ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ: ବିଏମସି କମିଶନର

ଭୁବନେଶ୍ୱର,୨୫।୭(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ଗତ କିଛିଦିନ ହେବ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏ ନେଇ ଶନିବାର ଭୁବନେଶ୍ୱର ଗୀତଗୋବିନ୍ଦ ସଦନଠାରେ ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଏମ୍‌ସି କୋଭିଡ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ଏବଂବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।
ବିଏମ୍‌ସି କମିଶନର କହିଛନ୍ତି, ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ସଂକ୍ରମିତ ସଂଖ୍ୟା ଅଧିକ ରହିଛି। ବସ୍ତି ଅଞ୍ଚଳରୁ ଏବେ ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଣବସ୍ତି ଅଞ୍ଚଳରୁ ଏବେ ୬୫୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ପ୍ରତି ବସ୍ତିରେ ବସ୍ତି କମିଟି ଗଠିତ ହୋଇଛି। ବିଜେବିନଗରସ୍ଥିତ ମହିଷାଖାଲ ବସ୍ତିରୁ ଶୁକ୍ରବାର ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।
ସେହିପରି ଅନୁ ଗର୍ଗ କହିଛନ୍ତି, ପ୍ରତି ୱାର୍ଡରେ ସଚେତକ କମିଟି କାମ କରୁଛି। ବସ୍ତିରେ ଆକ୍ଟିଭ ସର୍ଭିଲାନ୍ସ ଟିମ ଯାଞ୍ଚ କରୁଛନ୍ତି। ୬ଟି କୋଭିଡ କେୟାର ସେଣ୍ଟରରେ ୮୭୦ ଶଯ୍ୟା ରହିଛି । ୫୫୪ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କରାଯାଇଛି। ସେହିପରି ୧୦୨୫ ଶଯ୍ୟାରେ କୋଭିଡ ହସ୍ପିଟାଲ, ୬୦ ଶଯ୍ୟାର ହେଲଥ କେୟାର ସେଣ୍ଟର ରହିଛି। ଭୁବନେଶ୍ୱରରେ ବର୍ତ୍ତମାନ ଆଉ ୧୫ ଶହ କୋଭିଡ ଶଯ୍ୟା ବାଢଇବା ପାଇଁ ଯୋଜନା କରାଯାଇଛି। ବର୍ତ୍ତମାନ ଭୁବନେଶ୍ୱରରେ ୧୬୭ ଜଣ ହୋମ ଆଇସୋଲେସନରେ ଥିବା ସେ ସୂଚନା ଦେଇଛନ୍ତି।