୀଦାରି କେତେ, ତାହାର ତଥ୍ୟ ଉପଲବ୍ଧ ନୁହେଁ। ଦେଶରେ ଶେଷଥର ପାଇଁ ଜାତିଭିତ୍ତିକ ଜନଗଣନା ହୋଇଥିଲା ବ୍ରିଟିଶରାଜ ସମୟରେ ୧୯୩୧ ମସିହାରେ। ଏହାପରେ ୨୦୧୧ରେ ଅନ୍ୟାନ୍ୟ ପଛୁଆବର୍ଗଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିର ଅନୁଧ୍ୟାନ ହୋଇଥିଲା। କିନ୍ତୁ ଏହାକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ସାର୍ବଜନୀନ କରାଗଲା ନାହିଁ। ମଣ୍ଡଳ ଆୟୋଗ ୧୯୩୧ର ପରିସଂଖ୍ୟାନ ଆଧାରରେ ୧୯୮୦ରେ ତାଙ୍କ ରିପୋର୍ଟରେ ଓବିସିଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ୫୨% ବୋଲି ଦର୍ଶାଇଥିଲେ। କିନ୍ତୁ ଏବେ ସର୍ବୋଚ୍ଚ ନ୍ୟାୟାଳୟ ଓବିସି ସମ୍ବନ୍ଧିତ କେସ୍‌ରେ ଏହି ପରିସଂଖ୍ୟାନକୁ ଗ୍ରହଣ କରୁନାହାନ୍ତି। ନିର୍ଦ୍ଦିଷ୍ଟ ସଂଖ୍ୟା ସହ ସ୍ଥିତିଗତ ତଥ୍ୟ ମାଗୁଛନ୍ତି। ତେଣୁ ଜାତିଭିତ୍ତିକ ଜନଗଣନାରେ ଓବିସି/ଏସ୍‌ଇବିସିଙ୍କ ସଂଖ୍ୟା ଉପଲବ୍ଧ ହେବା ଜରୁରୀ ହୋଇପଡ଼ିଛ। ଏହା ଅପରିହାର୍ଯ୍ୟ ମଧ୍ୟ ।

ଅଧ୍ୟାପକ ଗୋପବନ୍ଧୁ
ଦର୍ଶନ ବିଭାଗ (ଅବସରପ୍ରାପ୍ତ),
ବାରିପଦା, ମୟୂରଭଞ୍ଜ
ମୋ: ୯୪୩୮୨୪୮୮୫୪

Dharitri – Odisha’s No.1 Odia Daily