ରାଜଧାନୀରେ ଏନ୍‌ଆଇଏର ଖୋଳତାଡ଼

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):କୌଣସି ଏକ ସୁରକ୍ଷା ପ୍ରସଙ୍ଗକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ବୁଧବାର ଭୁବନେଶ୍ୱରରେ ପହଞ୍ଚତ୍ ଖୋଳତାଡ଼ ଆରମ୍ଭ କରିଛି। ଖଣ୍ଡଗିରି ଥାନାଞ୍ଚଳରେ ରହୁଥିବା ଜଣେ ଛାତ୍ରଙ୍କୁ ୫ ଘଣ୍ଟାଧରି ଜେରା କରିବା ପରେ ଛାଡ଼ି ଦେଇଛି। ଏନ୍‌ଆଇଏ ସାଧାରଣତଃ ଆତଙ୍କବାଦ ପରି ଜାତୀୟ ସୁରକ୍ଷା ସହ ଜଡ଼ିତ ମାମଲାଗୁଡ଼ିକ ଉପରେ ତଦନ୍ତ କରିଥାଏ। ତେବେ ରାଜଧାନୀରେ ଏନ୍‌ଆଇଏର ଏପରି ହଠାତ୍‌ ଚଢ଼ାଉ ସଂକ୍ରାନ୍ତlରେ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଏନେଇ ନାନା ଚର୍ଚ୍ଚା ଚାଲିଛି। ଛାତ୍ର ଜଣକ ଇଣ୍ଟରନେଟ୍‌ ଜରିଆରେ ଦେଶର ସୁରକ୍ଷାକୁ ନେଇ କିଛି ସନ୍ଦେହଜନକ ପରିସ୍ଥିତି ସୃଷ୍ଟି କରିଥାଇପାରନ୍ତି ବୋଲି କୁହାଯାଉଛି।
ସୂଚନା ମୁତାବକ, ଦିଲ୍ଲୀରୁ ଆସିଥିବା ଏନ୍‌ଆଇଏର ୪ ଜଣିଆ ସ୍ବତନ୍ତ୍ର ଟିମ୍‌ ରାଜ୍ୟ କ୍ରାଇମ୍‌ ବ୍ରାଞ୍ଚ ଓ କମିଶନରେଟ୍‌ ପୋଲିସ ସହଯୋଗରେ ଉକ୍ତ ଛାତ୍ରଙ୍କୁ ଉଠାଇ ନେଇଥିଲା। ଖଣ୍ଡଗିରି ଥାନାରେ ତାଙ୍କୁ ସକାଳ ସାଢେ ୯ଟାରୁ ପ୍ରାୟ ଅପରାହ୍ନ ସାଢ଼େ ୨ଟା ପର୍ଯ୍ୟନ୍ତ ପଚରାଉଚରା କରିଥିଲା। ଏନ୍‌ଆଇଏ ଟିମ୍‌ ଉକ୍ତ ଛାତ୍ରଙ୍କୁ ଛାଡ଼ିବାବେଳେ ତାଙ୍କୁ ପିଛା ନ କରିବାକୁ ମିଡିଆକୁ ପରାମର୍ଶ ଦେଇଥିଲା। ଏପରି କି ତାଙ୍କ ବିରୋଧରେ ମାମଲା ରୁଜୁ ନ କରିବା ପର୍ଯ୍ୟନ୍ତ ଛାତ୍ରଙ୍କ ନାମ ପ୍ରକାଶ ନ କରିବାକୁ ଏନ୍‌ଆଇଏ ପକ୍ଷରୁ ଅନୁରୋଧ କରାଯାଇଛି।
ଏନେଇ କଟକ-ଭୁବନେଶ୍ୱର ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଏନ୍‌ଆଇଏ କରୁଥିବା ଏକ ତଦନ୍ତ ସଂକ୍ରାନ୍ତରେ ଜଣେ ଛାତ୍ରଙ୍କୁ ପଚରାଉଚରା କରାଯାଉଛି। ଆମକୁ ମିଳିଥିବା ସୂଚନା ଅନୁସାରେ, ଏହି ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ ନୁହେଁ। ଛାତ୍ରଙ୍କୁ ଖଣ୍ଡଗିରି ଥାନାରେ ପଚରା ଉଚରା କରାଯାଇଛି। ଅନାବଶ୍ୟକ ଭାବେ ଅଯଥା କଳ୍ପନାଜଳ୍ପନା ନ କରିବାକୁ ଷଡଙ୍ଗୀ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି।