ଏସ୍‌ସିବିରୁ ଆହତଙ୍କ ସଂଖ୍ୟା କମୁଛି

କଟକ,୧୭ା୬ (କାର୍ତ୍ତିକ ସାହୁ) ବାଲେଶ୍ୱର ଜିଲା ବାହାନଗାଠାରେ ଗତ ୨ ତାରିଖରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାକୁ ୨ ସପ୍ତାହ ବିତିଲାଣି। ତଥାପି ମନରୁ ଭୟ ଯାଇନି। ରାଜ୍ୟ ତଥା ରାଜ୍ୟ ବାହାରେ ଚିକିତ୍ସାଧୀନ ଆହତମାନେ ଏବେ ବି ଆଶଙ୍କିତ ଅବସ୍ଥାରେ ଅଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସେମାନେ କେବେ ଘରକୁ ଫେରିବେ ତାହାକୁ ନେଇ ପରିବାର ଲୋକେ ଦିନ ଗଣୁଛନ୍ତି। ରାଜ୍ୟର ପ୍ରମୁଖ ସ୍ବାସ୍ଥ୍ୟାନୁଷ୍ଠାନ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଆହତଙ୍କ ସଂଖ୍ୟା କ୍ରମେ ହ୍ରାସ ପାଇବାରେ ଲାଗିଛି। ଏବେ ବି କେତେଜଣ ଗୁରୁତର ଆଇସିୟୁରେ ରହି ଜୀବନ ସହ ସଂଗ୍ରାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଶୁକ୍ରବାରକୁ ମିଶାଇ ଗତ ୪ ଦିନ ମଧ୍ୟରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଖବର ସେମାନଙ୍କ ପରିବାର ପ୍ରତି ଶକ୍ତ ଧକ୍କା ଆଣିଦେଇଛି।
ମେଡିକାଲ ପକ୍ଷରୁ ମିଳିଥିବା ସୂଚନାନୁସାରେ, ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨୦୨ ଜଣଙ୍କୁ ପର୍ଯ୍ୟାୟକ୍ରମେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବାରୁ ସେମାନଙ୍କୁ ବିଭିନ୍ନ ଓ୍ବାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏପରି କି ଜେନେରାଲ ସର୍ଜରି, ପ୍ଲାଷ୍ଟିକ ସର୍ଜରି, ନ୍ୟୁରୋ ସର୍ଜରି, ଅର୍ଥୋପେଡିକ୍ସ ଓ ଚକ୍ଷୁ ଆଦି ବିଭାଗର ବିଶେଷଜ୍ଞମାନେ ସେମାନଙ୍କ ଚିକିତ୍ସା ପାଇଁ ନିୟୋଜିତ ହୋଇଛନ୍ତି। ଶୁକ୍ରବାର ସୁଦ୍ଧା ଗୁରୁତରଙ୍କ ସଂଖ୍ୟା କମି ୪୭ରେ ପହଞ୍ଚତ୍ଛି। ସେମାନଙ୍କ ମଧ୍ୟରେ ସର୍ବାଧିକ ୨୦ ଜଣ ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ସେହିପରି ଏସ୍‌ସିବିରେ ଓଡ଼ିଶାରୁ ୧୦, ବିହାରରୁ ୧୩, ଝାଡଖଣ୍ଡ, ମହାରାଷ୍ଟ୍ର, ନେପାଳ, ତାମିଲନାଡୁରୁ ଜଣେ ଲେଖାଏ ଗୁରୁତର ଚିକିତ୍ସିତ ହେଉଛନ୍ତି। ସରକାରଙ୍କ ପକ୍ଷରୁ ସମସ୍ତଙ୍କର ମାଗଣା ଚିକିତ୍ସା କରାଯାଉଛି। ଏଥିସହ ମେଡିକାଲରୁ ଡିସ୍‌ଚାର୍ଜ ହେଉଥିବା ଆହତଙ୍କୁ ପ୍ରଶାସନ ପକ୍ଷରୁ ସେମାନଙ୍କ ଘରେ ପହଞ୍ଚାଇବା ବ୍ୟବସ୍ଥା ଚାଲୁରହିଛି। ଏପରି କି, ୨ ମୃତଦେହକୁ ମଧ୍ୟ ସରକାରୀ ଖର୍ଚ୍ଚରେ ସେମାନଙ୍କ ଗ୍ରାମକୁ ପଠାଯାଇଥିବା ଜଣାପଡିଛି।